ଭୁବନେଶ୍ୱର, ୦୬/୦୫ : ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପକ୍ଷରୁ ଗତ ୨୭ ତାରିଖରେ ହୋଇଥିବା ଅବକାରୀ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ବାତିଲ୍‌ ହୋଇଛି । ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଓଏସ୍‌ଏସ୍‌ସି ପକ୍ଷରୁ ପରୀକ୍ଷା ବାତିଲ କରାଯାଇଛି । ଏହି ପରୀକ୍ଷା ଆସନ୍ତା ଜୁଲାଇ ୬ ତାରିଖରେ ପୁଣି ଥରେ ହେବ ବୋଲି ଓଏସ୍‌ଏସ୍‌ସି ପକ୍ଷରୁ କୁହାଯାଇଛି । 

ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରେ ଅବକାରୀ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ହୋଇଥିଲା । ଏଥିରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଥିବା ପିଲାମାନେ ଅଭିଯୋଗ କରିଥିଲେ । ଏହି ତ୍ରୁଟିକୁ ଓଏସ୍‌ଏସ୍‌ସି ମଧ୍ୟ ସ୍ୱୀକାର କରିଥିଲା । ତ୍ରୁଟି ସୁଧାର କରିବା ନେଇ ବିକଳ୍ପ ପଦକ୍ଷେପ ନେବା ପାଇଁ ମତାମତ ଦେବାକୁ ଆହ୍ୱାନ କରାଯାଇଥିଲା । ବହୁ ପରୀକ୍ଷାର୍ଥୀ ପରୀକ୍ଷା ବାତିଲ କରି ନୂଆ ପରୀକ୍ଷା କରିବାକୁ ଦାବି କରିଥିବା ନେଇ ଓଏସ୍‌ଏସ୍‌ସି ଦର୍ଶାଇଛି । ଏହି ଆଧାରରେ ପରୀକ୍ଷା ବାତିଲ କରି ଆସନ୍ତା ଜୁଲାଇ ୬ ତାରିଖରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ପରୀକ୍ଷାରେ ଓଡ଼ିଆ ଓ ଇଂରାଜୀ ବିଷୟରୁ ୩୫ଟି ଲେଖାଏଁ, ସାଧାରଣ ଜ୍ଞାନରୁ ୫୦ ଏବଂ ଗଣିତ, ରିଜୋନିଂ, କମ୍ପ୍ୟୁଟର ବିଷୟରୁ ୧୦ ନମ୍ବର ଲେଖାଏଁ ପ୍ରଶ୍ନ ଆସିବାର ଥିଲା । ଏପରିକି ପୂର୍ବ ପରୀକ୍ଷାରେ ଏହି ଢାଞ୍ଚାରେ ପ୍ରଶ୍ନ ଆସିଥିଲା । ହେଲେ ଚଳିତବର୍ଷ ପରୀକ୍ଷାରେ କମ୍ପ୍ୟୁଟର, କରେଣ୍ଟ ଆଫେୟାର୍ସ, ଗଣିତ, ରିଜୋନିଂ ଓ ଡିଆଇ ବିଷୟରୁ ୩୦ଟି ଲେଖାଏଁ ପ୍ରଶ୍ନ ଆସିଥିଲା । 

ଓଡ଼ିଆ, ଇଂରାଜୀ ଓ ସାଧାରଣ ଅଧ୍ୟୟନ ବିଷୟରୁ ଗୋଟିଏ ହେଲେ ପ୍ରଶ୍ନ ଆସି ନଥିବା ବେଳେ ଡିଆଇରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଥିଲା । ଏପରି ତ୍ରୁଟି ପାଇଁ ପରୀକ୍ଷାକୁ ବାତିଲ କରି ଦୁଇ ମାସ ପରେ କରିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ପରୀକ୍ଷାର୍ଥୀଙ୍କ ଅଭିଯୋଗ, ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି।