ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କାହାକୁ ବାଛିବେ ୮୦ ଲକ୍ଷ ଯୁବ ଭୋଟର: ମୋଦି ଗ୍ୟାରେଣ୍ଟି, ବଡ଼ ଘୋଷଣାକୁ ବିଜେପିର ଭରସା, ୫ ଲକ୍ଷ ଚାକିରି, ବେକାରୀ ଭତ୍ତା ନେଇ କଂଗ୍ରେସର ପ୍ରତିଶ୍ରୁତି

ଭୁବନେଶ୍ୱର,୦୫/୦୫: ଅଶି ଲକ୍ଷ ଭୋଟ । ହାରାହାରି ହିସାବରେ ବିଧାନସଭା କ୍ଷେତ୍ର ପିଛା ପାଖାପାଖି ୫୪ ହଜାର ଭୋଟ । ଯୁଆଡ଼େ ମୁହାଁଇବ, ସିଏ ଜିତବା ପକ୍କା । ଇଏ ହେଉଛି ଓଡ଼ିଶାରେ ଯୁବ ଭୋଟରଙ୍କ ଶକ୍ତି । ୧୮ରୁ ୨୯ ବର୍ଷ ଭିତରେ ଥିବା ଏହି ବିଶାଳ ବାହିନୀ ଏଥର ନିର୍ବାଚନରେ ନିର୍ଣାୟକ ଭୂମିକା ନେବେ ।

ଏକଥାକୁ ସବୁ ଦଳ ବୁଝୁଛନ୍ତି । ସମସ୍ତେ ଲାଗି ପଡ଼ିଛନ୍ତି ଯୁବ ଭୋଟ ଭିଡ଼ିବାକୁ । କିଏ ଭୋଟ ଆଗରୁ ପ୍ୟାକେଜ୍‌ ବର୍ଷା କରିଛି, କିଏ ଭୋଟ ପାଇଁ ଏବେ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରାଉଛି । ସ୍ୱୟମ, ନୂଆ ଓ ଛାତ୍ରବୃତ୍ତିର ଦ୍ୱାହି ଦେଇ ବିଜେଡି ଯୁବ ଭୋଟ ହାତେଇବାକୁ ଭରସା କରିଛି । ବିଜେପି ମୋଦିଙ୍କ କ୍ରେଜ୍‌କୁ ନେଇ ଯୁବ ଭୋଟରଙ୍କୁ ଆକର୍ଷିତ କରିବାକୁ କସରତ ଚଳାଇଛି । କଂଗ୍ରେସ ଚାକିରି ଓ ବେକାରୀ ଭତ୍ତାର ପ୍ରତିଶ୍ରୁତି ଦେଇ ଯୁବ ଭୋଟରଙ୍କ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି । ଯୁବବର୍ଗଙ୍କ ମନ ଜିତିବାକୁ ସମସ୍ତେ ଭଳି କି ଭଳି ଫର୍ମୁଲା ଆପଣାଉଛନ୍ତି । 

ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୬ ଲକ୍ଷ ୧୯ ହଜାର ୨୪୪ । ସେଥିରେ ଯୁବ (୧୮ରୁ ୨୯ ବର୍ଷ) ଭୋଟରଙ୍କ ସଂଖ୍ୟା ପ୍ରାୟ ୮୦ ଲକ୍ଷ । ଏପ୍ରିଲ ୧୫ ସୁଦ୍ଧା ରାଜ୍ୟରେ ୧୮-୧୯ ବର୍ଷ ବୟସ୍କ ନୂଆ ଭୋଟରଙ୍କ ସଂଖ୍ୟା ୮ ଲକ୍ଷ ୭୧ ହଜାର ୫୪ଜଣ । ୨୦ରୁ ୨୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୭୦ ଲକ୍ଷ ୪୨ ହଜାର ୫୬୪ ।

ରାଜନୈତିକ ବିଶ୍ଳେଷକଙ୍କ ମତରେ ଯୁବ ବର୍ଗ ହିଁ ଭୋଟରଙ୍କୁ ବୁଥ ଯାଏଁ ଆଣିବାରେ ବଡ଼ ଭୂମିକା ନେଇଥାଏ । ଯୁବକମାନେ ସାଧାରଣତଃ ଯାହାକୁ ସମର୍ଥନ କରନ୍ତି, ଏକ ବଡ଼ ଗୋଷ୍ଠୀ ଭାବେ ଭୋଟ ଦିଅନ୍ତି । ଅର୍ଥାତ୍‌ ଗାଁ ହେଉ କି ସହର ପ୍ରତି ବୁଥ୍‌ରେ ସେଇ ପ୍ରାର୍ଥୀ ଆଗୁଆ ରହିବ, ଯାହା ପଛରେ ଯୁବବର୍ଗର ବଡ଼ ସମର୍ଥନ ଥିବ । ତେଣୁ ସବୁ ଦଳ ବୁଥ ସ୍ତରରେ ଯୁବକମାନଙ୍କୁ ସଂଗଠିତ କରିବା ସହ ନିଜ ଆଡ଼କୁ ଟାଣିବାକୁ ଜାଲ ବିଛାଇଛନ୍ତି । ଏବେଠାରୁ ଅନେକ ଗାଁ ଗହଳି, ୱାର୍ଡରେ ଯୁବବର୍ଗଙ୍କୁ ଏକାଠି କରିବାକୁ ଭୋଜି   ଆରମ୍ଭ ହୋଇଗଲାଣି । ଭୋଟ ଯେତେ ପାଖେଇବ, ଏସବୁ ଆହୁରି ଜୋରଦାର ହେବ ।

ଓଡ଼ିଶାରେ ଏଥର ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ପ୍ରଥମ ପର୍ଯ୍ୟାୟରେ ମେ’ ୧୩ରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ଆସନରେ ଭୋଟ ହେବ । ପ୍ରଥମ ପର୍ଯ୍ୟାୟରେ ଯୁବ ଭୋଟରଙ୍କ ସଂଖ୍ୟା ୧୬ ଲକ୍ଷ ୪୩ ହଜାରରୁ ଅଧିକ । 

ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା କ୍ଷେତ୍ର ଓ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଭୋଟ ପଡ଼ିବ ମେ’ ୨୦ ତାରିଖରେ । ଏହି ପର୍ଯ୍ୟାୟରେ ନିର୍ଣ୍ଣାୟକ ଭୂମିକା ନେବେ ପ୍ରାୟ ୧୭ ଲକ୍ଷ  ଯୁବ ମତଦାତା ।

ତୃତୀୟ ପର୍ଯ୍ୟାୟ ଭୋଟ ତାରିଖ ମେ’ ୨୫ । ଏହି ପର୍ଯ୍ୟାୟରେ କଟକ, ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ହେବ । ଏହି ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ୭୮ ହଜାରରୁ ଅଧିକ ଯୁବ ଭୋଟର ଅଛନ୍ତି । ଅଧିକାଂଶ ଲୋକସଭା ଆସନ ହାଇପ୍ରୋଫାଇଲ୍‌ ଥିବାରୁ ଯୁବ ଭୋଟ ଭିଡ଼ିବାକୁ ସବୁ ଦଳ ଲାଗି ପଡ଼ିଛନ୍ତି । 

ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ଭୋଟ ହେବ ଜୁନ୍‌ ୧ ତାରିଖରେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଯୁବ ଭୋଟର ଅଛନ୍ତି ୨୨ ଲକ୍ଷ ୮୫ ହଜାର । ଏହି ଭୋଟରୁ ସିଂହଭାଗ ଯୁଆଡ଼କୁ ମୁହାଁଇବ, ସେଇ ଦିଗରେ ଜନମତ ମୁହାଁଇବା ସମ୍ଭାବନା ଅଛି । 

୧୮-୧୯ ବୟସ୍କ ମତଦାତା ଏଥର ପ୍ରଥମ ଥର ଭୋଟ ଦେବେ । ଏମାନଙ୍କ ଭୋଟ ହାର ସବୁଠୁ ଅଧିକ ରହିଥାଏ । ଏ ବର୍ଗ କଲେଜ ପଢ଼ୁଆ ଛାତ୍ରଛାତ୍ରୀ ହୋଇଥିବାରୁ ସେମାନଙ୍କୁ ଆକର୍ଷିତ କରିବାକୁ ସବୁ ଦଳର ଛାତ୍ର ସଂଗଠନ କର୍ମକର୍ତ୍ତା ଲାଗି ପଡ଼ିଛନ୍ତି ମିଶନରେ । 

