ନୂଆଦିଲ୍ଲୀ,୧୧/୦୭: ମହାକାଶରୁ ଶୁଭାଂଶୁ ଶୁକ୍ଳାଙ୍କ ପୃଥିବୀକୁ ଫେରିବା ବିଳମ୍ବ ହୋଇପାରେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା (ଆଇଏସ୍ଏସ୍) ଆକ୍ସିଓମ୍-୪ ମିଶନ୍ରେ କ୍ୟାପ୍ଟେନ୍ ଶୁଭାଂଶୁ ଓ ତାଙ୍କ ଟିମ୍ ୧୨ ଦିନ ହେବ ଅଛନ୍ତି । ମହାକାଶଯାତ୍ରୀଙ୍କ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ଆସନ୍ତା ୧୪ ତାରିଖ ପୂର୍ବରୁ ସମ୍ଭବ ନୁହେଁ । ଆକ୍ସିଓମ୍-୪ ମିଶନ୍ ଟିମ୍ଙ୍କ ଫେରିବା ୩-୪ ଦିନ ବିଳମ୍ବ ହୋଇପାରେ । ପାଣିପାଗ ଓ ଟେକ୍ନୋଲୋଜି ସମ୍ବନ୍ଧୀୟ କାରଣ ଯୋଗୁଁ କାର୍ଯ୍ୟସୂଚୀ ଅନୁଯାୟୀ ପୃଥିବୀକୁ ଫେରିବେ ନାହିଁ ବୋଲି ୟୁରୋପୀୟ ମହାକାଶ ଏଜେନ୍ସି ସଂକେତ ଦେଇଛି ।
ଗତ ଜୁନ୍ ୨୫ ତାରିଖରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟର୍ରୁ ସ୍ପେସ୍ଏକ୍ସର ଫାଲକନ୍-୯ ରକେଟ୍ରେ ଏହି ମିଶନ୍ ଲଞ୍ଚ୍ ହୋଇଥିଲା । ଆକ୍ସିଓମ୍-୪ କ୍ରୁ ସ୍ପେସ୍ଏକ୍ସର ଡ୍ରାଗନ୍ କ୍ୟାପ୍ସୁଲ ‘ଗ୍ରେସ୍’ରେ ପୃଥିବୀକୁ ଫେରିବେ, ଯାହା ଫ୍ଲୋରିଡା ସମୁଦ୍ର ତଟ ନିକଟରେ ଆଟ୍ଲାଣ୍ଟିକ୍ ମହାସାଗର କିମ୍ବା ମେକ୍ସିକୋରେ ପାଣିରେ ଅବତରଣ କରିବ । କିନ୍ତୁ ଯଦି ଏହି କ୍ଷେତ୍ରରେ ବାୟୁ ପ୍ରବାହ ଦ୍ରୁତ ହେବ, ବର୍ଷା କିମ୍ବା ଝଡ଼ ଭଳି ପାଣିପାଗ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ, ତେବେ ପାଣିରେ ଅବତରଣ ସୁରକ୍ଷିତ ହେବ ନାହିଁ । ୟୁରୋପୀୟ ମହାକାଶ ଏଜେନ୍ସି ଓ ନାସା ଅନୁସାରେ, ପାଣିପାଗ ସ୍ଥିତି ଯୋଗୁ ମିଶନ୍ର ପ୍ରତ୍ୟାବର୍ତ୍ତନକୁ ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇପାରେ ।
