ମାଲକାନଗିରି,୨୬/୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା । ସୁକମା ଜିଲ୍ଲାରେ ନକ୍ସଲ ବିଲୋପ ଅଭିଯାନ ଅନ୍ତର୍ଗତ ନକ୍ସଲଙ୍କ ସହରୀ ଯୋଗାଣ ନେଟୱାର୍କକୁ ଧ୍ବସ୍ତ କରିବା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନିରନ୍ତର ନଜର ରଖାଯାଉଛି । ସମାନକ୍ରମରେ ଗତକାଲି ନକ୍ସଲ ସଂଗଠନର ପିଏଲଜି ଏ ବାଟାଲିଅନର ସହରୀ ଯୋଗାଣ ନେଟୱାର୍କର ଦୁଇ ଜଣଙ୍କ ସୂଚନା ପାଇବା ପରେ ସୁକମା ପୁଲିସ ପାଟନମପାରା ଦେବି ଛକ ଅଭିମୁଖେ ଯାଇଥିଲେ।
ସେଠାରେ ଏକ ଘରକୁ ଘେରାଉ କରି ୨ ସନ୍ଦିଗ୍ଧ ନକ୍ସଲ ଯବକଙ୍କୁ ପୁଲିସ ଗିରଫ କରିଛି । ପଚରାଉଚରାବେଳେ ମନ୍ତୋଷ ମଣ୍ଡଳ(୨୮) ଏବଂ ଏସ୍. ନଗାର୍ଜୁନ୍ (୩୦)ଙ୍କୁ ପୁଲିସ ଗିରଫ କରିଛି । ସନ୍ତୋଷ ମଣ୍ଡଳ ସୁକୁମା ଜିଲ୍ଲା ନିବାସୀ ହୋଇଥିବାବେଳେ ନାଗାର୍ଜୁନ ଆନ୍ଧ୍ରପ୍ରଦେଶ ବାସିନ୍ଦା ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୨କିଗ୍ରା ୟୁରିଆ ପାଉଡର, ୨ ଡବା ପୋଟାସିୟମ୍ ନାଇଟ୍ରେଟ୍, ୩ ଡବା ଆଲୁମିନିୟମ୍ ପାଉଡର ପ୍ୟାକେଟ ପ୍ୟାକିଂ ରାପର, ଟିଫିନ୍ ବୋମା ୨ଟି, ଡିଟୋନେଟର, ନକ୍ସଲ ପୁସ୍ତକ ଓ ସାମଗ୍ରୀ ନକ୍ସଲଙ୍କୁ ଯୋଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟରେ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।