ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ମହିଳାଙ୍କ ପସନ୍ଦରେ ପ୍ରସ୍ତୁତ ହେଉଛି କୃଷି ଯନ୍ତ୍ରପାତି, ୫ ଜିଲ୍ଲାରେ ପରୀକ୍ଷାମୂଳକ ପ୍ରୟାସ ଆରମ୍ଭ

ଭୁବନେଶ୍ୱର,୧୯/୦୬ : ବାଟି ଭୂମିଆ (୪୬) ଓ ଶ୍ରୀ ମା' ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିବା ତାଙ୍କର ସାଥୀମାନେ ଏବେ ଦିନରେ କିଛି ସମୟ ନିଜ ପାଇଁ ବିନିଯୋଗ କରିବାର ଅବକାଶ ପାଉଛନ୍ତି । ଆଉ ଏସବୁ ସମ୍ଭବ ହୋଇପାରିଛି ଲିଙ୍ଗ ଅନୁକୂଳ କୃଷି ଯନ୍ତ୍ରପାତି ଯୋଗୁଁ । ମହିଳାଙ୍କ ସୁବିଧା ପାଇଁ ଆବିଷ୍କୃତ ଏହି ଯନ୍ତ୍ରପାତିଗୁଡ଼ିକର ମୂଳ ଆଭିମୁଖ୍ୟ ହେଲା ରାଜ୍ୟର ମାଣ୍ଡିଆ ଚାଷୀଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କର କାର୍ଯ୍ୟ କରିବାର ସମୟକୁ କମାଇବା । ଯାହାକି ଧୀରେ ଧୀରେ କାର୍ଯ୍ୟକାରୀ ହେଉଥିବା ପରିଲକ୍ଷିତ ହେଉଛି । ମହିଳାମାନଙ୍କୁ କିପରି ସେମାନଙ୍କର ପସନ୍ଦ ଓ ସେମାନଙ୍କର ଅନୁକୂଳ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯିବ ସେଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କାମ କରୁଛି । ଓଡ଼ିଶା ମିଲେଟ ମିଶନ ଅଧୀନରେ କରାଯାଇଥିବା ପାର୍ଟିସିପେଟରୀ ମେସିନାରୀ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଏହାର ଅନ୍ତର୍ଭୁକ୍ତ । 

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମଧ୍ୟ ଓଡ଼ିଶା ମିଲେଟ ମିଶନ୍‌ ଅଧୀନରେ ଗତ ବର୍ଷଠାରୁ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ପ୍ରସ୍ତୁତ ଦିଗରେ କାମ ଆରମ୍ଭ କରିଛି । ରାଜ୍ୟର ଗଜପତି, ନୂଆପଡ଼ା, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । ଯେଉଁଥିରେ କି ବିଭାଗ ଉପରୋକ୍ତ ଜିଲ୍ଲାଗୁଡ଼ିକର ୧୫ଟି ଗାଁର ୭୫ ଜଣ ମହିଳା ଚାଷୀଙ୍କ ପାଖରେ ପହଞ୍ଚି ସେମାନଙ୍କ ମତାମତ ଗ୍ରହଣ କରିଛି । ସେମାନଙ୍କର ଆବଶ୍ୟକତା, ପସନ୍ଦ ଓ ସେମାନଙ୍କ ପାଇଁ ବ୍ୟବହାର ଯୋଗ୍ୟ ଯନ୍ତ୍ରପାତିର ଡିଜାଇନ୍‌, ସେମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏସବୁର ସମାଧାନର ସୂତ୍ର ଆଦିକୁ ଭିତ୍ତି କରି ରହିଥିବା ମତାମତକୁ ଆଧାର କରି ନୂଆ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ପ୍ରସ୍ତୁତ କରିବାକୁ ପ୍ରୟାସ ଆରମ୍ଭ କରିଛି । ଯାହାକି ପରବର୍ତ୍ତୀ ସମୟରେ ଓଡ଼ିଶା ମିଲେଟ ମିଶନ ଅଧୀନରେ କାମ କରାଯାଉଥିବା ସବୁ ଜିଲ୍ଲାର ଚାଷୀଙ୍କ ପାଖକୁ ପହଞ୍ଚିବ ଓ ସେମାନଙ୍କର ମତାମତ ଗ୍ରହଣ କରିବ । 

ପାରମ୍ପରିକ ଭାବେ ମହିଳାମାନେ ମାଣ୍ଡିଆ ଚାଷ କରିବା ସହ ଏହାର ପ୍ରକ୍ରିୟାକରଣ କରିଥାନ୍ତି । ଯେଉଁଥିରେ ଦିନରୁ ୫ରୁ ୬ ଘଣ୍ଟା ସେମାନଙ୍କର ଦିନର ସର୍ବାଧିକ ସମୟ ବିନିଯୋଗ ହୋଇଥାଏ । ଅମଳ ପରେ ମାଣ୍ଡିଆରୁ ନଡ଼ାକୁ ଅଲଗା କରିବା, ଶସ୍ୟର ବାହାର ଆବରଣକୁ ପୃଥକ କରିବା, ଏହାକୁ ସଫା କରିବା, ଏହାକୁ ଚଲାଇବା, ଏହାକୁ ପାଛୁଡ଼ିବା ଓ ଏହାକୁ କୁଟି ଗୁଣ୍ଡରେ ପରିଣତ କରିବା ଭଳି କାମ ଜଣେ ମହିଳା ଦ୍ୱାରା ହିଁ ସମ୍ପାଦିତ ହୋଇଥାଏ । ଏ ବାବଦରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍‌ ଶ୍ରୀମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ବାଟି କହନ୍ତି, ପ୍ରତିଦିନ ୫ରୁ ୬ ଘଣ୍ଟା ମାଣ୍ଡିଆ କାମରେ ସରେ । ଅମଳ ପରେ ମାଣ୍ଡିଆକୁ ଚୁନା କରିବା ପାଇଁ ଯେମିତି କଠିନ ପରିଶ୍ରମ କରିବାକୁ ପଡ଼େ ସେହିପରି ଏହାକୁ ଚାଷ କରିବାରେ ବି ଯଥେଷ୍ଟ ସମୟ ଦେବାକୁ ପଡ଼ିଥାଏ । ବିଲରେ ମାଣ୍ଡିଆ ଲଗାଇବା ଆଗରୁ ଆମକୁ ବିଲକୁ ସଫା କରିବାକୁ ହୋଇଥାଏ । ଯେଉଁଥିପାଇଁ ୬ ଘଣ୍ଟା ସମୟ ଯାଇଥାଏ । ମାତ୍ର ଏବେ ସାଇକେଲ ଓବିଡର ଯୋଗୁଁ କାମ ୩ ଘଣ୍ଟାରେ ସରିଯାଉଛି । ପୂର୍ବରୁ ଏହି କାମ ହରାଇଜଣ୍ଟାଲ ହେଣ୍ଡଲବାର୍‌ ଦ୍ୱାରା କରାଯାଉଥିବା ବେଳ ଏବେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅତ୍ୟାଧୁନିକ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ଭାବେ ସାଇକେଲ ଓବିଡରକୁ ବ୍ୟବହାର କରାଯାଉଛି । 

ଓଡ଼ିଶା ମିଲେଟ ମିଶନ (ଓଏମ୍‌ଏମ୍‌) ଦ୍ୱାରା କୋରାପୁଟ ଜିଲ୍ଲାର ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଗି ଥ୍ରେସର କମ୍‌ ପିରଲର, କ୍ଲିନର କମ୍‌ ଗ୍ରେଡର ଓ ସାଇକେଲ ଓବିଡର ଦିଆଯାଇଛି । ମାତ୍ର ସେଗୁଡ଼ିକ ଚଲାଇବା ବେଳ ବି ମହିଳା ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ଓଏମ୍‌ଏମ୍‌ ଦ୍ୱାରା ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି । ଏ ବାବଦରେ ସ୍ଥାନୀୟ ମା' ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାଳତୀ ଜାନି (୪୨) କହନ୍ତି, ଥ୍ରେସର କମ୍‌ ପିରଲରରେ କାମ କରିବା ଖୁବ୍‌ କଷ୍ଟ ଦାୟକ କାରଣ ଏଥିରେ ଯେଉଁ ଅନାବଶ୍ୟକ ସାମଗ୍ରୀଗୁଡ଼ିକ ଲାଗି ରୁହେ ତାହାକୁ ସଫା କରିବା କଷ୍ଟକର ବ୍ୟାପାର । ପ୍ରତିମା ବଡ଼ନାୟକ କହନ୍ତି କେବଳ ସେତିକି ନୁହେଁ ଥ୍ରେସରକୁ ଏକ ଗୋଷ୍ଠୀ ସ୍ଥାନରୁ ଆଉ ଏକ ସ୍ଥାନକୁ ନେବା ଆଣିବା କରିବା ବି ମହିଳାଙ୍କ ପକ୍ଷେ ସମ୍ଭବ ନୁହେଁ । ଯେତେବେଳେ ଏମିତି ସମସ୍ୟା ସବୁ ଆଖି ଆଗକୁ ଆସିଲା ସେତେବେଳେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଲିଙ୍ଗଗତ ବିଶ୍ଳେଷଣ କମିଟି ଗଠନ (ଜିଏସି) କରିବା ସହ ଏଥିରେ ମହିଳାଙ୍କ ପାଇଁ କାମ କରୁଥିବା ବିଶେଷଜ୍ଞମାନଙ୍କୁ ଏକାଠି କରି ସେମାନଙ୍କର ମତାମତ ନେବା ଆରମ୍ଭ କଲା । 

୨୦୨୨ରେ ଏହି ପ୍ରୟାସ ଆରମ୍ଭ ହୋଇଥିଲା ବେଳେ ଦେଖାଗଲା ଯେ କୃଷି କ୍ଷେତ୍ରରେ ଯେଉଁସବୁ କୃଷି ଯନ୍ତ୍ରପାତି ସବୁ ବ୍ୟବହାର କରାଯାଉଛି ତାହା ସବୁ ବିଶେଷ ଭାବେ ପୁରୁଷମାନଙ୍କ ଶାରିରୀକ କ୍ଷମତାକୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । ସତବଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ମହିଳା ଚାଷୀଙ୍କୁ ବି ଏହି କାମରେ ସାମିଲ କରାଯାଇ ସେମାନଙ୍କର ପରାମର୍ଶ ଲୋଡ଼ାଗଲା । ସମସ୍ତ ଅଧିକାରୀ, ମହିଳା କୃଷକ ଓ ବିଶେଷଜ୍ଞମାନଙ୍କ ସୁଚିନ୍ତିତ ମତାମତକୁ ଆଧାର କରି ପରବର୍ତ୍ତୀ ସମୟରେ କୃଷି ଯନ୍ତ୍ରପାତି ପ୍ରସ୍ତୁତକାରୀ କମ୍ପାନୀମାନେ ଏଥିରେ ନୂତନତ୍ୱ ଆଣିବା ସହ ମହିଳା ଉପଯୋଗୀ ଯନ୍ତ୍ରପାତି ସବୁ ପ୍ରସ୍ତୁତ କଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.