ନୂଆଦିଲ୍ଲୀ ୩୦/୦୭: ମାର୍ଭଲ ସିନେମାଟିକ୍ ୟୁନିଭର୍ସର ସଦ୍ୟ ମୁକ୍ତିପ୍ରାପ୍ତ ହଲିଉଡ୍ ଫିଲ୍ମ ‘ଡେଡ୍ପୁଲ ଆଣ୍ଡ ଉଲ୍ଭରିନ୍’ ପ୍ରଥମ ସପ୍ତାହାନ୍ତରେ ବିଶ୍ୱସ୍ତରରେ ୩୬୫୦ କୋଟି ବ୍ୟବସାୟ କରିଛି । ଏଥିସହିତ ୨୦୨୪ରେ ପ୍ରଥମ ସପ୍ତାହାନ୍ତରେ ସର୍ବାଧିକ ଆୟ କରିଥିବା ହଲିଉଡ୍ ଫିଲ୍ମ ହୋଇଛି । ଭାରତରେ ଫିଲ୍ମଟି ୩ ଦିନରେ ୬୮.୭୬ କୋଟି ବ୍ୟବସାୟ କରିଛି । ଭାରତରେ ମୁକ୍ତିପ୍ରାପ୍ତ ଏହାର ପୂର୍ବ ଦୁଇଟି ସଂସ୍କରଣ ‘ଡେଡ୍ପୁଲ-୧’ (୪୦.୯୭ କୋଟି) ଏବଂ ‘ଡେଡ୍ପୁଲ-୨’ (୬୯.୯୪ କୋଟି)ର ମୋଟ୍ କଲେକ୍ସନ୍ରୁ ଏହା ଅଧିକ ।
‘ଡେଡ୍ପୁଲ-୩’ କେବଳ ଆମେରିକାରେ ୧୭୧୫ କୋଟିର ବ୍ୟବସାୟ କରିଛି । ଚୀନ୍ରେ ପ୍ରଥମ ସପ୍ତାହ ଶେଷରେ ଏହା ୨୦୦ କୋଟି ୯୨ ଲକ୍ଷ, ବ୍ରିଟେନରେ ୧୮୫.୦୨ କୋଟି ଓ ମେକ୍ସିକୋରେ ୧୫୬ କୋଟି ୫୫ ଲକ୍ଷ ଟଙ୍କା ଆୟ କରିଛି । ଏହା ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ସର୍ବାଧିକ ଆୟ କରିଥିବା ଆର-ରେଟେଡ୍ ଫିଲ୍ମ ହୋଇଛି । ମାର୍ଭଲ ୟୁନିଭର୍ସର ୩୪ତମ ଫିଲ୍ମ ‘ଡେଡ୍ପୁଲ ଆଣ୍ଡ ଉଲ୍ଭରିନ୍’ ଗତ ୨୬ ତାରିଖରେ ଭାରତରେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁରେ ମୁକ୍ତିଲାଭ କରିଥିଲା ।