ଭୁବନେଶ୍ୱର,୦୭/୧୨: ବହୁଳ ଲୋକପ୍ରିୟ ୱେବ୍ସିରିଜ୍ ତଥା ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ର ବହୁ ପ୍ରତୀକ୍ଷିତ ସିକ୍ୱେଲ୍ ‘ଗ୍ୟାଙ୍ଗସ୍ ଅଫ୍ ପୁରୀର ସିଜିନ୍-୨’ ଆସୁଛି । ଯାହାର ମହୁରତ୍ ଶୁକ୍ରବାର ସିଆର୍ପି ଛକ ସ୍ଥିତ ସଙ୍କଟମୋଚନ ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଆଜିକା ସମୟର ଚର୍ଚ୍ଚିତ ପ୍ରଯୋଜନା ସଂସ୍ଥା ଟେକ୍ନୋଆର୍ଟ ପ୍ରଡକ୍ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଏହାର ନିର୍ମାଣ ହେଉଥିବା ବେଳେ କଞ୍ଚା ଲଙ୍କା ଓଟିଟିରେ ପ୍ରିମିୟର୍ ହେବ ବୋଲି ସୂଚନା ମିଳିଛି । ଜାତୀୟ ପୁରସ୍କାରପ୍ରାପ୍ତ ପ୍ରତିଭାବାନ ନିର୍ମାତା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହାର ନିର୍ମାଣ ହେଉଛି ।
ପ୍ରଥମ ସିଜିନ୍ ଠାରୁ ଏହା ଆହୁରି ରୋମାଞ୍ଚକର ହେବ । ପ୍ରଥମ ସିଜିନ୍ ଏହାର ବାସ୍ତବବାଦୀ କାହାଣୀ, ଚମତ୍କାର ଅଭିନୟ ଏବଂ ଚିତ୍ତାକର୍ଷକ ଚିତ୍ରଗ୍ରହଣ ସାଙ୍ଗକୁ ପୁରୀର ଜଟିଳ ସାମାଜିକ-ରାଜନୈତିକ ଦୃଶ୍ୟପଟ୍ଟର ପ୍ରାମାଣିକ ଚିତ୍ରଣ ପାଇଁ ଏହା ଦର୍ଶକ ଓ ସମାଲୋଚକଙ୍କ ପ୍ରଶଂସା ସାଉଁଟିଥିଲା । ରଙ୍ଗୀନ ଦୁନିଆରେ ହଇଚଇ ସୃଷ୍ଟି ସହ ବେଶ୍ ଚର୍ଚ୍ଚାରେ ରହିଥିଲା ଏବଂ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲା । ଏବେ ସିଜିନ୍-୨ରେ ସେମିତି କିଛି ଘଟିବ । ୱେବ୍ସିରିଜ୍କୁ ସମସ୍ତ ଦିଗରୁ ବଳିଷ୍ଠ କରିବାକୁ ଚେଷ୍ଟା କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହାର ସୁଟିଂ ୧୧ ଡିସେମ୍ବର ୨୦୨୪ରୁ ଆରମ୍ଭ ହେବ । ଆସନ୍ତା ବର୍ଷ ୨୦୨୫, ମାର୍ଚ୍ଚ ମାସ ସୁଦ୍ଧା ଓଟିଟିରେ ଷ୍ଟ୍ରିମିଂ ହେବ ବୋଲି ଟେକ୍ନୋଆର୍ଟ ପ୍ରଡକ୍ସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶିକା ବର୍ଷା ପଟ୍ଟନାୟକ କହିଛନ୍ତି ।
ବଡ଼ କଥା ହେଲା କି, ପ୍ରଥମ ସିଜିନ୍ରେ ଅଭିନୟ କରିଥିବା କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ରବି ନାରାୟଣ ମିଶ୍ର, କେକେ, ଅମନ, ହର ରଥ, ଭକ୍ତିଙ୍କ ସହ ସିଜିନ୍-୨ ପାଇଁ ଯୋଡ଼ି ହେଇଛନ୍ତି ଦୀପନ୍ୱିତ ଦାଶ ମହାପାତ୍ର, ନିଶାନ୍ତ ମାଜିଥିଆ, ସୋମା ହୋତା, ପ୍ରିୟମ୍ବଦା ଓ ମନ୍ମୟ ଦେ ।
ମହୁରତ୍ ଅବସରରେ ପ୍ରଥମ ସିଜିନ୍ର ସଫଳତା ଉପରେ ଆଲୋକପାତ କରି ପ୍ରଯୋଜକ ଅକ୍ଷୟ କୁମାର ପରିଜା କହିଥିଲେ, "ଗ୍ୟାଙ୍ଗସ୍ ଅଫ୍ ପୁରୀ’ ଓଡ଼ିଆ ଡିଜିଟାଲ୍ କାହାଣୀ ବା ୱେବ୍ସିରିଜ୍ କ୍ଷେତ୍ରରେ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଆଶା, ସିଜିନ୍-୨ ଆହୁରି ଅଧିକ ଭଲ ହେବ । ଡ୍ରାମା ଓ ଷ୍ଟାର୍ ପର୍ଫର୍ମାନ୍ସ ସହ ଓଡ଼ିଆ ଗଳ୍ପକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବ । ୱେବ୍ସିରିଜ୍ ପ୍ରେମୀଙ୍କୁ କିଛି ନୂଆ ଭେଟି ଦେବ । ଦର୍ଶକ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ପାଇବେ ।