ନୂଆଦିଲ୍ଲୀ,୨୯/୧୧: ବାଂଲାଦେଶରେ ଇସ୍କନର ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରଠୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ହିନ୍ଦୁମାନଙ୍କ ଉପରେ ଜାଣିଶୁଣି ଅତ୍ୟାଚାର କରାଯାଉତିବା ଦେଖିବାକୁ ମିଳିଛି । ଅନ୍ୟପଟେ ଭାରତ ମଧ୍ୟ ହିନ୍ଦୁ ସନ୍ନ୍ୟାସୀଙ୍କ ଗିରଫଦାରୀ ଏବଂ ଜାମିନ ନମିଳିବାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ସେଠାରେ ଥିବା ହିନ୍ଦୁ ଏବଂ ଅନ୍ୟ ଅଳ୍ପସଂଖ୍ୟକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି। ଏହାରି ମଧ୍ୟରେ ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ସନ୍ଥ ଚିନ୍ମୟ କୃଷ୍ଣଙ୍କ ସମେତ ହିନ୍ଦୁ ସମୁଦାୟର ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛନ୍ତି ବାଂଲାଦେଶ ସରକାର ।
ଏହି ବ୍ୟାଙ୍କ ଖାତାରେ କୌଣସି ପ୍ରକାରର ନେଣ ଦେଣ ଉପରେ ୩୦ ଦିନ ପାଇଁ ରୋକ ଲଗାଇବାକୁ ଆଦେଶ ଦିଆଯାଇଛି। ବାଂଲାଦେଶ ବ୍ୟାଙ୍କର ଆର୍ଥିକ ଗୁଇନ୍ଦା ୟୁନିଟ (BFIU) ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଙ୍କୁ ଶୁକ୍ରବାର ଏନେଇ ନିର୍ଦ୍ଦେଶ ଜାରି କରିଛି। ଏହି ପଦକ୍ଷେପ ବାଂଲାଦେଶ ହାଇକୋର୍ଟଙ୍କ ଦ୍ବାରା ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରାଯିବା ପରେ ନିଆଯାଇଛି।
ସୂଚନାଥାଉକି, ଅକ୍ଟୋବର ୩୦ରେ ଚଟଗାଁଓର କୋଟଓ୍ବାଲି ପୋଲିସ ଷ୍ଟେସନରେ ଚିନ୍ମୟ କୃଷ୍ଣ ଦାସଙ୍କ ସମେତ ୧୯ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମାଲା ରୁଜୁ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ, ଚଟଗାଁଓର ନ୍ୟୁ ମାର୍କେଟ ଅଞ୍ଚଳରେ ହିନ୍ଦୁ ସମୁଦାୟର ଏକ ରାଲି ସମୟରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନ କରାଯାଇଥିଲା।
ଆଉ ଶେଷରେ ନଭେମ୍ବର ୨୫ରେ ସନ୍ନ୍ୟାସୀ ଦାସଙ୍କୁ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ହେଲେ ଚଟଗାଁଓର ଏକ ଅଦାଲତ ସୋମବାର ଜାମିନ ଦେବାକୁ ମନା କରିଥିଳେ, ଆଉ ତାଙ୍କୁ ଜେଲ ମଧ୍ୟ ପଠାଯାଇଥିଲା। ଏହାକୁ ନେଇ ସେଠାରେ ଥିବା ହିନ୍ଦୁ ସର୍ମଥକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂର୍ଘଷ ହୋଇଥିଲା । ଯେଉଁଥରେ ଜଣେ ଓକିଲଙ୍କ ମୃତ୍ୟୁ ହୋଇଥିଳା। ଆଉ ଏହି ଘଟଣା ପରେ ବାଂଲାଦେଶରେ ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆବେଦନ ହୋଇଥିଲା।ଅବଶ୍ୟ ଏହି ଆବେଦନକୁ ହାଇକୋର୍ଟ ହାଇକୋର୍ଟ ଖାରଜ କରିଛନ୍ତି।