ଭୁବନେଶ୍ୱର,୨୭/୦୨: ରାଜ୍ୟରେ କେମିତି ଚାଲିବ ତହସିଲ କାମ? ଖାଲିପଡ଼ିଛି ପାଖପାଖି ୪ ହଜାର ପଦବି । ସେଥରେ ୧୦୦୧ ରାଜସ୍ୱ ନିରୀକ୍ଷକ (ଆର୍ଆଇ), ୧୫୬୯ ସହକାରୀ ରାଜସ୍ୱ ନିରୀକ୍ଷକ(ଏଆର୍ଆଇ) ଓ ୧୪୦୧ ଅମିନ ପଦବି ରହିଛି । ବିଶେଷ କରି ଜମି ପଟ୍ଟା ହେବାଠୁ ଆରମ୍ଭ କରି ଜାତି ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର, ଚାଷ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜସ୍ୱ ଅଧିକାରୀଙ୍କ ଭୂମିକା ରହିଛି । ହେଲେ ଦୀର୍ଘ ଦିନ ହେବ ଏହି ପଦବି ପୂରଣ ନ ହୋଇ ଖାଲିପଡ଼ିଛି ।
ରାଜ୍ୟର ୩୧୭ଟି ତହସିଲରେ ୨୭୧୧ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ସେଥିରେ ମୋଟ ୩୬୬୫ ଆର୍ଆଇ, ୩୧୦୧ ଏଆର୍ଆଇ ଓ ୨୭୮୯ ଅମିନ ନିଯୁକ୍ତି ହେବା କଥା । ମାତ୍ର ସାରା ରାଜ୍ୟରେ ଏବେ ମୋଟ ୨୫୬୪ ଆର୍ଆଇ, ୧୫୩୨ ଏଆର୍ଆଇ ଓ ୧୩୮୮ ଅମିନ ଅଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୮୨ ଆର୍ଆଇ ପଦବି ଖାଲି ପଡ଼ିଥିବାବେଳେ ୧୦୭ ଏଆର୍ଆଇ ଓ ୯୦ଟି ଅମିନ ପଦବି ଖାଲିପଡ଼ିଛି । ଗଞ୍ଜାମ ଜିଲ୍ଲାରେ ୭୩ ଆର୍ଆଇ, ୧୨୩ ଏଆର୍ଆଇ ଓ ୧୪୩ଟି ଅମିନ ପଦବି ଖାଲି ପଡ଼ିଥିବା ବେଳେ ବଲାଙ୍ଗିରରେ ୬୬ ଆର୍ଆଇ, ୪୭ ଏଆର୍ଆଇ ଓ ୬୬ଟି ଅମିନ ପଦବି ଖାଲି ପଡ଼ିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।ତେବେ ଏହି ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ବିଶେଷ କରି ୫୫୯ଟି ଆର୍ଆଇ, ୮୨୭ ଏଆର୍ଆଇ ଓ ୬୮୬ଟି ଅମିନ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହୋଇଛି । ଆଗାମୀ ଦିନରେ ୨୯୬ ଆର୍ଆଇ, ୫୭୨ ଏଆର୍ଆଇ, ୫୪୬ ଅମିନ ନିଯୁକ୍ତ ହେବେ । ଏହି ପଦବିଗୁଡ଼ିକୁ ପୂରଣ କରିବା ପାଇଁ ଓଏସ୍ଏସ୍ଏସ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ପଡିଥିବା ଅବଶିଷ୍ଟ ପଦବିଗୁଡ଼ିକୁ ଉଭୟ ଚୟନ ପ୍ରକ୍ରିୟା ଓ ପଦୋନ୍ନତି ଭିତ୍ତିରେ ପୂରଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।