ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ବାୟୁର ମାନ ନିମ୍ନସ୍ତରକୁ ଖସିଯିବା ଫଳରେ ଗ୍ରାପ୍-୪ କଟକଣା ଲାଗୁ ହୋଇଛି । ଘନ କୁହୁଡ଼ି ସହିତ ବାୟୁରେ ପ୍ରଦୂଷିତ କଣିକାର ମାତ୍ରା ବୃଦ୍ଧି ପାଇଥିବା ଜଣାପଡ଼ିଛି । କେତେକ ସ୍ଥାନରେ ଗ୍ରାପ୍-୪ ଲାଗୁ ହୋଇଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଗ୍ରାପ୍-୩,୨,୧ କଟକଣା ଜାରି ରହିଛି । ଏହି କଟକଣା ଜାତୀୟ ସରକାରଙ୍କ ଦ୍ବାରା ପରିଚାଳିତ ସିଏକ୍ୟୁଏମ୍ ଲାଗୁ କରିଛି । ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଟପିଥିବା ବେଳେ ଏହାକୁ କମାଇବା ଲାଗି ପୁଣି ଥରେ କଠୋର କଟକଣା ଲାଗୁ କରାଯାଇଛି । ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇପଡ଼ିଥିବାରୁ ଗ୍ରାପ୍-୪ କଟକଣାର ଆବଶ୍ୟକତା ପଡ଼ିଛି ।
ଏହା ପୂର୍ବରୁ ଡିସେମ୍ବର ୨୪ରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମିବାରୁ ଗ୍ରାପ୍-୪ କଟକଣା ହଟାଇ ଦିଆଯାଇଥିଲା । ଏହି କଟକଣା ଦ୍ବାରା ଦିଲ୍ଲୀରେ ନିର୍ମାଣ ଗତିବିଧି ଉପରେ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲାଗିଥିଲା ଏବଂ ସହରକୁ ଜରୁରି ନଥିବା ଟ୍ରକଗୁଡ଼ିକର ପ୍ରବେଶ ନିଷେଧ ଥିଲା । ଏହି କଟକଣା ଉଠାଇ ଦିଆଯାଇ ଗ୍ରାପ୍ ୧,୨ ଓ ୩ କଟକଣା ଲାଗୁ ହୋଇଥିଲା । ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସ୍ତର ଠାରୁ ଦିଲ୍ଲୀର ଏକ୍ୟୁଆଇ ୩୬ ପଏଣ୍ଟ କମ୍ ଥିଲା, ତେଣୁ ଗ୍ରାପ୍-୪ କଟକଣା ହଟାଇ ଦିଆଯାଇଥିଲା ।
ପ୍ରତିବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତ ଋତୁରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇପଡ଼େ । ଧିମା ପବନ, ଗାଡ଼ିମୋଟରରୁ ନିର୍ଗତ ଧୂଆଁ ଏବଂ ନଡ଼ାପୋଡ଼ି ଲାଗି ରାଜଧାନୀର ବାୟୁ ପାଲିଟି ଯାଏ ଜହର ଏବଂ ଲୋକେ ହନ୍ତସନ୍ତ ହୁଅନ୍ତି । ଏହାକୁ ନଜରରେ ରଖି, ଦିଲ୍ଲୀ ସରକାର ବର୍ଷ ସାରା ବାଣ ଉପରେ ବ୍ୟାନ ଲଗାଇଛନ୍ତି । ସେପଟେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ଏବଂ ହରିୟାଣା ସରକାରଙ୍କୁ ବାଣ ବ୍ୟାନ୍ କରିବାକୁ ପରାମର୍ଶ ଦେଇଥିଲେ ।