ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଅବାଞ୍ଛିତ ମୃତ୍ୟୁ...

ଭୁବନେଶ୍ୱର: ମୃତ୍ୟୁ ଅନିର୍ବାର୍ଯ୍ୟ, ମୃତ୍ୟୁ ଅପରିହାର୍ଯ୍ୟ । ତଥାପି ନିଜକୁ ସୁରକ୍ଷିତ ରଖି ମୃତ୍ୟୁକୁ ଅସ୍ୱୀକାର କରିବାର ଅଭିଳାଷ ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ସର୍ବଦା ଜାଗ୍ରତ ଥାଏ । କିନ୍ତୁ ବର୍ଦ୍ଧିତ ପ୍ରଦୂଷଣ କୁପ୍ରଭାବରେ ପରିବେଶର ଗୁଣାତ୍ମକ ମାନରେ ଅବନତି ଘଟି ଯଦି ମାନବୀୟ ସ୍ୱାସ୍ଥ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୁଏ ଏବଂ ମଣିଷ ଅବାଞ୍ଛିତ ମୃତ୍ୟୁର ଦ୍ୱାରରେ ଉପନୀତ ହୁଏ, ତେବେ ଏହା ନିଶ୍ଚିତ ରୂପେ ମାନବ ଜାତି ନିମନ୍ତେ ନିରାଶାର ଭାବ ସୃଷ୍ଟି କରିବ । ନିକଟରେ ପ୍ରକାଶିତ ହୋଇଥିବା କେତେକ ବିଶ୍ୱସ୍ତରୀୟ ରିପୋର୍ଟରେ ପ୍ରଦୂଷଣ ପ୍ରଭାବରେ ସଂଘଟିତ ହେଉଥିବା ଅକାଳ ମୃତ୍ୟୁ ସମ୍ପର୍କିତ ତଥ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ବିଗତ ଦୁଇ ଶତାବ୍ଦୀ ଧରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ନୂତନ ଉଦ୍ଭାବନ ଓ ଅଭିନବତାକୁ ଅନ୍ଧ ଭାବରେ ବିନିଯୋଗ କରି ଅସହନୀୟ ମାର୍ଗରେ ଯେପରି ବିକାଶର ଧାରା ଅବ୍ୟାହତ ରହିଛି, ତାହା ପ୍ରକାରାନ୍ତରେ ମାନବ ସମାଜ ଏବଂ ସାମଗ୍ରିକ ଭାବେ ଜୀବଜଗତ ପାଇଁ ଅବାଞ୍ଛିତ ମୃତ୍ୟୁର ପଥ ଉନ୍ମୁକ୍ତ କରିଛି । ବିଷାକ୍ତ ରାସାୟନିକ ଏବଂ ଅନ୍ୟ କ୍ଷତିକାରକ ପଦାର୍ଥ ସବୁର ପ୍ରାକୃତିକ ପରିସଂସ୍ଥା ତଥା ମାନବ ପରିବେଶ ମଧ୍ୟକୁ ପ୍ରବେଶ ଦ୍ୱାରା ଗ୍ରହର ପ୍ରକୃତି-ପରିବେଶ ପ୍ରଦୂଷିତ ହୋଇ ଅବକ୍ଷୟିତ ହୋଇଚାଲିଛି ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)ରେ ଅବନତି ଘଟୁଛି । ପ୍ରଦୂଷଣ ସମ୍ପ୍ରତି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଅକାଳ ମୃତ୍ୟୁ ପାଇଁ ବିଶ୍ୱର ସର୍ବବୃହତ୍‌ ପରିବେଶଜନିତ ବିପଦ ସୃଷ୍ଟିର କାରକ ରୂପେ ଉଭା ହୋଇଛି । ଏହା ଉଲ୍ଲେଖଯୋଗ୍ୟ ଯେ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତାର ଅବକ୍ଷୟ ହେଉଛି ସାମ୍ପ୍ରତିକ ସମୟର ପ୍ରମୁଖ ତ୍ରିକୋଣୀୟ ବିଶ୍ୱ ପରିବେଶ ସମସ୍ୟା, ଯାହା ପ୍ରଭାବରେ ଗମ୍ଭୀର ସାମାଜିକ ଓ ଅର୍ଥନୈତିକ ସମସ୍ୟା ସବୁକୁ ମଧ୍ୟ ଅତିକ୍ରମ କରିଯାଉଛି । ଏସବୁ ପରିଣାମରେ ଜୀବଜଗତର ଭବିଷ୍ୟତ ସ୍ୱାସ୍ଥ୍ୟଗତ ସ୍ଥିତି ଘନ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ।

ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରସ୍ତୁତ ଆମେରିକାର ଲାନସେଟ୍‌ କମିଶନର ୨୦୧୯ ମସିହା ରିପୋର୍ଟର ସଂକ୍ଷିପ୍ତ ଆଲୋଚନା ଅତ୍ୟନ୍ତ ପ୍ରଯୁଜ୍ୟ ଅଟେ । ଏହାର ଆକଳନ ‘ଗ୍ଲାବାଲ ବର୍ଡେନ୍‌ ଅଫ୍‌ ଡିଜିଜେସ୍‌, ଇଞ୍ଜୁରିଜ୍‌ ଆଣ୍ଡ ରିସ୍କ ଫ୍ୟାକ୍ଟର୍‌ ଷ୍ଟଡି ୨୦୧୯' ସଦ୍ୟତମ ତଥ୍ୟର ବିନିଯୋଗରେ ପ୍ରସ୍ତୁତ ହୋଇଛି । ଏଥିରେ ଉଲ୍ଲେଖ ରହିଛି ଯେ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୯୦ଲକ୍ଷ ଲୋକଙ୍କର ମୃତ୍ୟୁ ନିମନ୍ତେ ପ୍ରଦୂଷଣ ହିଁ ପ୍ରକାରାନ୍ତରେ ଦାୟୀ, ଯାହା ହେଉଛି ବିଶ୍ୱର ପ୍ରତି ଛଅଟି ମୃତ୍ୟୁ ମଧ୍ୟରୁ ଗୋଟିଏ । ବର୍ଦ୍ଧିତ ଶିଳ୍ପାୟନ ଏବଂ ସହରୀକରଣର ଅପ୍ରତ୍ୟାଶିତ ପ୍ରଭାବରେ ଘଟୁଥିବା ଏହି ଆଧୁନିକ ପ୍ରଦୂଷଣ ବିପଦରୁ ମୃତ୍ୟୁ ସଂଖ୍ୟାରେ ୨୦୧୫ ମସିହା ଠାରୁ ୭% ଏବଂ ୨୦୦୦ ଠାରୁ ୬୬%ରୁ ଊଦ୍ଧ୍ୱର୍ ବୃଦ୍ଧି ଏଥିରେ ପରିଲକ୍ଷିତ ହୋଇଛି । ଏପରି ଅପମୃତ୍ୟୁ କାରଣରୁ ୨୦୧୫ରେ ବିଶ୍ୱରେ ସଂଘଟିତ ହୋଇଥିବା ମୋଟ୍‌ କ୍ଷତିର ପରିମାଣ ହେଉଛି ୪.୬ ଟ୍ରିଲିୟନ ଆମେରିକୀୟ ଡଲାର (ବିଶ୍ୱ ଅର୍ଥନୈତିକ ଉତ୍ପାଦର ୬.୨%) । ପରିତାପର ବିଷୟ ହେଉଛି ଯେ, ପ୍ରଦୂଷଣର ପ୍ରଭାବ ଗଭୀର ଅସମାନ ଭାବରେ ଅନୁଭୂତ ହେଉଛି । କାରଣ ପ୍ରଦୂଷଣ ସମ୍ବନ୍ଧୀୟ ମୃତ୍ୟୁର ୯୨% ଏବଂ ପ୍ରଦୂଷଣର ଅର୍ଥନୈତିକ କ୍ଷତିର ସର୍ବାଧିକ ଭାର ବିଶ୍ୱର ସ୍ୱଳ୍ପ ଆୟକାରୀ ଏବଂ ମଧ୍ୟବିତ୍ତ ରାଷ୍ଟ୍ରମାନଙ୍କରେ ହିଁ ଘଟୁଛି । ତଥ୍ୟ ଦର୍ଶାଉଛି ଯେ, ସ୍ଥିତିରେ ଉନ୍ନତି ସାଧିତ ହେଉନାହିଁ ଏବଂ ଏସବୁ ରାଷ୍ଟ୍ରମାନଙ୍କ କ୍ଷେତ୍ରରେ ପ୍ରଦୂଷଣ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ନିମନ୍ତେ ଏକ ମୁଖ୍ୟ ବୈଶ୍ୱିକ ବିପଦ ରୂପେ ଉଭା ହୋଇଛି ।

ଏଥିରେ ପ୍ରମୁଖ ଧ୍ୟାନ ଆକର୍ଷଣକାରୀ କ୍ଷେତ୍ରଗୁଡ଼ିକ ହେଉଛି ବାୟୁ ପ୍ରଦୂଷଣ, ରାସାୟନିକ ପ୍ରଦୂଷଣ ଏବଂ ସୀସା ବିଷାକ୍ତୀକରଣ ପରି ପ୍ରକ୍ରିୟା । ବାୟୁ ପ୍ରଦୂଷଣ କାରଣରୁ ବିଶ୍ୱରେ ପ୍ରତିବର୍ଷ ୬୫ଲକ୍ଷରୁ ଅଧିକ ମୃତ୍ୟୁ ଘଟୁଛି ଏବଂ ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ୧୪ଲକ୍ଷ ଅକାଳ ମୃତ୍ୟୁ ପାଇଁ ଜଳ ପ୍ରଦୂଷଣ ଦାୟୀ ଥିଲାବେଳେ ଭାରୀ ଧାତୁ ସୀସାର କ୍ଷତିକାରକ ପ୍ରଭାବରେ ପ୍ରତିବର୍ଷ ୯ଲକ୍ଷ ପର୍ଯ୍ୟନ୍ତ ମୃତ୍ୟୁ ଘଟୁଛି । ଅନ୍ୟପକ୍ଷରେ, ୮.୭ ଲକ୍ଷ ମୃତ୍ୟୁ ପାଇଁ ବୃତ୍ତିଗତ ଜୀବନରେ ବିଭିନ୍ନ ବିଷାକ୍ତ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା ଦ୍ୱାରା ସୃଷ୍ଟ ବିପଦ ହିଁ ଦାୟୀ । ଯଦି ଅଧିକ ବିସ୍ତୃତ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗୃହୀତ ହୋଇପାରିବ, ତେବେ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ସମୁଦାୟ ପ୍ରଭାବ ନିଃସନ୍ଦେହରେ ଅଧିକ ହେବ । ବିଷାକ୍ତ ରାସାୟନିକ ପଦାର୍ଥସବୁ ଯେପରି କ୍ରମଶଃ ବର୍ଦ୍ଧିତ ହାରରେ ବ୍ୟବହୃତ ହେଉଛି, ଆଗକୁ ମୃତ୍ୟୁ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ସୀସା ପରି ଭାରୀ ଧାତୁମାନଙ୍କର ପ୍ରଭାବ, ବିଶେଷ ରୂପେ ଶିଶୁମାନଙ୍କ ଉପରେ ଏବଂ ଗରିବ ରାଷ୍ଟ୍ରମାନଙ୍କରେ ପୂର୍ବ ଆକଳନ ଅପେକ୍ଷା ବହୁଳ ଭାବରେ ପରିଲକ୍ଷିତ ହେଉଛି । ଏହା ସେମାନଙ୍କ ବୁଦ୍ଧିମତ୍ତାରେ ହ୍ରାସ ଘଟାଇବା ସହ ପ୍ରକାରାନ୍ତରେ ବିଦ୍ୟାଳୟରେ ଅନୁପସ୍ଥିତି, ଆଚରଣଗତ ସମସ୍ୟା, ଅର୍ଥନୈତିକ ଉତ୍ପାଦନରେ ହ୍ରାସ ଏବଂ ବାର୍ଷିକ ପ୍ରାୟ ୧ ଟ୍ରିଲିୟନ ଡଲାର ବୈଶ୍ୱିକ ଆର୍ଥିକ କ୍ଷତି ଘଟାଉଛି । ଏହାର ସଂଶୋଧିତ ପଦକ୍ଷେପ ସ୍ୱରୂପ ବିଶ୍ୱର ସମସ୍ତ ଦେଶରେ ଏବେ ଯାନବାହନ ଇନ୍ଧନରୁ ସୀସାକୁ ହଟାଇ ଦିଆଯାଉଛି । ବିଡ଼ମ୍ବନାର ବିଷୟ ହେଉଛି ଯେ, ପ୍ରଦୂଷଣଜନିତ ଏପରି ଅକାଳ ମୃତ୍ୟୁ ଘଟଣାରେ ଭାରତ ଉଦ୍‌ବେଗଜନକ ସ୍ଥିତିରେ ରହିଛି । ୨୦୧୯ର ଆକଳନରେ ପ୍ରଦୂଷଣ ପ୍ରଭାବରେ ୨୩.