ଭୁବନେଶ୍ବର, ୧୮।୨ ; ଘରୋଇ ବିଶ୍ବବିଦ୍ୟାଳୟ କିଟ୍ରେ ରବିବାର ରାତିରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲା। ଏହି ଘଟଣାରେ ଇନଫୋସିଟି ପୋଲିସ ୫ ଜଣଙ୍କୁ ଗିରଫ କରିଛି। ୩ ଡାଇରେକ୍ଟରଙ୍କ ସମେତ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ସେହିଭଳି ଦୁଇ ଜଣ ସିକ୍ୟୁରିଟି ଗାର୍ଡ ହେଲେ ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରା। ଗିରଫ ହେବାର କିଛି ଘଣ୍ଟା ପରେ ସମସ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଭୁବନେଶ୍ବର ଜେଏମଏଫ୍ସି-୨ ସେମାନଙ୍କ ଜାମିନ ମଞ୍ଜୁର କରିଛନ୍ତି ।
ଅନ୍ୟପକ୍ଷରେ କିଟ୍ରେ ଛାତ୍ରୀ ଆତ୍ମହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଘଟଣାର କାରଣ ଖୋଜିବ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଏହି ଟିମ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।