ନୂଆଦିଲ୍ଲୀ,୨୩/୦୪: ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା ପରେ ସାଉଦି ଆରବ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ମୋଦି। ଆସନ୍ତାକାଲି ଫେରିବାର ଥିଲା। କିନ୍ତୁ ଆଜି ସକାଳେ ଦିଲ୍ଲୀରେ ପହଞ୍ଚି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଯୋଗ ଦେଇଛନ୍ତି। ଦିଲ୍ଲୀ ପାଲମ ବିମାନବନ୍ଦରରେ ଏହି ଉଚ୍ଚସ୍ତରୀୟ ବୈଠକ ବସିଛି। ଏହି ବୈଠକରେ ଏନ୍ଏସ୍ଏ ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସାମିଲ ହୋଇଛନ୍ତି।
ଏହା ମଧ୍ୟ ପଢନ୍ତୁ- ଜମ୍ମୁ ଓ କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ: ସାଉଦି ଆରବ ଗସ୍ତକୁ ସଂକ୍ଷିପ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ; ରାତିସୁଦ୍ଧା ଫେରିବେ ଭାରତ
ପ୍ରଧାନମନ୍ତ୍ରୀ ବିଦେଶ ଯାତ୍ରାରୁ ଫେରିବାର ତୁରନ୍ତ ପରେ ଏହି ବୈଠକ ଡ଼କାଇଛନ୍ତି । ଯେଉଁଥିରେ ଆତଙ୍କୀ ହମଲାର ଗମ୍ଭୀରତା,ଅନ୍ତରାଷ୍ଟ୍ରୀୟ ପ୍ରତିକ୍ରିୟା ଓ ସୁରକ୍ଷା ରଣନୀତି ଉପରେ ବିସ୍ତାର ଭାବେ ଆଲୋଚନା କରାଯାଇଛି । ଅଧିକାରୀଙ୍କ ସୂତ୍ର ଅନୁଯାୟୀ, ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ସ୍ଥିତିକୁ ଦେଖି ମୋଦି ଗତରାଲି ରାତିରେ ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହିତ ବୈଠକ ପରେ ତୁରନ୍ତ ଭାରତ ଫେରିବାକୁ ନିର୍ଣ୍ଣୟ ନେଇଥିଲେ । ଆଉ ଆଜି ସକାଳ ୭ ଟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ତେବେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରିଛି । ଏଥିରେ ମୋଟ ୨୬ ଜଣ ପ୍ରାଣ ହରାଇଥିବା ବେଳେ ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଏହି ଘଟଣାକୁ ଭାରତ ମଧ୍ୟ ଅତି ଗମ୍ଭୀରତାର ସହ ନେଇଛି ।