୬ଲକ୍ଷ ମୃତ୍ୟୁ ସହ ଭାରତ ବିଶ୍ୱରେ ପ୍ରଥମ ଏବଂ ୨୧ଲକ୍ଷ ସହ ଚାଇନା ଦ୍ୱିତୀୟ ସ୍ଥାନ ଅଧିକାର କରିବାର କୁଖ୍ୟାତି ଅର୍ଜନ କରିଛନ୍ତି । ଭାରତରେ ବିଶ୍ୱର ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ଥିଲା ସର୍ବାଧିକ (୧୬ଲକ୍ଷ) ।

ସ୍ୱିଜରଲ୍ୟାଣ୍ଡର ‘ଆଇକ୍ୟୁଏଆର’ ସଂଗଠନ ଦ୍ୱାରା ପ୍ରସ୍ତୁତ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୩ରେ ଭାରତ ତା'ର ଦୁଇ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ ଏବଂ ପାକିସ୍ତାନ ପରେ ତୃତୀୟ ମନ୍ଦ ବାୟୁ ଗୁଣବତ୍ତାର ଦେଶ ରୂପେ ପରିଗଣିତ ହୋଇଛି । ବାଂଲାଦେଶର ବାୟୁରେ ଥିବା ପ୍ରଦୂଷଣକାରୀ ପିଏମ୍‌ (କଣିକା ପଦାର୍ଥ) ୨.୫ର ବାର୍ଷିକ ହାରାହାରି ପରିମାଣ ୭୯.୯ ମାଇକ୍ରୋଗ୍ରାମ ହୋଇଥିଲା ବେଳେ ଭାରତରେ ଏହା ୫୪.୪ ଏବଂ ପାକିସ୍ତାନରେ ୭୩.୭ ମାଇକ୍ରୋଗ୍ରାମ ବୋଲି ପ୍ରକାଶ ପାଇଛି । କ୍ରମାଗତ ଚତୁର୍ଥ ଥର ନିମନ୍ତେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ସହର ଭାବରେ ଦିଲ୍ଲୀ ଅପଯଶର ଅଧିକାରୀ ହୋଇଛି । ଦୁନିଆର ୧୧ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ଦଶଟି ଭାରତରେ ଅବସ୍ଥିତ, ଅନ୍ୟଟି ହେଉଛି ପାକିସ୍ତାନର ଲାହୋର । ଭାରତୀୟ ଜନସଂଖ୍ୟାର ୯୬ ପ୍ରତିଶତ ଲୋକ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍ଥିରୀକୃତ ବାର୍ଷିକ ପିଏମ୍‌ ୨.୫ ମାତ୍ରା ଠାରୁ ସାତ ଗୁଣରୁ ଅଧିକ ପରିମାଣର କଣିକା ସଂସ୍ପର୍ଶରେ ଆସୁଛନ୍ତି, ଯାହା ନିଶ୍ୱାସରେ ଫୁସଫୁସ ମଧ୍ୟକୁ ଯାଇ ରକ୍ତରେ ମିଶୁଛି । ଶରୀରରେ ଏସବୁ ସୂକ୍ଷ୍ମ କଣିକା ପଦାର୍ଥର ଉପସ୍ଥିତି ହୃଦ୍‌ରୋଗ, ଶ୍ୱାସକ୍ରିୟାଜନିତ ବ୍ୟାଧି, କର୍କଟ ରୋଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିର କାରଣ ହେଉଛି । ଅନେକ ଭିନ୍ନ ଆକାରର ହୋଇଥିବା ପିଏମ୍‌ର ଉତ୍ସ ହେଉଛି ଯେକୌଣସି ପ୍ରକାରର ଦହନ ବା ଧୂଳିକଣା ସୃଷ୍ଟି କରୁଥିବା କାର୍ଯ୍ୟକଳାପ । ସୂକ୍ଷ୍ମ କଣିକା ଜୀବାଶ୍ମ ଇନ୍ଧନ ଜଳିବାରୁ ସୃଷ୍ଟିହୁଏ, ଯେପରିକି କାର୍‌ରେ ପେଟ୍ରାଲ, ଟ୍ରକରେ ଡିଜେଲ, ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ବ୍ୟବହୃତ କୋଇଲାରୁ । ଏପରିକି କାଷ୍ଠ ଜାଳେଣି ମଧ୍ୟ ଭିନ୍ନ ଭିନ୍ନ ଆକାରର କଣିକା ସୃଷ୍ଟିର ଏକ ଉତ୍ତମ ଉତ୍ସ ।

ପ୍ରଦୂଷଣ ସାଧାରଣତଃ ଏକ ସ୍ଥାନୀୟ ପ୍ରସଙ୍ଗ ଭାବରେ ବିବେଚିତ ହୁଏ, ଯାହାର ସମାଧାନ ନିମନ୍ତେ ପ୍ରାଦେଶିକ ଅଥବା ଜାତୀୟ ନିୟମାବଳୀ ମାଧ୍ୟମରେ ଉଦ୍ୟମ କରାଯାଏ । ବର୍ତ୍ତମାନ କିନ୍ତୁ ଏହା ସୁସ୍ପଷ୍ଟ ଯେ ପ୍ରଦୂଷଣ ହେଉଛି ଆମ ଗ୍ରହ ନିମନ୍ତେ ଏକ ଗମ୍ଭୀର ବିପଦ³ ଯାହାର କାରଣ ପ୍ରସାରଣ ଏବଂ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ସ୍ଥାନୀୟ ସୀମା ଅତିକ୍ରମ କରି ବିଶ୍ୱବ୍ୟାପୀ ଅନୁଭୂତ ହେଉଛି । ଏଥିନିମନ୍ତେ ସମସ୍ତ ପ୍ରମୁଖ ଆଧୁନିକ ବିଷାକ୍ତ ପ୍ରଦୂଷକ ପଦାର୍ଥ ଉପରେ ବିଶ୍ୱସ୍ତରୀୟ କାର୍ଯ୍ୟପନ୍ଥା ଗ୍ରହଣର ଆବଶ୍ୟକତା ରହିଛି । ସମସ୍ତ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାରକୁ ପରିତ୍ୟାଗ କରି ସ୍ୱଚ୍ଛ, ଅକ୍ଷୟ ଶକ୍ତିର ଉତ୍ସକୁ ତ୍ୱରାନ୍ୱିତ ବେଗରେ ଗ୍ରହଣ କରିବା ହେଉଛି ପ୍ରଦୂଷଣକୁ ରୋକିବା ନିମନ୍ତେ ଏକ ପ୍ରଭାବଶାଳୀ ରଣନୀତି । ଏହା ମଧ୍ୟ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପର ନିର୍ଗମନକୁ ହ୍ରାସ କରି ଜଳବାୟୁ ପରିବର୍ତ୍ତନକୁ ମନ୍ଥର କରିଥାଏ । ଅତଏବ, ଏହି ପଦକ୍ଷେପ ଗ୍ରହର ସ୍ୱାସ୍ଥ୍ୟ ନିମନ୍ତେ ଦ୍ୱିଗୁଣ ଲାଭ ହାସଲ କରେ । ବିପଜ୍ଜନକ ରାସାୟନିକ ପଦାର୍ଥ ତଥା ବାୟୁ, ଜଳ ଏବଂ ମୃତ୍ତିକା ପ୍ରଦୂଷଣ ପ୍ରଭାବରୁ ସଂଘଟିତ ମୃତ୍ୟୁସଂଖ୍ୟା ଓ ସ୍ୱାସ୍ଥ୍ୟ ସମସ୍ୟାର ହ୍ରାସ ନିମନ୍ତେ ସବୁ ସ୍ତରରେ ପ୍ରତିବଦ୍ଧତାର ପ୍ରକାଶ ଏକାନ୍ତ ଅପରିହାର୍ଯ୍ୟ । ଅନ୍ୟଥା ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ଆଗାମୀ ଦିନରେ ନୂତନ ଉଚ୍ଚତାକୁ ସ୍ପର୍ଶ କରି ମାନବଜାତି ଓ ଜୀବଜଗତକୁ ପଙ୍ଗୁ କରିଦେବ ।

