ନୂଆଦିଲ୍ଲୀ,୨୩/୦୩: ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍ଏସି)ରେ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସୁଧୁରିବା ନେଇ କୁହାଯାଉଥିବା ବେଳେ ସ୍ଥିତି କିନ୍ତୁ ଭିନ୍ନ ରହିଛି । ଚୀନ୍ ଏହାର ବିସ୍ତାରବାଦୀ ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ଛାଡ଼ିପାରି ନାହିଁ । ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ଦୁଇଟି ନୂଆ କାଉଣ୍ଟି ଗଠନ କରିଛି । ଏଥିରେ ଲଦାଖର କିଛି ଅଞ୍ଚଳକୁ ଏହା ସାମିଲ କରିଛି । ଚୀନ୍ର ଏହି ଚାଲ୍ବାଜିକୁ ଭାରତ ଜାଣିନେବା ପରେ କୂଟନୈତିକ ସ୍ତରରେ ଆପତ୍ତି ଉଠାଇଛି ।
ଲୋକସଭାରେ ଏକ ପ୍ରଶ୍ନକାଳରେ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଚୀନ୍ର ସଦ୍ୟ ଦୁଇଟି କାଉଣ୍ଟି ଗଠନ ନେଇ ଅବଗତ କରାଇଛନ୍ତି। ସେ କହିଛନ୍ତି, ଏଲ୍ଏସିରେ ଚୀନ୍ର ଏଭଳି ଅବୈଧ କବ୍ଜାକୁ ଭାରତ କୌଣସିମତେ ସ୍ୱୀକାର କରିନାହିଁ କିମ୍ବା ଭବିଷ୍ୟତରେ ବି କରିବ ନାହିଁ । ଏହାର ତୀବ୍ର ବିରୋଧ କରିବ ।
ମନ୍ତ୍ରୀ କହିଛନ୍ତି, ଚୀନ୍ର ନୂଆ କାଉଣ୍ଟି ନିର୍ମାଣ ହେବା ଦ୍ୱାରା ଉକ୍ତ ଅଞ୍ଚଳରେ ଭାରତର ଅଖଣ୍ଡତାକୁ ନେଇ ଦୀର୍ଘକାଳୀନ ତଥା ସୁସଙ୍ଗତ ସ୍ଥିତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଚୀନ୍ର ଏଭଳି କବ୍ଜାକୁ ବୈଧତା ମିଳିବ ନାହିଁ । ତଥାପି ଭାରତ ସରକାର କୂଟନୈତିକ ସ୍ତରରେ ଏ ନେଇ ଗମ୍ଭୀର ଅଭିଯୋଗ ଉଠାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଲୋକସଭାର ପ୍ରଶ୍ନ କାଳରେ ସରକାରଙ୍କୁ ଚୀନ୍ର ନୂଆ କାଉଣ୍ଟିକୁ ନେଇ ପ୍ରଶ୍ନ ହେବା ସହ ଏ ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି, ତାହା ନେଇ ପଚରା ଯାଇଥିଲା । ଚୀନ୍ର ହଟନ ପ୍ରଦେଶରେ ନୂଆ କାଉଣ୍ଟି ଗଠିତ ହୋଇଥିବା କଥା ଭାରତ ଜାଣିଥିବା ନେଇ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ।
ରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି, ସରକାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ବିକାଶ ଲାଗି ଭିତ୍ତିଭୂମି ଢାଞ୍ଚାର ସୁଧାର ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାଦ୍ୱାରା ଉକ୍ତ ଅଞ୍ଚଳର ଆର୍ଥିକ ବିକାଶ ହୋଇପାରିବ । ଏଥିସହ ଭାରତର ରଣନୀତିକ ତଥା ସୁରକ୍ଷା ଆବଶ୍ୟକତାଗୁଡ଼ିକୁ ପୂରଣ କରାଯାଇ ପାରିବ । ଭାରତର ସୁରକ୍ଷା ସହ ଜଡ଼ିତ ତମାମ ଘଟଣାକ୍ରମ ଉପରେ ସରକାର ଲଗାତର ନଜର ରଖିଛନ୍ତି । ଦେଶର ଅଖଣ୍ଡତା ଓ ଆଞ୍ଚଳିକ ସୁରକ୍ଷା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ।