ପ୍ରମୁଖ ଖବର
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା

ଭୁବନେଶ୍ୱର,୦୬/୦୫: ଟିଟିଲାଗଡ଼ ୪୫ ଡିଗ୍ରୀ ସେଲ୍‌ସିୟସ୍‌ରେ ଫୁଟିଲା । ଝାରସୁଗୁଡ଼ା, ଭବାନିପାଟଣା, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ାରେ ତାତି ୪୪ ପାର୍‌- ସାରା ପଶ୍ଚିମ ଓଡ଼ିଶା ଦାଉ ଦାଉ ହୋଇ ଜଳିଲା ରବିବାର । ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବି ସାଂଘାତିକ ଗ୍ରୀଷ୍ମ ପ୍ରବାହ । ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିଲେ ବି ପ୍ରବଳ ଗୁଳୁଗୁଳି ଯୋଗୁ ତାତି ଅନୁଭୂତି ୪୫ରୁ ୪୮ ଡିଗ୍ରୀ ଭଳି ଥିଲା । 

ଏମିତି କେବେ ହୋଇ ନ ଥିଲା । ଲଗାତାର ୨୧ ଦିନ ହେବ ଜଳୁଛି ଓଡ଼ିଶା ଏପ୍ରିଲ ୧୫ ତାରିଖ ଠାରୁ । ଗ୍ରୀଷ୍ମ ପ୍ରବାହରେ କଲବଲ ରାଜ୍ୟବାସୀ । ସବୁ ଆଡ଼େ ତ୍ରାହି ତ୍ରାହି ଡାକ । ବିକଳ ହୋଇ ଲୋକେ ଆର୍ତ୍ତ ନାଦ ଦେଲେଣି- ହେ ପ୍ରଭୂ! ମେଘ ଦେ, ପାଣି ଦେ....

ପାଣିପାଗ ବିଭାଗ ଆଶା ଦେଖାଉଛି, ଏମିତି ଆଉ ଦିନଟିଏ (ସୋମବାର) ହନ୍ତସନ୍ତ ହେବାକୁ ପଡ଼ିବ । ୭ ତାରିଖରୁ ମିଳିବ ବଡ଼ ଆଶ୍ୱସ୍ତି । ବର୍ଷା ହେବ । ସୋମବାର ପରବର୍ତ୍ତୀ ୩ ଦିନ ଭିତରେ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ । 

ଏକଥା ବି ଭବିଷ୍ୟବାଣୀ ଦେଇଛନ୍ତି ବିଶେଷଜ୍ଞମାନେ ଯେ ୧୨ ତାରିଖ ଯାଏ ବର୍ଷା ଲାଗି ରହିବ । ଭଲ ଦି ଅସରା ହେବ । ୩୦ରୁ ୪୦ ମିଲିମିଟର ଓ ସ୍ଥାନେ ସ୍ଥାନେ ୭୦ ମିଲିମିଟର ଯାଏ ବର୍ଷା ହେବ ବୋଲି ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । 

ରବିବାର ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଛଟପଟ କରିଥିଲା । ଟିଟିଲାଗଡ଼ ଜଳିଲା ୪୫ ଡିଗ୍ରୀ ସେଲସିୟସ୍‌ ତାଉରେ । ବୌଦ୍ଧ ୪୪.୬, ନୂଆପଡ଼ା ୪୪.୪, ବଲାଙ୍ଗୀର ୪୪.୩, ଭବାନୀପାଟଣା ୪୪, ଝାରସୁଗୁଡ଼ା ୪୪, ବାରିପଦା ୪୩.୮, ସୋନପୁର ୪୩.୫, ସମ୍ବଲପୁର ୪୩.୪ ଡିଗ୍ରୀ ତାତିରେ ଯେମିତି ଟକଟକ ହୋଇ ଫୁଟୁଥିଲା । କେନ୍ଦୁଝର, ନୟାଗଡ଼, ସୁନ୍ଦରଗଡ଼ ବି ୪୩ ଡିଗ୍ରୀ ଛୁଇଁଥିଲା । ଅନୁଗୁଳରେ ପାରଦ ୪୩ ଡିଗ୍ରୀ ପାଖାପାଖି ଛୁଇଁ ଯାଇଥିଲା ।   

ରବିବାର ଉପକୂଳ ଓଡ଼ିଶାରେ ଖରା ପ୍ରକୋପ ସାମାନ୍ୟ କମିଛି । ତାତି କମିଥିଲେ ବି ଆର୍ଦ୍ରତା ଯୋଗୁ ଭୀଷଣ ଗୁଳୁଗୁଳି କଲବଲ କରୁଛି ଉପକୂଳବାସୀଙ୍କୁ । ଗୁଳୁଗୁଳି ଏମିତି ଯେ ଗ୍ରୀଷ୍ମ କୋପରୁ ଟିକିଏ ବି ନିସ୍ତାର ମିଳିଲା ଭଳି ଲାଗୁନି । ଯାଜପୁର ୪୧.୫, ଖୋର୍ଦ୍ଧା ୪୧,  ଭଦ୍ରକ ୪୦.୮, ଚାନ୍ଦବାଲି ୪୦.୪,   ଛତ୍ରପୁର ୪୦.୨, କେନ୍ଦ୍ରାପଡ଼ା ୩୯.୯ ଡିଗ୍ରୀ ତାପମାତ୍ରା ଥିଲା ।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ସୋମବାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି ମଙ୍ଗଳବାର । କେତେକ ସ୍ଥାନରେ ପବନ ୩୦-୪୦ କିଲୋମିଟର ବେଗରେ ହୋଇପାରେ ।  ୭ରୁ ବର୍ଷା ବଢ଼ିବ । ମଙ୍ଗଳବାର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳର ଅନେକ ସ୍ଥାନରେ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଗଜପତି, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ବଜ୍ରପାତ ସହ ଝଡ଼ ତୋଫାନ ଆଶଙ୍କା ଅଛି । ପବନ ବେଗ ୪୦-୫୦ କିମି ଛୁଇଁପାରେ । ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଅନୁଗୁଳ, ଜଗତସିଂହପୁର, କୋରାପୁଟ, ରାୟଗଡ଼ାରେ ବଜ୍ରପାତ ସହ ୩୦-୪୦ କିମି ପବନ ଓ ଧୂଳି ଝଡ଼ ଆଶଙ୍କା ଅଛି । ୮ ଓ ୯ରେ ବି ବର୍ଷାର ଅଧିକ ସମ୍ଭାବନା ଅଛି । ୧୦ ଓ ୧୧ରେ ବି ସ୍ୱଳ୍ପ ବର୍ଷା ହୋଇପାରେ ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.