ପ୍ରମୁଖ ଖବର
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ମନ ମାନେନା... ଲଢ଼ିବାକୁ ଛନଛନ୍‌, ମଇଦାନ ଛାଡ଼ୁନାହାନ୍ତି ଭେଟେରାନ...

ଭୁବନେଶ୍ୱର,୦୯/୦୫: “ପାନ, ଗୁଆ, ଖଇର, ଗୁଆକାତି... ଭଲ ବ୍ୟବସାୟ ରାଜନୀତି...” । କ୍ଷମତାର ମୋହ ହିଁ ସେମିତି । ଯିଏ ଥରେ ପାଇଛି, ତାହା ପଛରେ ସାରା ଜୀବନ ଧାଇଁଛି । ସତେ ଯେମିତି ରାଜନୀତିରେ ଅବସର ନାହିଁ । ବୟସ ୮୦ ପାର୍‌ କଲାଣି । ୫ ଥରିଆ ବିଧାୟକ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର  ମନ୍ତ୍ରୀ ବି ରହିଛନ୍ତି । ଏଥର ପୁଣି ଘସିପୁରାରୁ ନିର୍ବାଚନ ଲଢ଼ୁଛନ୍ତି ବିଜେଡିର ଭେଟେରାନ ନେତା ବଦ୍ରିନାରାୟଣ ପାତ୍ର ।

ବିଧାନସଭା ୱେବସାଇଟ କହୁଛି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଜନ୍ମ ୧୯୪୨ ଜୁନ୍‌ ପହିଲାରେ । ବୟସ ଛୁଇଁବ ୮୨ ବର୍ଷ  । ମନ୍ତ୍ରୀ ଥିଲେ ତିନି ଥର । ଦଳ ରାଜ୍ୟ ମୁଖିଆ ପଦରେ ବସିଥିଲେ ଅନେକ ବର୍ଷ । ଏଥର ପୁଣି ସେ ବିଧାନସଭା ଯିବାକୁ କମର କଷିଛନ୍ତି ନିରଞ୍ଜନ ପଟ୍ଟନାୟକ । ଶେଷ ଥର ଜିତିଥିଲେ ୨୦୦୪ରେ । 

ବିଜେପିର ଟାଣୁଆ ନେତା ସାଂସଦ ପ୍ରତାପ ଷଡ଼ଙ୍ଗୀ । ଦୁଇଥର ବିଧାୟକ, ଥରେ ସାଂସଦ ଓ ପୁଣି କେନ୍ଦ୍ର ମନ୍ତ୍ରୀ । ତଥାପି ମଇଦାନ ଛାଡ଼ିନାହାନ୍ତ ନନା । ବୟସ ପାଖାପାଖି ୭୦ । ପୁଣି ଥରେ ଲଢ଼ୁଛନ୍ତି ବାଲେଶ୍ୱର ଲୋକସଭା ପାଇଁ । 

ବୟସ ସାଥ୍‌ ଦେଉ କି ନ ଦେଉ, ମନ ଥକିନି । ନିର୍ବାଚନ ଲଢ଼ିବାକୁ ପୂରା ଉଚ୍ଛନ୍ନ । କିଏ ୫ ଥର, କିଏ ୭ ଥର ଜିତିଲେଣି । ତଥାପି ଆସନ ଛାଡ଼ିବାକୁ ଇଚ୍ଛା ନାହିଁ । କାହାକୁ ୭୦ ଡେଇଁଲାଣି, କିଏ ୮୦ ପାର୍‌ । କିଏ ୪ ଦଶନ୍ଧି ଧରି ଲଗାତାର ନିର୍ବାଚନ ମଇଦାନ ଛାଡ଼ି ନାହାନ୍ତି, ଆଉ କିଏ ବିଧାୟକ, ସାଂସଦ, ମନ୍ତ୍ରୀ ସବୁ ପଦ ପଦବୀ ପାଇ ସାରିଛନ୍ତି ଜୀବନ କାଳ ଭିତରେ । ତଥାପି ରାଜନୀତି ମୋହ ଛାଡୁନି ।  