ଆକ୍ସିଓମ୍-୧ ମିଶନର ମହାକାଶଚାରୀଙ୍କୁ ମଧ୍ୟ ଖରାପ ପାଣିପାଗ ପାଇଁ ସ୍ପେସ୍ ଷ୍ଟେସନ୍ରେ କିଛି ଅତିରିକ୍ତ ଦିନ ବିତାଇବାକୁ ପଡ଼ିଥିଲା । ଆକ୍ସିଓମ୍-୪ କ୍ରୁର ପୃଥିବୀ ପ୍ରତ୍ୟାବର୍ତ୍ତନ ଏକ ଜଟିଳ ପ୍ରକ୍ରିୟା । ଏଥିରେ ଅନେକ ସୋପାନ ରହିଛି । ମହାକାଶଚାରୀ ନିଜର ବୈଜ୍ଞାନିକ ଗତିବିଧି ଶେଷ କରି ପ୍ରୟୋଗର ନମୁନାଗୁଡ଼ିକୁ ଡ୍ରାଗନ୍ କ୍ୟାପ୍ସୁଲରେ ଭର୍ତ୍ତି କରନ୍ତି । ଶୁଭାଂଶୁ ସ୍ପେସ୍ ଷ୍ଟେସନ୍ରେ ଗଜା କରାଇଥିବା ମେଥି ଓ ମୁଗ ମଞ୍ଜିକୁ ଫ୍ରିଜର୍ରେ ରଖିଛନ୍ତି, ଯାହାକୁ ପୃଥିବୀରେ ବିଶ୍ଳେଷଣ କରାଯିବ । ଫେରିବା ପୂର୍ବରୁ ମହାକାଶଚାରୀଙ୍କର ମେଡିକାଲ ଯାଞ୍ଚ୍ ହେବ, ଏହା ଜରିଆରେ ସେମାନେ ରି-ଏଣ୍ଟ୍ରି ପାଇଁ ଫିଟ୍ କି ନାହିଁ ସ୍ଥିର ହେବ ।
ୟୁରୋପୀୟ ମହାକାଶ ଏଜେନ୍ସିର ସ୍ପେସ୍ ମେଡିସିନ୍ ଟିମ୍ ଶୁଭାଂଶୁ ଓ ଅନ୍ୟ କ୍ରୁଙ୍କ ଯାଞ୍ଚ୍ କରିବ । ଏହା ପରେ ଡ୍ରାଗନ୍ କ୍ୟାପ୍ସୁଲ ସ୍ପେସ୍ ଷ୍ଟେସନ୍ରୁ ଅଲଗା ହୁଏ, ଯାହା ଏକ ସ୍ୱୟଂଚାଳିତ ପ୍ରକ୍ରିୟା । କିନ୍ତୁ କ୍ରୁ ଓ ଗ୍ରାଉଣ୍ଡ୍ କଣ୍ଟ୍ରୋଲ (ନାସା ଓ ସ୍ପେସ୍ଏକ୍ସ) ଏହା ଉପରେ ନଜର ରଖନ୍ତି । ଆକ୍ସିଓମ୍-୪ର ଡ୍ରାଗନ୍ କ୍ୟାପ୍ସୁଲ ଗ୍ରେସ୍ ଗତ ୨୬ ତାରିଖରେ ସ୍ପେସ୍ ଷ୍ଟେସନ୍ ସହ ଯୋଡ଼ି ହୋଇଥିଲା ।
ଅନ୍ଡକିଙ୍ଗ୍ ଆସନ୍ତା ୧୪ ତାରିଖ ପରେ ହୋଇପାରେ । ଅନ୍ଡକିଙ୍ଗ୍ ପରେ ଡ୍ରାଗନ୍ କ୍ୟାପ୍ସୁଲ ସ୍ପେସ୍ ଷ୍ଟେସନ୍ରୁ ଦୂରେଇଯାଏ । ପୃଥିବୀକୁ ଫେରିବା ପାଇଁ ପ୍ରସ୍ତୁତ ହୁଏ । ଏହି ପ୍ରକ୍ରିୟା ପ୍ରାୟ ୨୮ ଘଣ୍ଟା ଲାଗେ । କ୍ୟାପ୍ସୁଲର ଗତି ଓ ଦିଗକୁ ଭୂପୃଷ୍ଠରୁ ସଠିକ୍ ରୂପେ ନିୟନ୍ତ୍ରିତ କରାଯାଏ । ଡ୍ରାଗନ୍ରେ ଅତ୍ୟାଧୁନିକ ଜୀବନ ରକ୍ଷକ ପ୍ରଣାଳୀ ଓ ସ୍ୱୟଂଚାଳିତ ଡକିଙ୍ଗ୍ ଟେକ୍ନୋଲୋଜି ଥାଏ । କ୍ୟାପ୍ସୁଲ ଘଣ୍ଟାପ୍ରତି ୨୮ ହଜାର କିମି ବେଗରେ ଯାତ୍ରା କରି ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରେ । ଏହି ସମୟରେ କ୍ୟାପ୍ସୁଲର ବାହ୍ୟ ଆବରଣ ୨୦୦୦ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ସହ୍ୟ କରେ । ପାରାଶୁଟ୍ ସିଷ୍ଟମ୍ ଧୀରେ-ଧୀରେ କ୍ୟାପ୍ସୁଲର ଗତିକୁ କମ୍ କରେ, ଯାହା ଦ୍ୱାରା ସୁରକ୍ଷିତ ରୂପେ ପାଣିରେ ଅବତରଣ ହୋଇପାରେ ।