ଗ୍ରେଟର ନୋଏଡା: ଗ୍ରେଟର ନୋଏଡାର ଶାରଦା ବିଶ୍ୱବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ରାତିରେ ବିଶ୍ୱବିଦ୍ୟାଳୟର ମହିଳା ହଷ୍ଟେଲରେ ଦ୍ୱିତୀୟ ବର୍ଷର ବିଡିଏସ (ବ୍ୟାଚେଲର ଅଫ ଡେଣ୍ଟାଲ ସର୍ଜରୀ) ଛାତ୍ରୀ ଜ୍ୟୋତି ଶର୍ମା ଆତ୍ମହତ୍ୟା କରିଛନ୍ତି। ଗୁରୁଗ୍ରାମର ବାସିନ୍ଦା ଜ୍ୟୋତି ନିଜ ହଷ୍ଟେଲ ରୁମରେ ଫାଶୀ ଲଗାଇ ଜୀବନ ହାରିଥିବା ଜଣାପଡ଼ିଛି। ତାଙ୍କ ରୁମରୁ ମିଳିଥିବା ଏକ ସୁଇସାଇଡ ନୋଟରେ ସେ ଦୁଇଜଣ ଶିକ୍ଷକ ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନ ଉପରେ ମାନସିକ ନିର୍ଯାତନା ଏବଂ ଅପମାନର ଅଭିଯୋଗ ଲଗାଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଜ୍ୟୋତିଙ୍କ ପରିବାର ଦ୍ୱାରା ଦାୟର କରାଯାଇଥିବା ଅଭିଯୋଗ ଆଧାରରେ ବିଶ୍ୱବିଦ୍ୟାଳୟର ଦୁଇଜଣ ଷ୍ଟାଫ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗ୍ରେଟର ନୋଏଡାର ଅତିରିକ୍ତ ଡିସିପି ସୁଧୀର କୁମାର କହିଛନ୍ତି, "ଛାତ୍ରୀଙ୍କ ପରିବାର ଦ୍ୱାରା ଦାୟର ଅଭିଯୋଗ ଆଧାରରେ ବିଶ୍ୱବିଦ୍ୟାଳୟ ପ୍ରଶାସନର ଦୁଇଜଣ ଷ୍ଟାଫଙ୍କୁ ଗିରଫ କରାଯାଇଛି।" ଜ୍ୟୋତିଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।
ସୁଇସାଇଡ ନୋଟରେ ଜ୍ୟୋତି ଲେଖିଛନ୍ତି ଯେ ସେ ଦୀର୍ଘ ସମୟ ଧରି ମାନସିକ ନିର୍ଯାତନା ଓ ଅପମାନର ଶିକାର ହୋଇଥିଲେ। ଯାହା ତାଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କଲା। ସେ ନୋଟରେ ଦୁଇଜଣ ଶିକ୍ଷକଙ୍କ ନାମ ଉଲ୍ଲେଖ କରି ସେମାନଙ୍କୁ ତାଙ୍କ ମୃତ୍ୟୁର ଦାୟୀ ବୋଲି ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶୁକ୍ରବାର ରାତିରେ ଛାତ୍ରମାନେ ପ୍ରଶାସନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରି ନ୍ୟାୟ ଓ ନିଷ୍ପକ୍ଷ ତଦନ୍ତର ଦାବି କରିଛନ୍ତି। ଶାରଦା ବିଶ୍ୱବିଦ୍ୟାଳୟର ଜନସଂପର୍କ ନିର୍ଦ୍ଦେଶକ ଏକ ବିବୃତିରେ କହିଛନ୍ତି, "ବିଶ୍ୱବିଦ୍ୟାଳୟ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି ଏବଂ ବିଧିବଦ୍ଧ ଅନୁଷ୍ଠାନଗୁଡ଼ିକ ସହ ପୂର୍ଣ୍ଣ ସହଯୋଗ କରୁଛି।"
ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ମୁତାବକ, ପୁଲିସ ଅଫିସ ବାହାରେ ଧାରଣା ଦେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ବଳପୂର୍ବକ ହଟାଇବାରେ ଲାଗିଛି। ଯେଉଁଥିପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀ ପୋଲିସ ଓ ସ୍ଥାନିୟ ସରକାରଙ୍କୁ ଲୋକମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।
ବାଲେଶ୍ୱରର ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣା ମନରୁ ନଜାଉଣୁ ଏଭଳି ଆଉ ଏକ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ଯାହା ଭାରତରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକଙ୍କ ଦ୍ୱାରା ଯୌନ ନିର୍ଯାତନା ଓ ମାନସିକ ନିର୍ଯାତନାର ଆଉ ଏକ କଳା ଅଧ୍ୟାୟ ଆରମ୍ଭ କରିଛି। ଜ୍ୟୋତିଙ୍କ ମୃତ୍ୟୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଇଛି।