ନୂଆଦିଲ୍ଲୀ, ୨୭।୨: ଆପଣ ଯଦି ଅବିବାହିତ ଅଛନ୍ତି, ଏହି କମ୍ପାନୀରେ ମିଳିବନି ଚାକିରି । ଏଭଳି ଏକ କମ୍ପାନୀ ଯେଉଁଠାରେ ଚାକିରି କରିବାକୁ ହେଲେ ଆପଣ ବିବାହିତ ହୋଇଥିବା ଦରକାର । ଯଦି ବିବାହ ବିଚ୍ଛେଦ ହୋଇଥାଏ, ତେବେ ପୁନଃବିବାହ କରିବାକୁ ହେବ । ଏହି କମ୍ପାନୀର କର୍ମଚାରୀଙ୍କ ଉପରେ ଲାଗିଛି ଏଭଳି ନିୟମ । ଏଥିପାଇଁ ନୋଟିସ୍ ପିରିୟଡ୍ ମଧ୍ୟ ରହିଛି । ଯଦି ଏହି ସମୟ ଭିତରେ ଆପଣ ବିବାହ ନ କରନ୍ତି, ତେବେ ଚାକିରିରୁ ବହିଷ୍କାର ହେବେ । ବିବାହ କରିବା ନିଷ୍ପତ୍ତି ଏକ ବ୍ୟକ୍ତିଗତ ବିଷୟ ହୋଇଥିବା ବେଳେ ଚୀନର ଏକ କମ୍ପାନୀ ତରଫରୁ କର୍ମଚାରୀଙ୍କୁ ଏଭଳି କିଛି ନୋଟିସ୍ ଜାରି କରାଯାଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଚୀନର ସାନଡୋଙ୍ଗ ପ୍ରଦେଶରେ ଥିବା ସଣ୍ଟିଆନ୍ କେମିକାଲ କମ୍ପାନୀ । ଏହି କମ୍ପାନୀ ତରଫରୁ ଅବିବାହିତ ଏବଂ ଛାଡ଼ପତ୍ର ହୋଇଥିବା କର୍ମଚାରୀଙ୍କ ପାଇଁ ଏକ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍ ପିରିୟଡ୍ରେ ସମସ୍ତ କର୍ମଚାରୀଙ୍କୁ ବିବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନୋଟିସ୍ ଅନୁସାରେ, ଆସନ୍ତା ସେପ୍ଟେମ୍ୱର ସୁଦ୍ଧା ବିବାହ କିମ୍ୱା ପୁନଃବିବାହ କରିବାକୁ କମ୍ପାନୀ ତରଫରୁ କର୍ମଚାରୀଙ୍କୁ ଚେତାବନୀ ଦିଆଯାଇଛି । ଏହି ନିୟମ ଅନୁସାରେ, ସମସ୍ତ କର୍ମଚାରୀଙ୍କ ଯାଞ୍ଚ ମଧ୍ୟ କରାଯିବ । କର୍ମଚାରୀମାନେ ବିବାହ କରିଛନ୍ତି କି ନାହିଁ ଜୁନ୍ରେ କମ୍ପାନୀ ତରଫରୁ ଏନେଇ ତର୍ଜମା କରାଯିବ । ଯେଉଁମାନେ ଜୁନ୍ ସୁଦ୍ଧା ବିବାହ କରିନଥିବେ, ସେମାନଙ୍କୁ ପୁନର୍ବାର ତାଗିଦ୍ କରାଯିବ । ଦ୍ୱିତୀୟ ଥର ପାଇଁ କର୍ମଚାରୀଙ୍କୁ ଦିଆଯିବ ଶେଷ ଚେତାବନୀ । ସେପ୍ଟେମ୍ୱର ସୁଦ୍ଧା ଯେଉଁମାନେ ବିବାହ କରିନଥିବେ ସେମାନଙ୍କୁ ଚାକିରିରୁ ବିଦା କରାଯିବ ବୋଲି ନୋଟିସ୍ରେ ଦର୍ଶାଯାଇଛି ।
କମ୍ପାନୀର ଏଭଳି ନିୟମ କରିବା ପଛରେ କାରଣ କ’ଣ ? ଜଣେ ବିବାହିତ କର୍ମଚାରୀ ପରିଶ୍ରମୀ, ଦୟାଳୁ, ବିଶ୍ୱସ୍ତ, ଆଜ୍ଞାକାରୀ ହୋଇଥାନ୍ତି । ଯାହା କମ୍ପାନୀକୁ ଅଗ୍ରଗତି ଆଡ଼କୁ ନେବ । ସେହିପରି ପାରିବାରିକ ମୂଲ୍ୟବୋଧ ବଜାୟ ରଖିବାକୁ ବିବାହ କରିବା ଅପରିହାର୍ଯ୍ୟ ବୋଲି କମ୍ପାନୀ ତରଫରୁ ଦର୍ଶାଯାଇଥିଲା । ତେଣୁ ଅବିବାହିତ କର୍ମଚାରୀଙ୍କୁ କମ୍ପାନୀ ଏପରି ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଏହି ଖବର ଗଣାମାଧ୍ୟମରେ ସାମନାକୁ ଆସିବା ପରେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଛି । ବିବାହ ଏକ ବ୍ୟକ୍ତିଗତ କଥା, ଏଥିପାଇଁ କୌଣସି କମ୍ପାନୀ କର୍ମଚାରୀଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି ଅନେକ ମତ ଦେଇଥିଲେ । ବିଭିନ୍ନ ମହଲରୁ ବିରୋଧ ହେବା ପରେ କମ୍ପାନୀ ତରଫରୁ ଏହି ନିର୍ଦ୍ଦେଶନାମାକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି ।