ନୂଆଦିଲ୍ଲୀ,୨୪।୧: ହମାସ ଓ ଇସ୍ରାଏଲ ମଧ୍ୟରେ ଫେରିଛି ଶାନ୍ତି। ହେଲେ ଏବେ ବି ଜାରି ରହିଛି ବନ୍ଧକଙ୍କ ମୁକ୍ତିକୁ ନେଇ ଆଲୋଚନା । ପଣବନ୍ଦୀଙ୍କୁ ମୁକ୍ତି ନେଇ ଏବେ ହମାସ ଦ୍ବିତୀୟ ଥର ପାଇଁ ବୟାନ ଜାରି କରିଛି। ଟାଇମ୍ସ ଅଫ୍ ଇସ୍ରାଏଲ ହମାସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହମାସ ଏଥର ୪ ଜଣଙ୍କୁ ମୁକ୍ତ କରିବ। ଯେଉଁଥିରେ ଅତି କମ୍ରେ ଜଣେ ମହିଳା କଏଦୀ ରହିବେ। ଏହି ୪ ପଣବନ୍ଦୀଙ୍କ ନାଁ ହମାସ ଶୁକ୍ରବାର ଜାରି କରିବ। ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଅନୁସାରେ, ଶନିବାର ମୁକ୍ତ କରାଯିବ।
ହମାସର ବରିଷ୍ଠ ନେତା ଜହେର ଜବରିନ୍ କହିଛନ୍ତି, କାଲି ଆମେ ମଧ୍ୟସ୍ଥିଙ୍କୁ ସେହି ୪ ବନ୍ଧକଙ୍କ ନାଁ ଦେବୁ, ଯେଉଁମାନଙ୍କୁ ମୁକ୍ତ କରାଯିବ। ଉଲ୍ଲେଖନୀୟ ଯେ, ଏହି ଡିଲ୍ ଅନୁସାରେ, ଶନିବାର ତାଙ୍କୁ ମୁକ୍ତ କରାଯିବ। ଆଶା କରାଯାଉଛି ଯେ, ଏହି ପର୍ଯ୍ୟାୟରେ ହମାସ ଇସ୍ରାଏଲ ସୈନିକ ଓ ମହିଳାଙ୍କୁ ମୁକ୍ତ କରିପାରେ। ସେଭଳି ଇସ୍ରାଏଲ ହମାସକୁ ଗତ କିଛି ସପ୍ତାହ ହେବ କଏଦ ଥିବା ବନ୍ଧକଙ୍କ ସୂଚନା ମାଗିଛି। ଯାହାଫଳରେ ଜାଣି ହେବ ଯେ, ହମାସର କଏଦରେ କେତେ ଲୋକ ଜୀବିତ ଅଛନ୍ତି। ତେବେ ହମାସ କହିଛି ସେ କଏଦୀଙ୍କ ସମ୍ପୂର୍ଣ୍ଣ ବିବରଣୀ ସେୟାର କରିବ ନାହିଁ।
ମିଳିଥିବା ସୂଚନା ଅନୁସାରେ, ପ୍ରତି ମହିଳା ସୈନିକଙ୍କ ବଦଳରେ ଇସ୍ରାଏଲକୁ ୫୦ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବାକୁ ହେବ। ଏହାଛଡା ଏହି ୫୦ ଜଣଙ୍କ ଭିତରେ ୩୦ ଜଣ ରହିବେ, ଯେଉଁମାନେ ଇସ୍ରାଏଲ ଜେଲ୍ରେ ଆଜୀବନ ସଜା କାଟୁଛନ୍ତି। ଏହା ପୂର୍ବରୁ ସୋମବାର ଇସ୍ରାଏଲ ତିନି ମହିଳା ବନ୍ଧକଙ୍କୁ ବଦଳରେ ୯୦ ପାଲେଷ୍ଟାନୀୟ କଏଦୀଙ୍କୁ ମୁକ୍ତ କରିଥିଲା।