ଭୁବନେଶ୍ୱର,୧୭/୧୧: ଭଦ୍ରକ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ (ବୁଲୁ) ପଟ୍ଟନାୟକ । ଗତ ସପ୍ତାହରେ ଏକ ୱେବ ଚ୍ୟାନେଲର କାର୍ଯ୍ୟକ୍ରମକୁ ଅତିଥି ହୋଇ ଯିବାବେଳେ ନିଜ ଘରଠାରୁ ଟାଉନ ହଲ୍ ଯାଏଁ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ ବୁଲୁ । ଏଭଳି ଶକ୍ତି ପ୍ରଦର୍ଶନ ଜରିଆରେ ବୁଲୁ ସ୍ପଷ୍ଟ ବାର୍ତ୍ତା ଛାଡ଼ିଛନ୍ତି, ୨୦୧୯ ନ ହେଲା ନାହିଁ, ୨୦୨୪ରେ ଟିକଟ ଦିଅ ।
ଭଦ୍ରକ ଆସନରୁ ୫ ଥର ବିଧାୟକ ଥିଲେ ଯୁଗଳ । ତାଙ୍କ ପୁଅ ବୁଲୁ ୨୦୧୯ରେ ଭଦ୍ରକରୁ ବିଜେଡି ଟିକଟ ଦୌଡ଼ରେ ଥିଲେ । ଟିକଟ ମିଳିଲା ସଂଜୀବ ମଲ୍ଲିକଙ୍କୁ । ସେତେବେଳେ ବୁଲୁ ବିଦ୍ରୋହୀ ହେଲେନି । ମାତ୍ର ସାଢ଼େ ୪ ବର୍ଷର ପ୍ରତୀକ୍ଷା ପରେ ଏବେ ବୁଲୁ ଆଗାମୀ ନିର୍ବାଚନ ପାଇଁ ଟିକଟ ଲବି ତେଜିଛନ୍ତି । ଦଳକୁ ନିଜ ଶକ୍ତି ବି ଦେଖାଇଲେଣି । ନଜର ୨୦୨୪ ଟିକଟ ଉପରେ ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ବିଜେଡିର କିଶୋର ନାଏକ ବିଧାୟକ ଅଛନ୍ତି । ୨୦୧୪ରେ ଏ ଆସନ ବିଜେପି ଜିତିଥିଲା । ୨୦୧୯ରେ କୁଚିଣ୍ଡା ବିଜେଡି ପ୍ରାର୍ଥୀ ଦୌଡ଼ରେ କିଶୋରଙ୍କ ସହ ଭୁବନେଶ୍ୱର କିଷାନ ମଧ୍ୟ ପ୍ରମୁଖ ଦାବିଦାର ଥିଲେ । ସେତେବେଳେ ଦଳ କିଷାନଙ୍କୁ ବୁଝାଇ ଦେଇଥିଲା । ଏବେ କିଷାନ କମର କଷିଲେଣି ୨୦୨୪ ପାଇଁ । ଜମନକିରା ବ୍ଲକରେ ନିକଟରେ ଏକ ବୈଠକ ହୋଇଥିଲା । ଏଥିରେ ଉଭୟ କିଷାନ ଓ ବିଧାୟକ କିଶୋର ନିଜ ନିଜ ସମର୍ଥକଙ୍କ ସହ ଉପସ୍ଥିତ ଥିଲେ । ବୈଠକରେ ଉଭୟ ଗୋଷ୍ଠୀ ଭିତରେ ବାକ୍ ଯୁଦ୍ଧରୁ ଧସ୍ତାଧସ୍ତି, ବାଡ଼ିଆପିଟା ହେଲା । ଉଭୟଙ୍କ ସମର୍ଥକ ନିଜ ନିଜ ନେତାଙ୍କ ପାଇଁ ଟିକଟ ଦାବି କରୁଛନ୍ତି ।
ଅନେକ ଆସନରେ ବିଜେଡି ଟିକଟ ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ଛକାପଞ୍ଝା, ଶକ୍ତି ପ୍ରଦର୍ଶନ । ସମସ୍ତ ଆଶାୟୀ ନିଜ ବଳ ଦେଖାଇ ଟିକଟ ଦାବି କଲେଣି । କେବଳ ବିଜେଡି ନୁହେଁ, ବହୁ ଆସନରେ ବିଜେପି ପାଇଁ ବି ମୁଣ୍ଡ ବ୍ୟଥା ବଢ଼ାଇଲେଣି ଏକାଧିକ ଆଶାୟୀ ।
