ଭୁବନେଶ୍ଵର, ୦୮/୦୨ : କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ୍ ସୋସାଇଟି ଉପରେ ଇଓଡବ୍ଲୁର ବଡ଼ ଧରଣର ରେଡ୍। କୋଟି କୋଟି ଟଙ୍କାର ହେରଫେର ନେଇ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ କେନ୍ଦୁଝରରୁ ଗତକାଲି ରାତିରେ ଉଠାଇ ନେଇଥିଲା ଇଓଡବ୍ଲୁ। ଆଜି ତାଙ୍କୁ ଗିରଫ କରି ବାଲେଶ୍ଵର କୋର୍ଟ ଚାଲଣ କରାଯାଇଛି।
ସୂଚନା ଅନୁସାରେ, ଜାଲ ଦସ୍ତାବିଜ ଦେଇ ଏହି ସୋସାଇଟିରୁ ୪୦ ରୁ ୫୦ କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ବିଶ୍ଵନାଥ ରାଉଳ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହା ପରେ ଇଓଡବ୍ଲ୍ୟୁ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସଂସ୍ଥା ଶୁଆକାଟି ଖଣି ପ୍ରଭାବିତ ଲୋକଙ୍କର ସୁବିଧା ପାଇଁ ୨୦୦୬ ମସିହାରେ ଗଠନ କରାଯାଇଥିଲା। ହେଲେ ଏହାର କିଛି ଅସାଧୁ କର୍ମକର୍ତ୍ତା ଜାଲି ଦସ୍ତାବିଜ ମଧ୍ୟମରେ ବିଭିନ୍ନ କାର୍ଯ୍ୟ ଓ ସଙ୍ଗଠନ ନାଁରେ ବିନା ଟେଣ୍ଡର ଓ ଇଉଟିଲାଇଜେସନ ସାର୍ଟିଫିକେଟ ବିନା କୋଟି କୋଟି ଟଙ୍କା ହଡ଼ପ କରୁଥିଲେ। ଏପରିକ କୌଣସି ଦେୟ ବା ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଦସ୍ତାବିଜ ଯଥା କ୍ୟାସ ବହି, ଲେଜର ବହି ଆଦି ନାହିଁ। ଏପରିକି କୋଟି କୋଟି ଟଙ୍କା ବିନା ଚେକ୍ କିମ୍ଵା ଏଫଟି ଆଦିରେ ନଦେଇ ସିଧା ସଳଖ ଟଙ୍କା ଆକାରରେ ଦିଆଯାଉଥିଲା। ତଦନ୍ତ ସମୟରେ ଏଭଳି ତଥ୍ୟ ଖୁଲାସା ହୋଇଛି। ଯାହାକି ଇଓଡବ୍ଲୁକୁ ଆଶ୍ଚର୍ଯ୍ୟ କରିଛି। ଏହି ଅନିୟମିତତା ନେଇ ସଭାପତି କିମ୍ବା ସମ୍ପାଦକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାଁନ୍ତି। ତେଣୁ ଇଓଡବ୍ଲୁ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହ ସଂସ୍ଥାର ଅନେକ ଦସ୍ତାବିଜ ଜବତ କରିଛି।