ପ୍ରଚଣ୍ଡ ତାତି ଓ କାଳବୈଶାଖୀକୁ ଖାତିର ନ କରି ଭେଟେରାନ ନେତା ଧାଉଁଛନ୍ତି ସକାଳରୁ ସଞ୍ଜ, ରାତିରୁ ସକାଳ । ଖାଲି ସେତିକି ନୁହେଁ, ବାରମ୍ବାର ହାରିବା ପରେ ବି ଅନେକ ଭେଟେରାନଙ୍କ ମନ ମାନୁନି । ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି ଭାଗ୍ୟ ପରୀକ୍ଷା ପାଇଁ । ମନରେ ଆଶା, କାଳେ ଶେଷ ଲଢ଼େଇରେ ଭାଗ୍ୟଦେବୀ ପ୍ରସନ୍ନ ହେବେ । 

ଏତିକିରେ ଅଟକିଯାଇନି ଭେଟେରାନ ଯୋଦ୍ଧାଙ୍କ ରାଜନୀତି କାହାଣୀ । ଅନେକ ଚାକିରିରୁ ଅବସର ପରେ ରାଜନୀତି ମଇଦାନକୁ ଡେଇଁଛନ୍ତି। ଆଶା- ବିଧାୟକ/ସାଂସଦ/ମନ୍ତ୍ରୀ ହେବି ।

୨୦୨୪ ଲଢ଼େଇରେ ପ୍ରାୟ ୫୦ରୁ ଅଧିକ ଜଣାଶୁଣା ଭେଟେରାନ ମଇଦାନରେ ଲଢ଼ୁଛନ୍ତି । ବୟସର ଅପରାହ୍ନରେ ବି ଦମ୍‌ ଲଗାଇ ଦେଇଛନ୍ତି ବିଜୟ ବାନା ଉଡ଼ାଇବାକୁ । ଖରା, ବର୍ଷାକୁ ଖାତିର ନ କରି ବୁଲୁଛନ୍ତି ଦିନରାତି । ୮୦ ବର୍ଷରୁ ଅଧିକ ତାଲିକାରେ ତିନି ହେଭିୱେଟ ନେତା ଅଛନ୍ତି ମଇଦାନରେ । ୭୦ ବର୍ଷରୁ ଅଧିକ ନେତା ସଂଖ୍ୟା ପାଖାପାଖି ୨୦ । ୬୦ରୁ ୭୦ ବର୍ଷ ଭିତରେ ୧୫ରୁ ଅଧିକ ନେତା ଥିବା ଆମ ନଜରକୁ ଆସିଛି । ମୋଟ ଉପରେ ହିସାବ କଲେ ଏ ତାଲିକା ଆହୁରି ଲମ୍ବିବ ।  

ନବେ ଦଶକରୁ ଆଠଗଡ଼ ମଇଦାନରେ ଚାଲିଛି ରାଜାଙ୍କ ରାଜୁତି । ୧୯୯୦ରୁ ଏଯାବତ୍‌ ଲଗାତାର ୭ ଥର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ରୁ ଜିତି ଆସୁଛନ୍ତି । ବୟସ ୭୦ ଛୁଇଁଲାଣି । କିନ୍ତୁ, ମଇଦାନ ଛାଡ଼ିନାହାନ୍ତି । ଅଷ୍ଟମ ଥର ପାଇଁ ଆଠଗଡ଼ରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ଏଥର ଭେଟେରାନ ରାଜାଙ୍କୁ ତଗଡ଼ା ଟକ୍କର ଦେଉଛି ବିଜେପି । 

ପୁଣି ଥରେ ଆନନ୍ଦପୁରରୁ ଲଢ଼ୁଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ୧୯୮୦ରେ ଜୟଦେବ ଏ ଆସନରୁ ପ୍ରଥମ ଥର ଜିତିଥିଲେ । ମୋଟ ୪ଥର ଜିତିଛନ୍ତି, ମନ୍ତ୍ରୀ ବି ହୋଇଛନ୍ତି । ଶେଷ ଥର ଜିିତିଥିଲେ ୨୦୦୪ରେ । ମାତ୍ର ହାର୍‌ ମାନିନି ମନୋବଳ । ବୟସ ୭୩ ଛୁଇଁଥିଲେ ବି ବିଜୟ ଆଶାରେ ପୁଣି କଠିନ ନିର୍ବାଚନ ଯୁଦ୍ଧକୁ ଡେଇଁଛନ୍ତି ।  

