ନୂଆଦିଲ୍ଲୀ: ଆସୁଛି ହନୁମାନ ଜୟନ୍ତୀ । ଧାର୍ମିକ ବିଶ୍ୱାସ ଅନୁସାରେ, ବଜରଙ୍ଗବଲୀ ଚୈତ୍ର ମାସର ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲେ। ତେଣୁ ପ୍ରତିବର୍ଷ ଏହି ଦିନ ହନୁମାନ ଜନ୍ମୋତ୍ସବ ମହା ଆଡମ୍ବରରେ ପାଳନ କରାଯାଏ। ଏହି ଦିନ କେଶରୀ ନନ୍ଦନଙ୍କୁ ପୂଜା କରିବା ଦ୍ୱାରା ଭକ୍ତ ମାନଙ୍କର ସମସ୍ତ କଷ୍ଟ ଦୂର ହେବା ନେଇ ବିଶ୍ବାସ ରହିଛି । ତେବେ ହନୁମାନଜୀଙ୍କ ପୂଜାରେ ସିନ୍ଦୂରର ବହୁତ ମହତ୍ତ୍ୱ ରହିଛି। ଏବେ ଆସନ୍ତୁ ଜାଣିବା, ହନୁମାନଜୀଙ୍କୁ ସିନ୍ଦୁର ଅର୍ପଣ କରିବା ପଛରେ କ’ଣ ରହିଛି ବିଶ୍ୱାସ…
ଧାର୍ମିକ ବିଶ୍ୱାସ ଅନୁସାରେ, ଥରେ ମାତା ସୀତା ତାଙ୍କ ମଥାରେ ସିନ୍ଦୁର ଲଗାଉଥିଲେ। ସେହି ସମୟରେ ହନୁମାନ ଜୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମାତା ସୀତାଙ୍କୁ ସିନ୍ଦୁର ଲଗାଇବା ସମୟରେ ହନୁମାନ ଜୀ ବହୁତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ, ଆପଣ ଆପଣଙ୍କ କେଶରେ ସିନ୍ଦୁର କାହିଁକି ଲଗାଉଛନ୍ତି ? ଏହା ପରେ ମାତା ସୀତା ହସି ହସି କହିଥିଲେ ଯେ, ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ପାଏ। ସେଥିପାଇଁ ମୁଁ କୌଶଲ୍ୟା ନନ୍ଦନ ପ୍ରଭୁ ରାମଙ୍କ ଦୀର୍ଘ ଜୀବନ ଏବଂ ମଙ୍ଗଳ ପାଇଁ ଏହି ସିନ୍ଦୁର ଲଗାଉଛି।
ଆଉ ଯେତେବେଳେ ହନୁମାନ ଜୀ ଜାଣିପାରିଲେ ଯେ, ସିନ୍ଦୁର ଲଗାଇବା ଦ୍ୱାରା ଭଗବାନ ରାମଙ୍କ ଆୟୁ ବୃଦ୍ଧି ପାଇବ, ସେତେବେଳେ ସେ ତାଙ୍କ ସମଗ୍ର ଶରୀରରେ ସିନ୍ଦୁର ମଧ୍ୟ ଲଗାଇବା ଆରମ୍ଭ କଲେ । ଯେତେବେଳେ ଭଗବାନ ରାମ ଦେଖିଲେ ଯେ ବଜରଙ୍ଗବଲୀ ସମ୍ପୂର୍ଣ୍ଣ ସିନ୍ଦୁରରେ ରଙ୍ଗୀନ, ସେ ହନୁମାନଙ୍କୁ ପଚାରିଲେ, ତୁମେ ଏହି ସିନ୍ଦୁର ସାରା ଶରୀରରେ କାହିଁକି ଲଗାଇଛ ? ତା’ପରେ ବଜରଙ୍ଗବଲୀ କହିଲେ ହେ ପ୍ରଭୁ, ମାତା ସୀତା ଆପଣଙ୍କର ଦୀର୍ଘ ଜୀବନ ପାଇଁ ତାଙ୍କ ମଥାରେ ସିନ୍ଦୁର ଲଗାଇଛନ୍ତି। ମୁଁ ମଧ୍ୟ ଚାହୁଁଛି ଯେ ଆପଣ ଦୀର୍ଘ ଜୀବନ ବଞ୍ଚନ୍ତୁ, ତେଣୁ ମୁଁ ମୋ ଶରୀରରେ ସିନ୍ଦୁର ଲଗାଇଛି।
ହନୁମାନ ଜୀଙ୍କ ଭକ୍ତି ଏବଂ ସମର୍ପଣ ଦେଖି ପ୍ରଭୁ ଶ୍ରୀରାମ ତାଙ୍କ ଉପରେ ବହୁତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ । ଭଗବାନ ରାମ କହିଥିଲେ ଯେ ଯେଉଁ ଭକ୍ତ ତୁମକୁ ସିନ୍ଦୁର ଅର୍ପଣ କରିବେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହେବ ଏବଂ ସେ ମୋର ଆଶୀର୍ବାଦ ମଧ୍ୟ ପାଇବେ। କୁହାଯାଏ ଯେ ସେହି ସମୟଠାରୁ ହନୁମାନଜୀଙ୍କ ଶରୀରରେ ସିନ୍ଦୁର ଲଗାଯିବା ଆରମ୍ଭ ହୋଇଥିଲା। ହନୁମାନଜୀଙ୍କୁ ସିନ୍ଦୁର ଅର୍ପଣ କରୁଥିବା ଯେକୌଣସି ଭକ୍ତଙ୍କୁ ବଜରଙ୍ଗବଲୀଙ୍କ ସହିତ ପ୍ରଭୁ ରାମଙ୍କ ଆଶୀର୍ବାଦ ମିଳିଥାଏ।