ନୟାଗଡ଼ ବିଜେପିରେ ଦୁଇ ଗୋଷ୍ଠୀ । ଗତଥରର ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ଏଥର ବି ଟିକଟ ଦୌଡ଼ରେ ଅଛନ୍ତି । ଅନ୍ୟପଟେ ଅଛନ୍ତି କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ । ଉଭୟ ଗୋଷ୍ଠୀ ଭିତରେ ସବୁବେଳେ ଛକାପଞ୍ଝା । ଉଭୟ ଶିବିର ନିଜ ବଳ କଷୁଛନ୍ତି, ଦଳର ଶୀର୍ଷ ନେତୃତ୍ୱଙ୍କ ସାମ୍ନାରେ ଶକ୍ତି ବି ଦେଖାଉଛନ୍ତି । ଦଳର ବଡ଼ ନେତାଙ୍କ ଉପସ୍ଥିତିରେ ବି ଉଭୟ ଗୋଷ୍ଠୀଙ୍କ ବିବାଦ ଦେଖିବାକୁ ମିଳିଛି। କଟକ ସଦର ଆସନରେ ବିଜେପି ଟିକଟ ପାଇଁ ଦୁଇ ଯୁବ ନେତା ପ୍ରକାଶ ସେଠୀ ଓ ପ୍ରଦୀପ ବେହେରା ଲାଗି ପଡ଼ିଛନ୍ତି । ଉଭୟ ପୃଥକ ପୃଥକ କାର୍ଯ୍ୟକ୍ରମ ଆୟୋଜନ କରି ଦଳର ନଜର ଟାଣୁଛନ୍ତି ।
କଂଗ୍ରେସରେ ବି ସମଦଶା । ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦଙ୍କ ଘର ବାହୁଡ଼ା ପରେ ଜଳେଶ୍ୱରରେ କଂଗ୍ରେସ ଦି’ ଫାଳ । ଦେବୀ ଏହି ଆସନ ପାଇଁ ନିଜ ଦାବିଦାରୀ ରଖୁଥିବାବେଳେ ୨୦୧୯ର ପ୍ରାର୍ଥୀ ସୁଦର୍ଶନ ଦାସ ମଧ୍ୟ ନିୟମିତ କାର୍ଯ୍ୟକ୍ରମ କରି ନିଜ ବଳ ଜାହିର କରି ଚାଲିଛନ୍ତି । ଏକାମ୍ର ଭୁବନେଶ୍ୱର ଆସନରୁ ପୂର୍ବତନ ପ୍ରାର୍ଥୀ ରଶ୍ମୀ ମହାପାତ୍ର ଏଥର ବି ଟିକଟ ଦୌଡ଼ରେ ଆଗୁଆ ଥିବାବେଳେ ଜିଲ୍ଲା ସଭାପତି ବିଶ୍ୱଜିତ ଦାସ ଶକ୍ତି ପ୍ରଦର୍ଶନ କଲେଣି ।
ନିର୍ବାଚନକୁ ଆହୁରି ୫ ମାସ । ଟିକଟ ଆଶାୟୀଙ୍କ ଧାଁ ଧପଡ଼ ବଢ଼ିଗଲାଣି । ପଦଯାତ୍ରା, ବ୍ଲକ ଘେରାଉ, ଘରକୁ ଘର ଯିବା କାର୍ଯ୍ୟକ୍ରମବେଳେ ବି ଅନେକ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ସମାନ୍ତରାଳ ଭାବେ ପୃଥକ ପୃଥକ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି ।
ଆଶାୟୀଙ୍କ ଟିକଟ ଲବି ପାର୍ବଣରୁ ତେଜିଛି । ପାର୍ବଣ ପାଇଁ ନିଜ ସମର୍ଥକଙ୍କ ସହ ଟିକଟ ଆଶାୟୀମାନେ ଦୁର୍ଗାପୂଜା ମଣ୍ଡପ ବୁଲି ଜନସମ୍ପର୍କ ଯୋଡ଼ା ଆରମ୍ଭ କରିଛନ୍ତି । ପଶ୍ଚିମ ଓଡ଼ିଶାରେ ନୂଆଖାଇ ଭେଟଘାଟ ଟିକଟ ଆଶାୟୀଙ୍କ ପାଇଁ ଆଣିଦେଲା ସୁଯୋଗ । ରାଜନୀତି ନାଁ ନ ନେଇ ମଧ୍ୟ ୧୦ ଜିଲ୍ଲାରେ ନୂଆଖାଇ କାର୍ଯ୍ୟକ୍ରମ ଜରିଆରେ ଆଶାୟୀମାନେ ଦାବିଦାରୀ ରଖିଛନ୍ତି । ଇତିମଧ୍ୟରେ ଉପକୂଳ ଓଡ଼ିଶାରେ ଏବେ ବନ୍ଧୁ ମିଳନ ବଢ଼ିଯାଇଛି । ନୂଆ ପୁରୁଣା ନେତା ନିଜ ସମର୍ଥକଙ୍କୁ ଧରି ମେଳି କରୁଛନ୍ତି । ଦଳକୁ ପରୋକ୍ଷରେ ବାର୍ତ୍ତା ଦେଉଛନ୍ତି, ଆଗାମୀ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ । ସଭାସମିତିରେ ଅତିଥି ହେବାକୁ ଆଶାୟୀଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ନୂଆଖାଇ, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପରେ କାଳୀପୂଜା ପାଇଁ ଗାଁରୁ ସହର ଛାଇଗଲାଣି ହୋର୍ଡିଂ, ବ୍ୟାନର । ମାଳମାଳ ଆଶାୟୀ ନିଜ ମୁହଁ ଦେଖାଇ ଶୁଭେଚ୍ଛା ଜଣାଉଛନ୍ତି । ଦଳର ବଡ଼ ନେତାଙ୍କ ଫଟୋ ରଖି ଦଳ ପ୍ରତି ଆନୁଗତ୍ୟ ମଧ୍ୟ ଦେଖାଉଛନ୍ତି । ପରିବର୍ତ୍ତନ ପାଇଁ ସୋସିଆଲ୍ ମିଡିଆରେ ବି ନୂଆ ନାରା ଦେଲେଣି ଅନେକ ନୂଆ ଆଶାୟୀ । ନିଜ ସମର୍ଥକଙ୍କ ମାଧ୍ୟମରେ ଏସବୁ ନାରାକୁ ଭାଇରାଲ୍ ବି କରାଯାଉଛି ।
ଆଗକୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ବାର୍ତ୍ତା ହୋର୍ଡିଂରେ ଅନେକ ଆଶାୟୀ ମୁହଁ ଦେଖାଇବେ । ନୂଆବର୍ଷବେଳକୁ ଗଳିକନ୍ଦିରେ ବି ଛାଇଯିବ ହୋର୍ଡିଂ, ବ୍ୟାନର । କ୍ୟାଲେଣ୍ଡର ଛପାଇବାକୁ ବି ଅନେକ ପ୍ରସ୍ତୁତି ଚଳାଇଛନ୍ତି ।
ଜଟଣୀ ଆସନ ପାଇଁ ଟିକଟ ଦାବିଦାରଙ୍କ ଚାପ ଏମିତି ଯେ କୌଣସି ଦଳ କିଛି ସ୍ଥିର କରିପାରୁନାହାନ୍ତି । ସବୁ ଦାବିଦାର ନିଜ ସମର୍ଥକ, ପତିଆରା ଦେଖାଇ ଚାଲିଛନ୍ତି । କୌଣସି ଦଳରେ ଏଯାଏଁ ପ୍ରାର୍ଥୀ ଚୂଡ଼ାନ୍ତ ନୁହେଁ । ଜୟଦେବରେ ବିଧାୟକ ଅରବିନ୍ଦ ଢାଲିଙ୍କ ବିରୋଧରେ ବିଜେଡିର ଏକ ବଡ଼ ଗୋଷ୍ଠୀ ଏକାଠି ହୋଇଥିବାବେଳେ ଏକାଧିକ ଆଶାୟୀ ଟିକଟ ପାଇଁ ଲବି ଚଳାଇଛନ୍ତି । ନିମାପଡ଼ାରେ ଉଭୟ ବିଜେଡି ଓ କଂଗ୍ରେସରେ ଉଭା ହୋଇଥିବା ନୂଆ ଟିକଟ ଦାବିଦାର ପୁରୁଣା ନେତାଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି ।
ଏବେ ହୋର୍ଡିଂ, ବନ୍ଧୁ ମିଳନ, ଶୋଭାଯାତ୍ରାରେ ସୀମିତ ଥିବା ଶକ୍ତି ପ୍ରଦର୍ଶନ ଆଗକୁ ଆହୁରି ବଳ ପାଇବ । ଟିକଟ ପାଇଁ ବିଦ୍ରୋହ ବି ଛିଡ଼ା ହୋଇପାରେ ଅନେକ ଆସନରେ, ସବୁ ଦଳରେ । ନୂଆବର୍ଷ ପରେ ଚିତ୍ର ଆହୁରି ରୋମାଞ୍ଚକ ହେବ ।