୨୦ରୁ ୨୯ ବର୍ଷ ବୟସ୍କ ଯୁବ ଭୋଟରର ମୁଖ୍ୟ ପ୍ରସଙ୍ଗ ରୋଜଗାର ଓ ଚାକିରି । ଏହି ବର୍ଗର ଭୋଟର ସଂଖ୍ୟା ୭୦ ଲକ୍ଷରୁ ଅଧିକ । କଂଗ୍ରେସ ଏଥିପାଇଁ ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ମାସିକ ୩ ହଜାର ଟଙ୍କାର ବେକାରୀ ଭତ୍ତା ଦେବାକୁ ଘୋଷଣା କରିଛି । ଶିକ୍ଷାନୁଷ୍ଠାନ ଓ ଚାକିରିରେ ପଛୁଆ ବର୍ଗ ପାଇଁ ୫୦% ସଂରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଇଛି । 

ବିଜେଡି ଏଯାଏଁ ନିର୍ବାଚନୀ ଇସ୍ତାହାର ଜାରି କରିନି । ମାତ୍ର ଦଳ ସ୍ପଷ୍ଟ କରିଛି, ଏଥର ସରକାରକୁ ଆସିଲେ ସ୍ୱତନ୍ତ୍ର ଯୁବ ବଜେଟ ଆଣିବୁ । ନୂଆ ଓ ଯୋଜନାରେ +୩ ଓ ପିଜି ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ର ବୃତ୍ତି ବିଜେଡିର ଭୋଟ ବ୍ୟାଙ୍କ ବଢ଼ାଇବ ବୋଲି ଦଳ ଆଶାବାଦୀ ଅଛି । ଏହି ଛାତ୍ରବୃତ୍ତି ଯୋଗୁ ସାଢ଼େ ୪ ଲକ୍ଷ ଯୁକ୍ତ ୩ ଛାତ୍ରଛାତ୍ରୀ ଓ ୩୫ ହଜାର ପିଜି ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଏହା ସାଙ୍ଗକୁ ନବୀନ ମ୍ୟାଜିକ କାର୍ଡ ଯୁବ ଭୋଟରଙ୍କ ମନକୁ ଛୁଇଁଥିବା ବିଜେଡି ଆଶା କରୁଛି । 

ବିଜେପି ରବିବାର ଇସ୍ତାହାର ଆଣିବ ରାଜ୍ୟ ପାଇଁ । ଦଳର ଇସ୍ତାହାରରେ ଯୁବ ବର୍ଗ ପାଇଁ ନିଯୁକ୍ତି, ଛାତ୍ର ପାଇଁ ବୃତ୍ତି ଭଳି ବଡ଼ ଘୋଷଣା ହୋଇପାରେ । ରାଜ୍ୟରେ ନିଯୁକ୍ତି ନ ମିଳିବାରୁ ଦାଦନ ସମସ୍ୟା ବଢ଼ୁଥିବା ନେଇ ବିଜେପି ସବୁବେଳେ ପ୍ରସଙ୍ଗ ଉଠାଇବା ସହ ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରି ଆସୁଛି । ତେଣୁ ମୋଦି ସରକାରଙ୍କ ମୁଦ୍ରା ଯୋଜନା, ସ୍କିଲ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ ଭଳି ଯୋଜନାରେ ଯୁବବର୍ଗ ଉପକୃତ ହୋଇଥିବା ବିଜେପି ଦାବି କରୁଛି । ମୋଦି ଗ୍ୟାରେଣ୍ଟିର ଛୋଟ ଛୋଟ ଭିଡିଓକୁ ସୋସିଆଲ୍‌ ମିଡିଆରେ ବିଜେପି ପ୍ରସାରିତ କରି ଚାଲିଛି । ଏହାବାଦ୍‌ ଅସ୍ମିତା କାର୍ଡ ଖେଳି ବିଜେପି ଯୁବ ଭୋଟରଙ୍କୁ ଟାଣିବାକୁ ପ୍ରୟାସ ଚଳାଇଛି ।

ସବୁ ଦଳ ବୁଝିଛନ୍ତି, ଯୁବବର୍ଗ ହିଁ ଅନ୍ୟ ଭୋଟରଙ୍କୁ ବୁଝାଇ ସୁଝାଇ ପ୍ରଭାବିତ କରିପାରିବେ । ଭୋଟ ବ୍ୟାଙ୍କ ବଢ଼ାଇବା ସହ ବୟସ୍କ ଭୋଟରଙ୍କୁ ବୁଥକୁ ଆଣିବାରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.