ବାର୍ଦ୍ଧକ୍ୟ ବାଧକ ହୋଇପାରିନି ଭେଟେରାନଙ୍କ ରାଜନୈତିିକ ଅଭିଳାଷ ଆଗରେ । ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ବୟସ ୮୧ । ୧୯୯୫ରୁ ୨୦୧୪ ଯାଏଁ ଲଗାତାର ୫ ଥର ବ୍ରହ୍ମପୁରରୁ ବିଧାୟକ ଥିଲେ । ୨୦୧୯ରେ ଟିକଟ ମିଳିଲାନି । ତଥାପି ଆଶା ଛାଡ଼ିନଥିଲେ, ଦଳର ଅନୁଗତ ରହିଲେ । ଶେଷରେ ୨୦୨୪ ଯୁଦ୍ଧରେ ବହୁ ଆଶାୟୀଙ୍କୁ ଚକ୍‌ମା ଦେଇ ୮୧ ବର୍ଷୀୟ ଚ୍ୟାଉପଟ୍ଟନାୟକ ବିଜେଡିରୁ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଏଥର ଲଢ଼େଇ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଛି ତାଙ୍କ ପାଇଁ । 

 ୨୦୧୯ରେ ବହୁ ସଂଘର୍ଷ କରି ଜିତିଥିଲେ ୫ ଥରିଆ ବିଧାୟକ ଡାକ୍ତର ନୃସିଂହ ସାହୁ । ବୟସ ୭୫ । ସମସ୍ତେ ଭାବିଥିଲେ, ବାର୍ଦ୍ଧକ୍ୟ ମାପକାଠିରେ ନୃସିଂହଙ୍କ ଟିକଟ କାଟିବ ଦଳ । ହେଲେ ଯୁବପିଢ଼ିଙ୍କୁ ପଛରେ ପକାଇ ଗଳି ପଶି ବିଜେଡି ଟିକଟ ହାତେଇଲେ ନୃସିଂହ । ପର୍ଜଙ୍ଗରେ ଏଥର ପୁଣି ନୃସିଂହଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବିଭୂତି ଭୁଷଣ ପ୍ରଧାନ । 

 ୧୯୫୦ ମସିହାରେ ଜନ୍ମ ନେଇଥିବା ଅଶ୍ୱିନୀ ପାତ୍ରଙ୍କୁ ଏବେ ୭୩ ବର୍ଷ । ୪ ଥର ବିଧାୟକ ହେବା ସହ ଥରେ ମନ୍ତ୍ରୀ ବି ରହିଛନ୍ତି । ଏଥର ପୁଣି ଜଳେଶ୍ୱରରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଅଶ୍ୱିନୀ ।   କରୋନା ଡର ନ ହଟିବା ଯାଏଁ ବିଧାନସଭା ଗୃହ ଭିତରକୁ ଆସୁନଥିଲେ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଫୁଲ୍ଲ ସାମଲ । ବାର୍ଦ୍ଧକ୍ୟ ଓ ସଂକ୍ରମଣ ଭୟରେ ଉଭୟ ଭିଡିଓ କନଫରେନ୍ସିଂରେ ଏକାଠି ବସି ବିଧାନସଭା କାର୍ଯ୍ୟରେ ଯୋଡ଼ି ହେଉଥିବା କୁହାଯାଉଥିଲା । ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଭାବିଥିଲେ- ଏଥର ଦୁଇ ପ୍ରଫୁଲ୍ଲଙ୍କ ଟିକଟ କଟିବା ଥୟ ।

 ମାତ୍ର ସବୁ ଅଙ୍କକୁ ଭୁଲ୍‌ ପ୍ରମାଣିତ କରି ପୁଣି ଥରେ ନିର୍ବାଚନ ମଇଦାନ କମ୍ପାଉଛନ୍ତି  ଭେଟେରାନ ପ୍ରଫୁଲ୍ଲ ସାମଲ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଉଭୟ ପ୍ରଫୁଲ୍ଲଙ୍କୁ ୭୭ ଛୁଇଁଲାଣି । ଏଥର ପ୍ରଫୁଲ୍ଲ ସାମଲ ଭଣ୍ଡାରିପୋଖରୀ ଯାଇ ଭଦ୍ରକରେ ପ୍ରାର୍ଥୀ ହୋଇଛନ୍ତି । କାମାକ୍ଷାନଗରରୁ ୪ ଥର ଜିତିଥିବା ପ୍ରଫୁଲ୍ଲ ମଲ୍ଲିକ ପୁଣି ପଞ୍ଚମ ବିଜୟ ଆଶାରେ ଲଢ଼ୁଛନ୍ତି ।   

