ନୂଆଦିଲ୍ଲୀ,୧୧/୦୨: ଆମେରିକୀୟ ଦେଶ ଗ୍ଵାଟେମାଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍ । ଫଳରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଏକାଧିକ ଲୋକ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରଯାଇଛି । ତେବେ ଏହି ଦୁର୍ଘଟଣା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି।
ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଏହି ଦୁର୍ଘଟଣା ବହୁ ଯାନବାହନ ଧକ୍କା ଯୋଗୁଁ ଘଟିଛି । ଅର୍ଥାତ୍ ଅନେକ ଯାନ ଏକାଠି ଧକ୍କା ହୋଇଥିଲା। ଯାହା ଯୋଗୁଁ ଏହି ସମ୍ପୂର୍ଣ୍ଣ ଦୁର୍ଘଟଣା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବସ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଅନେକ ଗାଡ଼ି ସହିତ ଧକ୍କା ହୋଇଥିଲା । ଏହାପରେ ଶେଷରେ ଖାଇରେ ପଡ଼ିଯାଇଥିଲା। ବସଟି ଯେଉଁ ଖାଲରେ ପଡ଼ିଥିଲା ତାହାର ଗଭୀରତା ପ୍ରାୟ ୬୫ ଫୁଟ। ଦେଶର ସୂଚନା ମନ୍ତ୍ରୀ ମିଗୁଏଲ ଆଞ୍ଜେଲ ଡିଆଜ୍ କହିଛନ୍ତି ଯେ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବସ୍ ଟି ୩୦ ବର୍ଷ ପୁରୁଣା କିନ୍ତୁ ଏପର୍ଯ୍ୟନ୍ତ ଏହାର ଚଲାଇବା ପାଇଁ ଲାଇସେନ୍ସ ଥିଲା। ତେବେ ବର୍ତ୍ତମାନ ଯାଏ ୫୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୩୬ ଜଣ ପୁରୁଷ ଓ ୧୫ ଜଣ ମହିଳା ସାମିଲ ଅଛନ୍ତି । ସେପଟେ ସମସ୍ତ ଆହକଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜଧାନୀ ନିକଟରେ ହୋଇଥିବା ଏହି ଦୁର୍ଘଟଣା ସମଗ୍ର ଦେଶକୁ ବିଚଳିତ କରିଦେଇଛି। ଅନେକ ପିଲା ଏବଂ ବୃଦ୍ଧ ପ୍ରାଣ ହରାଇଛନ୍ତି। ଘଟଣା ପରେ, ରାଷ୍ଟ୍ରପତି ବର୍ନାର୍ଡୋ ଆରେଭାଲୋ ମୃତକଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ଦିନିକିଆ ଜାତୀୟ ଶୋକ ମଧ୍ୟ ଘୋଷଣା କରାଯାଇଛି। ସେ କହିଛନ୍ତି ଯେ ସରକାର ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ କାର୍ଯ୍ୟ କରିବ।