ଏପରି ବୈଶ୍ୱିକ ସ୍ଥିତିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଦୂଷଣର ଭୟାବହତାକୁ ରୋକିବା ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରିବା ହେଉଛି ସାମ୍ପ୍ରତିକ ସମୟର ଏକ ପ୍ରମୁଖ ଆହ୍ୱାନ । ଉଲ୍ଲେଖନୀୟ କଥା ହେଉଛି, ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଏହାର ୨୦୨୨-୨୫ ରଣନୀତିର ତିନିଟି ପ୍ରମୁଖ ସ୍ତମ୍ଭ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତା ହ୍ରାସ ସହିତ ପ୍ରଦୂଷଣକୁ ନିର୍ଣ୍ଣିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହାର ସ୍ୱାସ୍ଥ୍ୟଭିତ୍ତିକ ବୈଶ୍ୱିକ ବାୟୁ ଗୁଣବତ୍ତା ନିର୍ଦ୍ଦେଶାବଳୀକୁ ଯଥେଷ୍ଟ କଡ଼ାକଡ଼ି କରିଛି । ପରିବେଶକୁ ପ୍ରଦୂଷିତ କରୁଥିବା ଉତ୍ସ ଏବଂ ପଦାର୍ଥ ସବୁକୁ ଚିହ୍ନଟ କରି ପରିତ୍ୟାଗ କରିବା ଏବଂ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା ଦଣ୍ଡବିଧାନର ଆବଶ୍ୟକତା ରହିଛି । ସହନୀୟ ବିକାଶର ନୀତିକୁ ପାଥେୟ କରି ଏକ ପ୍ରଦୂଷଣରହିତ ଧରିତ୍ରୀର ପୁନରୁଦ୍ଧାର ଦିଗରେ ସମୁଚିତ ପଦକ୍ଷେପ ଗ୍ରହଣ ଆମର ଲକ୍ଷ୍ୟ ହେବା ବାଞ୍ଛନୀୟ । ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ପରେ ଏବେ ସମୟ ଉପନୀତ ହୋଇଛି, ଯେତେବେଳେ ଭାରତର ଜନସଧାରଣଙ୍କର ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ବିକାଶକୁ ପୁନଃଚିତ୍ରିତ କରିବା ସହ ପ୍ରଦୂଷଣ-ରାକ୍ଷସକୁ ଦମନ କରିବା ଏବଂ ସୁସ୍ଥ, ଗୁଣାତ୍ମକ ଜୀବନଯାପନ ନିମନ୍ତେ ଉତ୍ତମ ମାନଯୁକ୍ତ ପରିବେଶ ସୃଷ୍ଟି କରିବା ସମସ୍ତ ହିତାଧିକାରୀ ଏବଂ ସରକାରଙ୍କର ପ୍ରାଥମିକତା ହେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.