ଭୁବନେଶ୍ୱର,୦୬/୦୪: ଅଯୋଧ୍ୟା ଯାହାଙ୍କ ଘର...ମର୍ଯ୍ୟାଦା ପୁରଷୋତ୍ତମ ସେ ରାମ..ତାଙ୍କ ଚରଣରେ କୋଟି କୋଟି ପ୍ରଣାମ..ଜୟ ଶ୍ରୀରାମ ଜୟ ଶ୍ରୀରାମ । ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ଉତ୍ସାହ ଆନନ୍ଦ । ରାମଭକ୍ତିରେ ଭିଜିଛନ୍ତି ଶ୍ରଦ୍ଧାଳୁ । ଭବ୍ୟ ଦିବ୍ୟ ରାମନବମୀ ପାଇଁ ଉତ୍ସବ ମୁଖର ହୋଇଛି ଦିଲ୍ଲୀରୁ ପଲ୍ଲୀ । ରାମଧ୍ୱନୀରେ କମ୍ପୁଛି ଗଗନ ପବନ । ଝଲସୁଛି ରାମ ମନ୍ଦିର । ଅଯୋଧ୍ୟା ରାମ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଧୁମଧାମ୍ରେ ପାଳନ ହୋଇଛି ଦିବ୍ୟ ଉତ୍ସବ ।
ଝଲସୁଛି ରାମ ମନ୍ଦିର- ପବିତ୍ର ରାମନବମୀ ଅବସରରେ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର । ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ରାମ ମନ୍ଦିର । ରଙ୍ଗୀନ୍ ଫୁଲରେ ଝଲସୁଛି ମନ୍ଦିର । ଭୋରରୁ ଶ୍ରଦ୍ଧାଳୁମାନେ ଆସି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ଭୋର ୫ଟାରେ ମଙ୍ଗଳଆଳତି, ୭ଟାରେ ପ୍ରଭୁଙ୍କ ଶୃଙ୍ଗାର ଆଳତି ଓ ପରେ ରାମଚରିତ ମାନସ ପାରାୟଣ ପାଠ ହୋଇଛି । ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିପାଇଁ ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ୫ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛି । ଖରା ସତ୍ତ୍ୱେ ଦିନ ତମାମ ଭକ୍ତଙ୍କ ଗହଳି ରହିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି । ପୁରୁଣା ଭୁବନେଶ୍ୱର କପିଳେଶ୍ୱରଙ୍କ ମନ୍ଦିରରେ ଥିବା ରାମମନ୍ଦିରରେ ମଧ୍ୟ ରାମନବମୀ ପାଳିତ ହୋଇଛି ।
ଅଯୋଧ୍ୟା ରାମ ମନ୍ଦିରରେ ସ୍ୱତନ୍ତ୍ର ଆୟୋଜନ- ପବିତ୍ର ରାମନବମୀ ଅବସରରେ ଉତ୍ତରପ୍ରଦେଶ ଅଯୋଧ୍ୟା ରାମ ମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଚଳଚଞ୍ଚଳ ହୋଇଛି ରାମ ନଗରୀ ଅଯୋଧ୍ୟା । ରାମଲାଲାଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଝୁଟିଛି । ଫୁଲରେ ସୁସଜ୍ଜିତ ହୋଇ ଝଲସି ଉଠିଛି ରାମ ମନ୍ଦିର । ଶ୍ରୀରାମ ଜନ୍ମଭୂମିର ମୁଖ୍ୟଦ୍ୱାର ଏବଂ ରାମ ମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲରେ ସଜା ଯାଇଛି । ଧୁମଧାମରେ ରାମନବମୀ ଉତ୍ସବ ପାଳନ ହୋଇଛି । ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କ ଜନ୍ମଉତ୍ସୋବ ଅନୁଷ୍ଠିତ ହେବ । ଏହାପରେ ଅଳତୀ ଓ ସୂର୍ଯ୍ୟତିଳକ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଭୁ ଶ୍ରୀରାମଙ୍କୁ ୫୬ ଭୋଗ ଲାଗି ହେବ । ଅଯୋଧ୍ୟା, କାଶୀ, ଦିଲ୍ଲୀ, ନାଗପୁର, କୋଲକାତା ସମେତ ଦେଶର ଅଲଗା ଅଲଗା ସହରରେ ରାମ ନବମୀ ନେଇ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି । ସକାଳୁ ସକାଳୁ ରାମଙ୍କୁ ଦର୍ଶନ କରି ଦିନ ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ । ଭବ୍ୟ ସମାରୋହ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।
ଅଲୌକିକ ଚରିତ୍ର ପ୍ରଭୁ ଶ୍ରୀରାମ- ଭାରତୀୟ ଧର୍ମ ଓ ସଂସ୍କୃତିରେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଏକ ଅନନ୍ୟ ଚରିତ୍ର । ପୁରାଣରେ ବର୍ଣ୍ଣିତ ହୋଇଛି ଜଳନ୍ଧର ଦୈତ୍ୟ ପାଇଁ ହିଁ ପ୍ରଭୁ ଶ୍ରୀରାମ ଅବତାର ନେଇ ଧରାବତରଣ କରିଥିଲେ । ପ୍ରବଳପ୍ରତାପୀ ଅସୁରଶ୍ରେଷ୍ଠ ଜଳନ୍ଧର ଧରାକୁ ସରା ମଣୁଥିଲା ଓ ତାର ପତ୍ନୀ ବୃନ୍ଦାବତୀ ଖୁବ୍ ସୁନ୍ଦରୀ, ସତୀ ଓ ଗୁଣବତୀ ଥିଲା । ସେଇ ଗର୍ବରେ ଜଳନ୍ଧର ଉନ୍ମତ୍ତ ହୋଇ ଦେବକୂଳକୁ ଭୟଭୀତ କରାଇଥିଲେ । ସମସ୍ତେ ତ୍ରାହି ତ୍ରାହି ଡାକ ଦେଲେ । ତ୍ରେତୟା ଯୁଗରେ ନୟନାଭିରାମ ପ୍ରଭୁ ଶ୍ରୀରାମଚନ୍ଦ୍ର ରାଜା ଦଶରଥଙ୍କ ପୁତ୍ର ଭାବରେ ଅଯୋଧ୍ୟାରେ ଜନ୍ମ ନେଲେ । ଅନନ୍ତ ଗୁଣର ଅଧିକାରୀ ଥିଲେ ସେ ପୁରୁଷୋତ୍ତମ । ସତ୍ୟ, ଧର୍ମ, ଦୟା, କ୍ଷମା, ଶାନ୍ତି, ତେଜ, ପ୍ରେମର ଏକ ମୂର୍ତ୍ତିମନ୍ତ ଅବତାର ସେ ।