ପ୍ୟାରିସ୍ ଅଲିମ୍ପିକ୍ସର ଅଷ୍ଟମ ଦିନ ଭାରତ ପାଇଁ ନିରାଶାଜନକ ରହିଛି। ମନୁ ଭାକର ହ୍ୟାଟ୍ରିକ୍ ପଦକୁ ବଞ୍ଚିତ ହୋଇଛନ୍ତି। ତେବେ ଭାରତର ଅନୁଭବୀ ଖେଳାଳି ଦୀପିକା କୁମାରୀ ତୀରନ୍ଦାଜୀରେ ମହିଳାଙ୍କ ଏକକ ପ୍ରତିଯୋଗିତାରେ ଜର୍ମାନୀର ୭ମ ମାନ୍ୟତା ପ୍ରାସ୍ତ ମିଶେଲ କ୍ରୋପେନ୍ଙ୍କୁ ହରାଇ ଅନ୍ତିମ ୮ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କ୍ବାଟର ଫାଇନାଲରେ ଦୀପିକାଙ୍କ ମୁକାବିଲା ଦକ୍ଷିଣ କୋରିଆର ସୁହୟୋନ ନାମଙ୍କ ସହିତ ହେବ। ସେ ରାଉଣ୍ଡ ଅଫ୍ ୧୬ ରେ ରୋମାନିଆର ମଦାଲିନଙ୍କୁ ୬-୨ ରେ ହରାଇଥିଲେ।
ଶନିବାର ମନୁ ତୃତୀୟ ପଦକ ଜିତିବାର ଆଶା ରହିଥିଲା। ମହିଳାଙ୍କ ୨୫ ମିଟର ପିସ୍ତଲ ଇଭେଣ୍ଟରେ ୨୮ଟି ସଟ୍ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି ମନୁ। ୮ଟି ସିରିଜ୍ରେ ମନୁ କେବଳ ଗୋଟିଏ ଥର ୫ ରୁ ୫ଟି ସଟ୍ ଲଗାଇବାରେ ସଫଳ ହୋଇଥିଲେ। ସେ ମୋଟ ୪୦ଟିରୁ ୨୮ଟି ସଟସ୍ ଲଗାଇଛନ୍ତି। ଏହା ସହିତ ତାଙ୍କର ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ ହ୍ୟାଟ୍ରିକ୍ ଲଗାଇବାର ସ୍ବପ୍ନ ଅଧୁରା ରହିଯାଇଛି। ମନୁ ଏହା ପୂର୍ବରୁ ବ୍ୟକ୍ତିଗତ ଭାବରେ ୧୦ ମିଟର ଏୟାର ପିସ୍ତଲରେ ଓ ମିକ୍ସ ଇଭେଣ୍ଟରେ ସରବଜୋତ୍ ସିଂହଙ୍କ ସହ ମିଶି ବ୍ରୋଞ୍ଜ ପଦକ ଜିତିଥିଲେ। ସେଭଳି ଅଲିମ୍ପିକ୍ସରେ ଦୁଇଟି ପଦ ଜିତିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି।
ସେଭଳି ଭାରତର ଅନ୍ୟତମ ଯୁବ ତୀରନ୍ଦାଜ ଭଜନ କୌର ପ୍ରି-କ୍ୱାର୍ଟର ଫାଇନାଲରେ ହାରିବା ସହ ପ୍ରତିଯୋଗିତାରୁ ବାହାର ହୋଇ ଯାଇଛନ୍ତି। ସେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଶୁଟ ଅଫରେ ଇଣ୍ଡୋନେସିଆର ଦିୟାନନ୍ଦା ଠାରୁ ହାରି ଯାଇଛନ୍ତି।ପ୍ରି-କ୍ୱାର୍ଟର ପ୍ରଥମ ସେଟକୁ ଇଣ୍ଡୋନେସିଆର ଦିୟାନନ୍ଦା ୨୯-୨୮ରେ ଜିତିଥିଲେ। ଦ୍ୱିତୀୟ ସେଟରେ ଭଜନ କମବ୍ୟାକ କରି ୨୭-୨୫ରେ ବାଜି ଜିତିଥିଲେ ନେଇଥିଲେ। ତେବେ ତୃତୀୟ ସେଟ ଦିୟାନନ୍ଦାଙ୍କ ସପକ୍ଷରେ ଯାଇଥିଲା।ସେଭଳି ବକ୍ସିଂରେ ଆଗକୁ ନିଶାନ୍ତ ନେବ କ୍ବାଟର ଫାଇନାଲ ଖେଳିବେ। ଭାରତର ପଦକ ସଂଖ୍ୟା ଯଦି ଦେଖିବା ତେବେ ୭ ଦିନରେ ୩ ବ୍ରୋଞ୍ଜ ଜିତିଛି।