ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ଜମ୍ମୁକାଶ୍ମୀରରେ ଶାନ୍ତି ଭଙ୍ଗ ପାଇଁ ଚେଷ୍ଟା କରୁଛି ପାକିସ୍ତାନ, ଅନୁପ୍ରବେଶ କରିବାକୁ ଜଗି ରହିଛନ୍ତି ୧୫୦ ଆତଙ୍କବାଦୀ

Published By : Tapas Panda | October 11, 2024 8:07 PM

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ସମେତ ଭାରତର ଅନ୍ୟ ଅଞ୍ଚଳକୁ ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି । ବିଏସ୍‌ଏଫର ଜଣେ ଶୀର୍ଷ ଅଧିକାରୀ ଏନେଇ ବଡ଼ ସୂଚନା ଦେଇଛନ୍ତି । ଜମ୍ମୁକାଶ୍ମୀର ଭିତରେ ପ୍ରବେଶ କରିବାକୁ ୧୫୦ ଆତଙ୍କବାଦୀ ଚକ୍ରାନ୍ତ ଚଳାଇଛନ୍ତି ବୋଲି ସେ କହିଛନ୍ତି । ଶୀତ ଋତୁ ଆସୁଥିବାରୁ ସୀମା ଆରପାରିରେ ଥିବା ଲଞ୍ଚପ୍ୟାଡ୍‌ରେ ଭାରତରେ ଅନୁପ୍ରବେଶ ଲାଗି ଅନାଇ ରହିଛନ୍ତି ଦେଢ଼ ଶହରୁ  ଅଧିକ ଆତଙ୍କବାଦୀ । କିନ୍ତୁ ସେମାନଙ୍କ ଚାଲ୍‌ ଭଣ୍ଡୁର କରିବା ପାଇଁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ) ସମ୍ପୂର୍ଣ୍ଣ ପ୍ରସ୍ତୁତ  ରହିଛି ବୋଲି ଅଧିକାରୀଜଣଙ୍କ କହିଛନ୍ତି । 

ବିଏସ୍‌ଏଫ ଆଇଜି (କାଶ୍ମୀର ଫ୍ରଣ୍ଟିୟର) ଅଶୋକ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନୁପ୍ରବେଶ ଲାଗି ଲଗାତାର ପ୍ରୟାସ ଜାରି ରହିଛି । ବିଭିନ୍ନ ଏଜେନ୍ସି ଦ୍ବାରା ମିଳିଥିବା ଗୁଇନ୍ଦା ତଥ୍ୟ ଆଧାରରେ ଆମେ ସୀମା ନିକଟରେ ସଶକ୍ତ ରଣନୀତି ପ୍ରସ୍ତୁତ କରିଛୁ ଏବଂ ସେନା ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛୁ । ସୀମା ପାର ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ଉପରେ ମଧ୍ୟ ବିଏସଏଫ୍‌ ନଜର ରଖିଛି । ଏହା ଦ୍ବାରା ଭାରତରେ କୌଣସି ପ୍ରକାର ଆତଙ୍କୀ ଆକ୍ରମଣକୁ ଭଣ୍ଡୁର କରିବାକୁ ବିଏସଏଫ୍‌ ଏବଂ ସେନା ସକ୍ଷମ ହୋଇପାରିବେ ।

ଏଲଓସି ଆରପଟେ ଆତଙ୍କବାଦୀଙ୍କ ସଂଖ୍ୟା ସାଧାରଣତଃ ୧୩୦-୧୫୦ ରହିଥାଏ । କିନ୍ତୁ ଏହି ସଂଖ୍ୟା ସମୟ ସମୟରେ ବଢ଼ିଥାଏ ବୋଲି ଆଇଜି ଅଶୋକ ଯାଦବ କହିଛନ୍ତି ।  ଜମ୍ମୁକାଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପରେ ସୃଷ୍ଟି ହୋଇଥିବା ଆହ୍ବାନକୁ ନେଇ ସେ କହଛନ୍ତି, ବିଏସଏଫ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ଜମ୍ମୁକାଶ୍ମୀର ପୋଲିସ ଏବଂ ପ୍ରଶାସନ ସହ ମିଣି କାମ କରିଥିଲା । ବହୁ ଆଓ୍ବାନ ଥିଲା, ବିପଦ ଥିଲା । ଏହା ସତ୍ତ୍ବେ ସମନ୍ବିତ ଯୋଜନା ମାଧ୍ୟମରେ କୌଣସି ପ୍ରକାଣ ଆକ୍ରମଣକୁ ରୋକିବା ସହ ନିର୍ବାଚନକୁ ସଫଳ ରୂପେ ପରିଚାଳନା କଲୁ । ଏବେ ଶୀତ ଋତୁ ଆସୁଛି ଏବଂ ପ୍ରସ୍ତୁତି ସରିଛି ବୋଲି ବିଏସ୍‌ଏଫ ଆଇଜି ଅଶୋକ ଯାଦବ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ, ଶୀତ ଆସିଲେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ଆତଙ୍କବାଦୀଙ୍କ ଯୋଜନାକୁ ଭଣ୍ଡୁର କରିବା ଲାଗି ବିଏସ୍‌ଏଫ ମୋବାଇଲ୍‌ ବଙ୍କର ସମେତ ମହିଳା ସୈନିକଙ୍କୁ ମଧ୍ୟ ମୁତୟନ କରିଛି । ଆତଙ୍କବାଦୀଙ୍କ ଗୋଷ୍ଠୀରେ କେତେ ଜଣ ମହିଳା ସଦସ୍ୟ ଥିବା ନେଇ ସୂଚନା ମିଳିଥିବା କହିଛନ୍ତି ଅଶୋକ ଯାଦବ । 

  • Jammu Kashmir
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.