ପୁରୀ,୨୭।୩: ଜିଲ୍ଲାରେ ଅପରାଧ ଉଦ୍ବେଗଜନକ ସ୍ଥିତିରେ ରହିଛି । ଏହାର ଗୁମର ଖୋଲିଛି ଗତ ୮ ମାସର ସରକାରୀ ତଥ୍ୟ । ସୂଚନା ମୁତାବକ ଜିଲ୍ଲାରେ ଗତବର୍ଷ ଜୁନ୍ ପହିଲାରୁ ଚଳିତ ବର୍ଷ ଫେବ୍ରୁଆରୀ ଶେଷ ଭିତରେ ୩୧ଟି ହତ୍ୟା ମାମଲା ହୋଇଛି । ଏହାଛଡ଼ା ୪୬ ଦୁଷ୍କର୍ମ, ୧୧ ଯୌତୁକ ଜନିତ ହତ୍ୟା, ୧୪୧ ଯୌତୁକ ନିର୍ଯାତନା, ୮୪ ଅଣଯୌତୁକ ନିର୍ଯାତନା ମାମଲା ହୋଇଛି । ସେହିପରି ୨୧ଟି ନାବାଳିକା ଦୁଷ୍କର୍ମ ମାମଲା ମଧ୍ୟ ହୋଇଛି । ଗତ ୫ ବର୍ଷରେ ୨୦୨୨ରେ ୩ ଜଣ ଓ ୨୦୨୩ରେ ଜଣେ ପେଷାଦାର ଅପରାଧୀଙ୍କ ବିରୋଧର ନ୍ୟାସନାଲ ସିକ୍ୟୁରିଟି ଆକ୍ଟ(ଏନ୍ଏସ୍ଏ) ବା ଜାତୀୟ ସୁରକ୍ଷା ଆଇନ ଲଗାଯାଇଛି ।
ପୁରୀ ଜିଲ୍ଲାରେ ଆଇନଶୃଙ୍ଖଳା ବିଗିଡ଼ିବାକୁ ବସିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପ୍ରଶାସନ ନିମନ୍ତେ ଚ୍ୟାଲେଞ୍ଜ ହୋଇଛି । ଅନ୍ୟପଟେ ଜିଲ୍ଲା କୋର୍ଟରେ ମାମଲା ରୁଜୁ ଓ ସମାଧାନ ସ୍ଥିତିକୁ ଦେଖିଲେ ଜାନୁଆରୀରେ ୭ ହଜାର ୩୭୪ଟି ଜମିଜମା ଓ ୩୫ ହଜାର ୭୯ଟି ଅପରାଧିକ ମାମଲାକୁ ମିଶାଇ ୪୨ ହଜାର ୪୫୩ଟି ମାମଲା ବିଚାର ନିମନ୍ତେ ଯାଇଥିଲା । ଯେତେବେଳେ କି ପୁରୁଣା ଓ ନୂଆ ମାମଲା ମଧ୍ୟରୁ ୬ ହଜାର ୮୨୦ ଜମିଜମା ଓ ୨୫ ହଜାର ୯୪୧ଟି ଅପରାଧିକ ମାମଲାକୁ ମିଶାଇ ମୋଟ ୩୨ ହଜାର ୭୬୧ଟି ମାମଲାର ସମାଧାନ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- ‘ସୁଭଦ୍ରା’ ଟଙ୍କା ନ ଦେବାରୁ ପଥରରେ ଛେଚି ସ୍ତ୍ରୀକୁ ମାରିଦେଲା ସ୍ୱାମୀ
ସେହିପରି ଫେବୃଆରୀରେ ୬ ହଜାର ୪୬ଟି ଜମିଜମା ଓ ୩୧ ହଜାର ୨୫୯ଟି ଅପରାଧ ମାମଲାକୁ ମିଶାଇ ମୋଟ ୩୭ ହାଜର ୨୫୯ ମାମଲା ବିଚାର ନିମନ୍ତେ ଯାଇଥିଲା । ସେଥିରୁ ପୁରୁଣା ଓ ନୂଆ ମାମଲା ମଧ୍ୟରୁ ୬ ହଜାର ୫୪୬ ଜମିଜମା ଓ ୨୩ ହଜାର ୬୪୮ ଅପରାଧିକ ମାମଲାକୁ ମିଶାଇ ୩୦ ହଜାର ୧୯୪ ମାମଲା ସମାଧାନ ହୋଇଥିଲା । ଫେବୃଆରୀରେ ଜମିଜମା ସମାଧାନ ପ୍ରତିଶତ ୧୦୮.୨୭ ଓ ଅପରାଧ ମାମଲା ସମାଧାନ ପ୍ରତିଶତ ୭୫.୬୫ ପ୍ରତିଶତ ରହିଥିଲା । ଅର୍ଥାତ୍ ରୁଜୁ ମାମଲା ତୁଳନାରେ ମୋଟ ସମାଧାନ ହାର ୮୦.୯୪ ପ୍ରତିଶତ ରହିଥିଲା । ଫେବୃଆରୀ ଶେଷ ପରେ କୋର୍ଟରେ ୩ ଲକ୍ଷ ୧୬ ହଜାର ୧୧୧ ଜମିଜମା ଓ ୧୬ ଲକ୍ଷ ୨୧ ହଜାର ୫୧୭ଟି ଅପରାଧିକ ମାମଲା ବିଚାର ନିମନ୍ତେ ରହିଥିଲା । ମାର୍ଚ୍ଚ ଶେଷ ପରେ ପୁଣି ମାମଲା ଓ ସମାଧାନର ପରିମାଣ ଜଣାପଡ଼ିବ । ପଡ଼ି ରହିଥିବା ମାମଲା ସହ ନୂଆ ମାମଲାକୁ ସମାଧାନ କରିବା ଚାପ କୋର୍ଟ ଉପରେ ପଡ଼ୁଛି । ଫଳରେ ବିଚାର ନିମନ୍ତେ କୋର୍ଟରେ ବହୁ ମାମଲା ପଡ଼ି ରହିଥିବା ଜଣାପଡ଼ିଛି ।