 ୭୨ ବର୍ଷ ବୟସରେ ମନ୍ତ୍ରୀ ପ୍ରଦୀପ ଅମାତ (୭୨) ପୁଣି ବୌଦ୍ଧ ମଇଦାନରେ ଓହ୍ଲାଇଛନ୍ତି । ୫ ଥର ଜିତି ସାରିଛନ୍ତି । ସେହିପରି ୫ ଥର ଜିତିବା ପରେ ବି ପଦ୍ମନାଭ ବେହେରା ରାଜନୀତି ମଇଦାନ ଛାଡ଼ିବାକୁ ନାରାଜ । ୧୯୫୬ରେ ଜନ୍ମିତ ପଦ୍ମନାଭଙ୍କୁ ଏବେ ୬୮ । ଏଥର ପୁଣି ସେ ଲଢ଼ୁଛନ୍ତି ବୀରମହରାଜପୁର ଆସନରୁ । 

 ବିଧାନସଭା ଲଢ଼ୁଥିବା ଭେଟେରାନ ନେତାଙ୍କ ତାଲିକାରେ କିଶୋର ପଟେଲ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ରାୟ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ତାରାପ୍ରସାଦ ବାହିନୀପତି, ଦେବୀ ପ୍ରସାଦ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, ରାଜେନ୍ଦ୍ର ଢୋଲକିଆ, ସୁରେଶ ପୂଜାରୀ, ଭକ୍ତଚରଣ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅରବିନ୍ଦ ଢାଲି, ଗଣେଶ୍ୱର ବେହେରା, ନଳିନୀକାନ୍ତ ପ୍ରଧାନ, ନିରଞ୍ଜନ ପୂଜାରୀ, ରଘୁନାଥ ସାହୁ, ସଞ୍ଜୀବ ସାହୁ, ସନ୍ତୋଷ ସିଂ ସାଲୁଜା, ହିମାଂଶୁ ଶେଖର ଚାଉଳିଆ, ସିପ୍ରା ମଲ୍ଲିକ, ଭୀମସେନ ଚୌଧୁରୀଙ୍କ ଭଳି ଆହୁରି ଅନେକ ଅଛନ୍ତି ।

 ଲୋକସଭା ଲଢ଼େଇରେ ବି ବହୁ ବରିଷ୍ଠ ହେଭିୱେଟ ମଇଦାନରେ ଅଛନ୍ତି । ୭୩ ବର୍ଷୀୟ ଶ୍ରୀକାନ୍ତ ଜେନା ଜୀବନ କାଳରେ ୩ ଥର ବିଧାୟକ, ସାଂସଦ ସହ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି । ତଥାପି ରାଜନୀତି ମଇଦାନରେ ଚଳଚଞ୍ଚଳ ଓ ବେଶ୍‌ ସକ୍ରିୟ । ବାଲେଶ୍ୱର ଆସନ ଜିତିବାକୁ ପୂରା କମର କଷି ଦେଇଛନ୍ତି । ବାଲେଶ୍ୱର ଲୋକସା ଆସନରୁ ଏଥର ନିର୍ଦ୍ଦଳୀୟ ଲଢ଼ୁଛନ୍ତି ୭୨ ବର୍ଷୀୟ ଖାରବେଳ ସ୍ୱାଇଁ । 

 ୭୨ ବର୍ଷ ବୟସରେ ଅନନ୍ତ ସେଠୀ ଭଦ୍ରକରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସରୁ । ୬ ଥର ସାଂସଦ ହେବା ପରେ ବି ୬୬ ବର୍ଷରେ ପୁଣି ଥରେ କଟକରୁ ଲୋକସଭା ପାଇଁ ଲଢ଼ୁଛନ୍ତି ଭର୍ତ୍ତୃହରି ମହତାବ । ଏଥର ସେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ ରୁଦ୍ର ପାଣି, ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନ, କଟକରୁ ଭର୍ତ୍ତୃହରି ମହତାବ ଓ ସୁରେଶ ମହାପାତ୍ର, ପୁରୀରୁ ଅରୁପ ପଟ୍ଟନାୟକ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ଜନାର୍ଦ୍ଦନ ଦେହୁରୀ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ମୟୂରଭଞ୍ଜରୁ ନବଚରଣ ମାଝୀ, ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ ଓ ସଙ୍ଗୀତା ସିଂହଦେଓ, କନ୍ଧମାଳରୁ ଅମୀର ଚାନ୍ଦ ନାୟକଙ୍କ ଭଳି ଭେଟେରାନ ନେତା ସଂସଦ ଯିବାକୁ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.