ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରାଜ୍ୟର ୮ ଲୋକସଭା ଆସନରେ ସମ୍ମାନର ଲଢ଼େଇ: ସାରା ରାଜ୍ୟର ଆଖି, କିଏ ଜିତିବ ବାଜି...

ଭୁବନେଶ୍ୱର,୦୫/୦୪: ରଣକ୍ଷେତ୍ର ପ୍ରସ୍ତୁତ । ସରିଛି ସମରସଜ୍ଜା । ମହାଲଢ଼େଇରେ କିଏ ମାରିନେବ ବାଜି । କିଏ ପିନ୍ଧିବ ବିଜୟ ମୁକୁଟ । ଜନତା ଜନାର୍ଦ୍ଦନ କାହା ମୁଣ୍ଡରେ ଢାଳିବେ ଭୋଟ ଆଶୀର୍ବାଦର କଳସ? ରାଜ୍ୟର ୮ ସମ୍ମାନଜନକ ଲୋକସଭା ଆସନକୁ ନେଇ ଆରମ୍ଭ ହୋଇଛି ଏମିତି କାଉଣ୍ଟଡାଉନ୍‌ । ସମସ୍ତଙ୍କ ଆଖି ଏ ହାଇପ୍ରୋଫାଇଲ ଆସନର ମହାଯୋଦ୍ଧାଙ୍କ ଉପରେ ।

ବିଗ୍‌ଫାଇଟକୁ ନେଇ ସମ୍ବଲପୁର କମ୍ପୁଛି । ପଦ୍ମଚିହ୍ନରେ ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶଙ୍ଖ ଚିହ୍ନରେ ତାଙ୍କୁ ମୁକାବିଲା କରୁଛନ୍ତି ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କଂଗ୍ରେସ ପ୍ରାର୍ଥୀ ଭାବେ ଭୋଟ ମଇଦାନକୁ ଲମ୍ଫ ମାରିଛନ୍ତି ଭେଟେରାନ ନଗେନ୍ଦ୍ର ପ୍ରଧାନ । ସମ୍ବଲପୁର ଗଡ଼ରେ ବିଜୟ ବାନା ଉଡ଼ାଇବାକୁ ଧର୍ମେନ୍ଦ୍ର ଓ ପ୍ରଣବ ଲଗାଇଛନ୍ତି ଜି ଜାନ୍‌ । ଭୋଟ ସମାବେଶ ସହ ରୋଡ ସୋ’ରେ ଦୁଇ ନେତାଙ୍କ ଗର୍ଜନ ତଗଡ଼ା ଧରିଲାଣି । ଦୁଇ ମହାଯୋଦ୍ଧା ଚାମ୍ପିଅନ ହେବାକୁ ଲଗାଇଛନ୍ତି କଳ, ବଳ ଓ କୌଶଳ । ସ୍ଥାନୀୟ ପ୍ରସଙ୍ଗକୁ ଧରି ମୁକୁ ଓ ବବି ଭୋଟରଙ୍କ ମନ ଜିଣିବାକୁ ଭୋଟଭିକ୍ଷାକୁ ଜୋର୍‌ଦାର୍‌ କରିଛନ୍ତି । କିଏ ହେବ ବିଜେତା? ଫଳ ଜାଣିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି ଓଡ଼ିଶା ।

ଭୁବନେଶ୍ୱର ସାଂସଦ ଭାବେ ପୁଣି ଇନିଂସ ଆରମ୍ଭ କରିବେ କି ଅପରାଜିତା ଷଡ଼ଙ୍ଗୀ? ନା ବିଜେପି ହାତରୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଛଡ଼ାଇ ନେବେ କି ଏ ସମ୍ମାନଜନକ ସିଟ୍‌? ଏ ପ୍ରଶ୍ନର ଜବାବ ତ ଜୁନ୍‌ ୪ରେ ମିଳିବ । ମାତ୍ର ଏବେ ଠୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା । ଅଭିଜ୍ଞ ଅପରାଜିତାଙ୍କୁ ସାମନା କରୁଛନ୍ତି ଭେଟେରାନ ସୁର ରାଉତରାୟଙ୍କ ପୁଅ ମନ୍ମଥ । ଭୋଟ ଚବିଶର ରାଜନୈତିକ ସମୀକରଣ ମଧ୍ୟ ଭିନ୍ନ ରହିଛି । ବିଜେଡି ଏ ଏମ୍‌ପି ଆସନ ନିଜ ଦଖଲକୁ ନେବାକୁ ବହୁ ଆଗରୁ ଗେମ୍‌ପ୍ଲାନ ପ୍ରସ୍ତୁତ କରିଛି । ବିଜେଡି ଚକ୍ରବ୍ୟୂହ ଭେଦିବାକୁ ଅପରାଜିତା ମଧ୍ୟ ବଳ ବଢ଼ାଉଛନ୍ତି । ଗତଥର ଅପରାଜିତା ୨୩ ହଜାର ଭୋଟରେ ବିଜୟ ମୁକୁଟ ପିନ୍ଧିଥିଲେ । ଏଥର ଏଠାରେ କଂଗ୍ରେସ ମଧ୍ୟ ୟାସିର ନୱାଜଙ୍କୁ ଛିଡ଼ା କରାଇଛି । ତେଣୁ ଏ ଆସନରେ ହାଇଭୋଲଟେଜ ଲଢ଼େଇ ଜଳଜଳ ।   

ଶ୍ରୀକ୍ଷେତ୍ର ପୁରୀ ସଂସଦୀୟ କ୍ଷେତ୍ରରେ ମଧ୍ୟ ଏଥର ଲଢ଼େଇ ପୂରା ଆରପାର୍‌ । ଉଭୟ ବିଜେପି ଓ ବିଜେଡି ‘ମିଶନ ପୁରୀ’ ଲକ୍ଷ୍ୟ ନେଇ ଗେମ୍‌ପ୍ଲାନ କରିଛନ୍ତି । ବିଜେପି ଗତଥରର ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଧରି ମଇଦାନକୁ ଓହ୍ଲାