ଓ୍ବାଶିଂଟନ ଡିସି: ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ୍ ଏବଂ ବଡ଼ ଟେକ୍ କମ୍ପାନି ଗୁଗଲ ପୁଣି ଛଟେଇ କରିଛି । ଏଥର କମ୍ପାନି ନିଜର କୋର୍ ଟିମରୁ ୨୦୦ କର୍ମଚାରୀଙ୍କୁ ବିଦା କରିଛି । ପ୍ରଥମ ତ୍ରୈମାସିକ ରିପୋର୍ଟ ଆସିବା ପୂର୍ବରୁ ଗୁଗଲ ଏହି ଛଟେଇ କରିବା ଜଣାପଡ଼ିଛି । ଏପ୍ରିଲ ୨୫ରେ କମ୍ପାନି Q1ରେ ପ୍ରଚୁର ଲାଭ ନେଇ ସୂଚନା ଦେଇଥିବା ବେଳେ ଠିକ୍ ଏହା ପୂର୍ବରୁ କର୍ମଚାରୀଙ୍କୁ ଛଟେଇ କରିଛି ।
ଆଲ୍ଫାବେଟ୍ ଇଙ୍କର ସହାୟକ କମ୍ପାନି ଗୁଗଲ୍ରେ ଛଟେଇ ପର୍ବ ଜାରି ରହିଛି । ନିକଟ ଅତରେ କମ୍ପାନି ନିଜର ପୂରା ପାଇଥନ ଟିମ୍କୁ ବାହାର କରିଦେଇଥିଲା । ଆଉ ଏବେ କୋର ଟିମ୍ରୁ ୨୦୦ କର୍ମଚାରୀଙ୍କୁ ବିଦା କରିଛି । ସେପଟେ ଯେଉଁ କର୍ମାଚାରୀଙ୍କୁ କମ୍ପାନି ବିଦା କରିଛି ସେମାନଙ୍କ ମଧ୍ୟରୁ କେତେକଙ୍କୁ ଭାରତ ଏବଂ ମେକ୍ସିକୋରେ ଚାକିରି ଦେଇପାରେ ବୋଲି କୁହାଯାଉଛି । କୋର୍ ଟିମ୍ରୁ ପ୍ରାୟ ୨୦୦ କର୍ମଚାରୀଙ୍କୁ କମ୍ପାନି ବିଦା କରିଥିବା ବେଳେ କାର୍ଲିଫର୍ଣ୍ଣିଆରୁ ୫୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯାଇଛି । ତେବେ କମ୍ପାନିର ଡେଭଲପର ଇକୋସିଷ୍ଟମ୍ର ଉପାଧ୍ୟକ୍ଷ ଆସିମ ହୁସୈନ ଇମେଲ୍ ମାଧ୍ୟମରେ କର୍ମଚାରୀଙ୍କୁ ଛଟେଇ ସଂପର୍କରେ ସୂଚନା ଦେଇଛନ୍ତି ।
ଯେଉଁ କୋର୍ ଟିମ୍ର କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେମାନେ, ଗୁଗଲର ଡିଜାଇନ୍, ଡେଭେଲପର ପ୍ଲାଟଫର୍ମ ଆଦିରେ କାର୍ଯ୍ୟ କରୁଥିଲେ । କେବଳ ସେତିକି ନୁହେଁ ଗୁଗଲ୍ ଚଳିତ ବର୍ଷ ୬,୦୨୦ ଜଣ କର୍ମଚାରୀଙ୍କୁ ବାହାର କରିବାକୁ ଯୋଜନା କରିଛି । ସେପଟେ ଚାହିଦା କମୁଥିବାରୁ ଟେସଲା ମଧ୍ୟ ନୂଆ ରଣନୀତି ଆପଣାଇବା ସହ ଛଟେଇ କରୁଛି । ଫଳରେ ଟେକ୍ସାସ୍ ଏବଂ କାଲିଫର୍ଣ୍ଣିଆରେ କାମ କରୁଥିବା କର୍ମଚାରୀଙ୍କ ଚାକିରି ଏବେ ବିପଦରେ ରହିଛି ।