ନୂଆଦିଲ୍ଲୀ,୨୭/୦୨: ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ, ଡୋନାଲ୍ଡ ଟ୍ରମ୍ପ ଦେଶରୁ ଅବୈଧ ଭାବେ ରହୁଥିବା ପ୍ରବାସୀମାନଙ୍କୁ ବାହାର କରିବା ଆରମ୍ଭ କରିଥିଲେ। ସେ ଦେଶରେ କ୍ଷମତା ଗ୍ରହଣ କରିବା ପରଠାରୁ, ଭେନେଜୁଏଲା, ଭାରତ, ବ୍ରାଜିଲ, ମେକ୍ସିକୋ ସମେତ ଅନେକ ଦେଶରୁ ଆସି ଆମେରିକାରେ ରହୁଥିବା ହଜାର ହଜାର ଲୋକଙ୍କୁ ସାମରିକ ଜାହାଜରେ ନିର୍ବାସିତ କରିଛନ୍ତି।। କିନ୍ତୁ ଏବେ ପୁଣି ଟ୍ରମ୍ପ ଯେଉଁ ନୂଆ ନିୟମ ଆଣିବାକୁ ଯାଊଛନ୍ତି, ତାହା ଆହୁରି କଠୋର ହେବ। କୁହାଯାଉଛି ଯେ ଟ୍ରମ୍ପ ଏକ ୨୨୭ ବର୍ଷ ପୁରୁଣା ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ପ୍ରତ୍ୟେକ ଅଣ-ଆମେରିକୀୟଙ୍କୁ ବହିଷ୍କାର କରିବ। ଯଦି ରାଷ୍ଟ୍ରପତି ଟ୍ରମ୍ପ ଏହି ଆଇନ ଲାଗୁ କରନ୍ତି, ତେବେ ଆମେରିକା ସମେତ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହେବ। ତେବେ ଆସନ୍ତୁ ଜାଣିବା ୧୭୯୮ ମସିହାର ଏଲିୟନ ଏନିମିଜ୍ ଆକ୍ଟ କ'ଣ?
ସିଏନଏନ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ୧୭୯୮ ମସିହାରେ ତିଆରି ହୋଇଥିବା ଏହି ଆଇନକୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। ଏହି ଆଇନ ଆମେରିକାର ରାଷ୍ଟ୍ରପତିଙ୍କୁ ଯୁଦ୍ଧକାଳୀନ କ୍ଷମତା ପ୍ରଦାନ କରିଥାଏ। ଏହା ଅନୁଯାୟୀ, ରାଷ୍ଟ୍ରପତି ଜାତୀୟ ସ୍ୱାର୍ଥ ନାଁରେ ଯେକୌଣସି ଅଣ-ଆମେରିକୀୟ ନାଗରିକଙ୍କୁ ଦେଶରୁ ବହିଷ୍କାର କରିପାରିବେ। ଯଦିଓ ଏହି ଆଇନ ଯୁଦ୍ଧ ସମୟ ପାଇଁ ପ୍ରସ୍ତୁତ ହୋଇଥିଲା, ତେବେ ଏବେ ଡୋନାଲ୍ଡ ଟ୍ରମ୍ପ ଏହାକୁ ସାଧାରଣ ପରିସ୍ଥିତିରେ ମଧ୍ୟ ଲାଗୁ କରିବାକୁ ଚାହୁଁଛନ୍ତି।
୨୨୭ ବର୍ଷ ପୁରୁଣା ଆଇନରେ କ'ଣ ଲେଖା ଅଛି? .
ଆମେରିକାର ଏହି ୨୨୭ ବର୍ଷ ପୁରୁଣା ଆଇନରେ କୁହାଯାଇଛି ଯେ ଯେତେବେଳେ ଆମେରିକା ଏବଂ ଅନ୍ୟ କୌଣସି ଦେଶ ମଧ୍ୟରେ ଯୁଦ୍ଧ ହୁଏ, ସେତେବେଳେ ରାଷ୍ଟ୍ରପତିଙ୍କ ପାଖରେ ଅଣ-ଆମେରିକୀୟ ବଂଶୋଦ୍ଭବ ଲୋକଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାର କ୍ଷମତା ରହିବ। ସେ ବିଶେଷକରି ୧୪ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଲୋକଙ୍କ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ଏବଂ ସେମାନଙ୍କୁ ଦେଶରୁ ବାହାର ମଧ୍ୟ କରିପାରିବ। ଏହି ଆଇନ ଅନୁଯାୟୀ ବହିଷ୍କୃତ ଲୋକଙ୍କୁ 'ଏଲିୟନ ଏନେମିଜ୍ ବା ପରଦେଶୀ ଶତୃ' ଭାବେ ଘୋଷଣା କରାଯାଇପାରିବ।
ସାଧାରଣ ପରିସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ଏହି ଅଷ୍ଟାଦଶ ଶତାବ୍ଦୀର ଆଇନକୁ କାର୍ଯ୍ୟକାରୀ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଆମେରିକାରେ ଏହାକୁ ନେଇ ବହୁତ ଆଲୋଚନା ହେଉଛି। ତଥାପି, ଆଇନ ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ଆମେରିକା କୌଣସି ଦେଶ ଦ୍ୱାରା ଆକ୍ରମଣ ହୋଇନାହିଁ, ସେତେବେଳେ ଟ୍ରମ୍ପଙ୍କ ପାଇଁ ଏହି ଆଇନ କାର୍ଯ୍ୟକାରୀ କରିବା କଷ୍ଟକର ହେବ। ଟ୍ରମ୍ପ ପ୍ରଶାସନ ଗ୍ୟାଙ୍ଗ କିମ୍ବା ଅନ୍ୟ ଶତୃଙ୍କ ପକ୍ଷରୁ ଧମକକୁ ନେଇ ଯେତେ ବାହାନା କଲେ ମଧ୍ୟ ଏହାକୁ ଗ୍ରହଣ କରାଯିବା କଷ୍ଟକର ହେବ। ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ରେ ଡୋନାଲ୍ଡ ଟ୍ରମ୍ପ ଅନେକ ଥର କହିଥିଲେ ଯେ କ୍ଷମତାକୁ ଆସିବା ପରେ ସେ ଦେଶରୁ ଅବୈଧ ପ୍ରବାସୀମାନଙ୍କୁ ବାହାର କରିଦେବେ। ଏହା ବ୍ୟତୀତ, ସେ 'ଏଲିଏନ୍ ଏନେମିଜ୍' ଆଇନ କାର୍ଯ୍ୟକାରୀ କରିବାର ମଧ୍ୟ ଘୋଷଣା କରିଥିଲେ।