ପ୍ରମୂଖ ଖବର

ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ଵିଷ୍ଟ, କୋଭିଡ୍ ପ୍ରୋଟୋକଲ୍ ଆଳରେ ପୋଡ଼ି ଦେଇଛନ୍ତି ନବଙ୍କ ରକ୍ତଭିଜା ସାର୍ଟ

Published By : Prameya | January 20, 2025 12:21 PM

ଭୁବନେଶ୍ଵର, ୨୦/୦୧ : ନବଦାସ ହତ୍ୟା ମାମଲାରେ ନୂଆ ଟ୍ଵିଷ୍ଟ। ଲିଭେଇ ଦେଇଛନ୍ତି ସବୁ ପ୍ରମାଣ। କୋଭିଡ୍ ପ୍ରୋଟୋକଲ୍ ଆଳରେ ପୋଡ଼ି ଦେଇଛନ୍ତି ନବଙ୍କ ରକ୍ତଭିଜା ସାର୍ଟ। ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ କ୍ରାଇମବ୍ରାଞ୍ଚକୁ ଜଣାଇଥିବା ସୂଚନା ମିଳିଛି। ପ୍ରମାଣ ନଷ୍ଟ କରବାକୁ ବିଧିବଦ୍ଧ ଭାବେ ଯୋଜନା କରାଯାଇଛି ବୋଲି ସନ୍ଦେହ ବଢିଛି। କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟ ପୋଡ଼ିଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ନବ ଦାସ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ଗୁମର ଖୋଲୁଛି। ଏହି ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ନବଦାସଙ୍କ ରକ୍ତଭିଜା ସାର୍ଟ ଜବତ କରି ନଥିବା ସିଜର ଲିଷ୍ଟରୁ ଜଣାପଡିଛି। ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିବା ପରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଖୁଲାସା ହୋଇଛି। ନବ ଦାସଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କ ରକ୍ତଭିଜା ସାର୍ଟକୁ ପୋଡି ଦିଆଯାଇଥିବା ସୂଚନା ମିଳିଛି। କୋଭିଡ୍ ପ୍ରୋଟୋକଲ୍ ଆଳରେ ନବଙ୍କ ସାର୍ଟକୁ ପୋଡି ଦିଆଯାଇଛି। କୋଭିଡ୍ କଟକଣା ଥିବାରୁ ତାଙ୍କ ସାର୍ଟ ପୋଡିବା ପାଇଁ ବାଧ୍ୟ ହେଲେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ୨୦୨୨ ମସିହା ନଭେମ୍ଵର ୧୯ ତାରିଖରୁ ରାଜ୍ୟ ସରକାର କୋଭିଡ କଟକଣା ହଟାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେଣୁ  ଏକ ଘରୋଇ ହସ୍ପିଟାଲ ଏଭଳି କାହିଁକି କଲା ବୋଲି ପ୍ରଶ୍ନବଚୀ ସୃଷ୍ଟି ହୋଇଛି।  

ଏହି ଖବରଟିକୁ ପଢନ୍ତୁ- ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତରେ ସଂଘାତିକ ତ୍ରୁଟି: ସାକ୍ଷ୍ୟ ଶୁଭେନ୍ଦୁ ପଟ୍ଟନାୟକଙ୍କ ସାର୍ଟ ରଙ୍ଗକୁ ନେଇ ବିବାଦ

କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଦସ୍ତାବିଜରେ ସାଂଘାତିକ ତ୍ରୁଟି ବାହାରିବାରେ ଲାଗିଛି। କ୍ରାଇମବ୍ରାଞ୍ଚ ତଦନ୍ତରେ ସାକ୍ଷୀର ସାକ୍ଷ୍ୟ ବଦଳିଯାଇଛି। ସାକ୍ଷୀଙ୍କ ହଳଦିଆ ସାର୍ଟକୁ ଧଳା ଲେଖାଯାଇଛି। ଏନେଇ ମୁଖ୍ୟ ସାକ୍ଷୀ ଥିବା ଶୁଭେନ୍ଦୁ ପଟ୍ଟନାୟକଙ୍କ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେଇଛନ୍ତି । ଶୁଭେନ୍ଦୁ ପଟ୍ଟନାୟକଙ୍କ ବୟାନ ଅନୁସାରେ, ଯେଉଁ ଦିନ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା, ସେଦିନ ସେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ନବ ଦାସଙ୍କୁ ଉଠାଇ ଗାଡିରେ ରଖିଥିଲେ । ହେଲେ ସେଦିନ ସେ ହଳଦିଆ ସାର୍ଟ ପିନ୍ଧିଥିଲେ । କିନ୍ତୁ ଚାର୍ଜସିଟ୍‌ରେ ଭୁଲ୍ ତଥ୍ୟ ରହିଛି, ସେ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି ବୋଲି ଲେଖାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.