ମୁମ୍ବାଇ: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଆଜି (ଶନିବାର) ପୁଣେରେ ଏକ ରାଲିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଅମିତ ଶାହଙ୍କୁ ଅହମ୍ମଦ ଶାହ ଅବଦାଲୀଙ୍କ ରାଜନୈତିକ ବଂଶଧର ବୋଲି କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି, ଆଜିଠୁ ମୁଁ ଅମିତ ଶାହଙ୍କୁ ଅବଦାଲୀ ହିଁ କହିବି । ଯଦି ଆପଣ ମୋତେ ନକଲି ସନ୍ତାନ ବୋଲି କହିବେ ତେବେ ମୁଁ ଆପଣଙ୍କୁ ଅବଦାଲୀ ଡାକିବି ।
ଶିବସେନା (ୟୁବିଟି) ମୁଖ୍ୟ ଆହୁରି କହିଛନ୍ତ ଯେ, ‘ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ ହିନ୍ଦୁତ୍ବବାଦୀ ନେତା କି ? ତାଙ୍କ ହିନ୍ଦୁତ୍ବ କିଭଳି ଅମିତ ଶାହ କୁହନ୍ତୁ । ଅବଦାଲୀଙ୍କ ବଂଶଜ ଦିଲ୍ଲୀ ଆସି କହିକି ଗଲେ । ଅମିତ ଶାହଙ୍କୁ ସଂଘରେ ହିନ୍ଦୁତ୍ବର ମାନ୍ୟତା ମିଳିଛି କି ? ବିଜେପି ‘ଶାସନ ଜିହାଦ’ ସୃଷ୍ଟି କରିଛି । ଶାସନ ଜିହାଦର ଅର୍ଥ ସରକାର ଗଢ଼ିବା ଲାଗି ଲୋକଙ୍କୁ ଚୋରି କରାଯାଉଛି । ଛତ୍ରପତି ମହାରାଜ ଆମକୁ ଆଉ କାହାର ଘର ଜଳାଇବା ଶିଖାଇ ନାହାନ୍ତି । ଶଙ୍କରାଚାର୍ଯ୍ୟ କହିଥିଲେ ବିଶ୍ବାସଘାତ କରୁଥିବା ଲୋକ ହିନ୍ଦୁ ନୁହେଁ । ଆପଣ ବିଶ୍ବାସଘାତ କରିଛନ୍ତି ।’
ସେପଟେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାନାଭିସଙ୍କୁ ବି ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ଉଦ୍ଧବ ଠାକରେ । ସେ କହିଛନ୍ତି, ‘ମୁଁ କୌଣସି ବଗ୍(ଓଡ଼ଶ)କୁ ଆହ୍ବାନ ଦେଇନାହିଁ । ଆପଣ ରହିବେ ନହେଲେ ମୁଁ ରହିବି । ମୁଁ ଏକ ସଂସ୍କୃତି ସଂପନ୍ନ ମହାରାଷ୍ଟ୍ରକୁ ପ୍ରତିନିଧିତ୍ବ କରୁଛି । ଆପଣ ମହାରାଷ୍ଟ୍ର ଏବଂ ଦଳକୁ ଲୁଟୁଥିବା ଲୋକଙ୍କର ପ୍ରତିନିଧିତ୍ବ କରୁଛନ୍ତି । ବଗ୍କୁ ଆହ୍ବାନ ଦିଆଯାଏ ନାହିଁ ବରଂ ସେଗୁଡ଼ିକୁ ଆଙ୍ଗୁଳିରେ ଦଳି ମକଚି ଦିଆଯାଏ ।’
ଫଡନାଭିସଙ୍କ ଦାବିକୁ ଖଣ୍ଡନ କରି ଠାକରେ କହିଛନ୍ତି ଯେ, ‘ଆପଣଙ୍କ ସହ ନଖେଳିବାକୁ କହୁଛନ୍ତି ।ଆପଣଙ୍କ ଏତେ କ୍ଷମତା ନାହିଁ ଯେ ଆମେ ଆପଣଙ୍କ ସହ ଖେଳିବୁ । ଯେଉଁମାନେ ବିନାଶ କରନ୍ତି ସେମାନେ ଶାସନରେ ରହିପାରିବେ ନାହିଁ ।ସେଥିପାଇଁ ମୁଁ କହୁଛି ଆପଣ ରହିବେ ନଚେତ ମୁଁ ରହିବି ।’