ଭୁବନେଶ୍ୱର,୧୨/୦୪: ବିଧାୟକ ପଢ଼ିବେ ପାଠ । ଅଭିଜ୍ଞଙ୍କଠୁଁ ଶିଖିବେ ନବାଗତ ଓ ନବାଗତା । ନୂଆ ବିଧ୍ୟାୟକଙ୍କୁ କେମିତି ଚାଲେ ସରକାର, ତା’ର ତାଲିମ ଦେବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ପ୍ରଥମଥର ଲାଗି ଦଳର ନିର୍ବାଚିତ ସମସ୍ତ ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଓ ବିଧାୟକମାନେ ନେବେ ପ୍ରଶିକ୍ଷଣ ।
ଶୁକ୍ରବାରଠୁ ପୁରୀରେ ବିଜେପି ନେତାମାନେ ପହଞ୍ଚିଛନ୍ତି । ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡା. ସମ୍ବିତ୍ ପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ସାଂସଦ ଓ ବିଧାୟକମାନେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରୋଡସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛନ୍ତି । ରାତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଞ୍ଚିଛନ୍ତି ।
ଶନିବାର ସକାଳ ସାଢ଼େ ୯ଟାରେ ବୈଠକ ଆରମ୍ଭ ହେବ । ଏଥିରେ ସାଂସଦ ଓ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ରାଜ୍ୟବାସୀଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା କିପରି ଶତ ପ୍ରତିଶତ ପହଞ୍ଚିପାରିବ ସେନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବେ ।
ଅନ୍ୟପକ୍ଷରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ସୁସମ୍ପର୍କ, ଶୃଙ୍ଖଳିତ ଆଚରଣ, ସାଧାରଣ ଲୋକଙ୍କୁ ସୁବିଧାରେ ନ୍ୟାୟ ପ୍ରଦାନ ସଂପର୍କରେ ତାଲିମ ଦିଆଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏଥିରେ ଦଳ ଯେଭଳି ଓଡ଼ିଶାର ୩୦ଟି ଜିଲ୍ଲାପରିଷଦ ଓ ୩୧୪ ବ୍ଲକ୍ ଅଧ୍ୟକ୍ଷ ପଦକୁ ହାତେଇବ ସେ ସଂପର୍କିତ ଖସଡ଼ା ପ୍ରସ୍ତୁତ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିବ ।
୧୪ ତାରିଖ ସକାଳେ ଶ୍ରୀ ନଡ୍ଡା ଜିଲ୍ଲାର କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରଶିକ୍ଷଣ ଶିବିରରେ ୨୦ ଲୋକସଭା ସାଂସଦ, ୩ ରାଜ୍ୟସଭା ସାଂସଦ, ୮୧ ବିଧାୟକ ଯୋଗଦେବେ । କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍ପି ବିନୀତ ଅଗ୍ରୱାଲ ଘଟଣାସ୍ଥଳକୁ ଗ୍ରସ୍ତ କରି ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି।