ଫୁଲବାଣୀ,୧୦/୦୪: ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ । ମୃତକ ଲାହାବାଡିର ବେଣୁଧର ଦିଗାଲଙ୍କ ସ୍ତ୍ରୀ ସତ୍ୟଭାମା ଦିଗାଲ(୩୨) ବୋଲି ଜଣାପଡିଛି । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଲାହାବାଡି ଠାରେ ଏଭଳି ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ସତ୍ୟଭାମା ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଟିକାବାଲି ପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍(ସିଜି ୦୪ ପିୟୁ ୧୧୮୧) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ସେପଟେ ଉତ୍ୟକ୍ତ ଗ୍ରାମବାସୀ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଫଳରେ ଫୁଲବାଣୀ-ବ୍ରହ୍ମପୁର ୧୫୭ ନଂ ଜାତୀୟ ରାଜପଥରେ ଯାତାୟତ ବ୍ୟାହତ ହୋଇଛି। ସଦର ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।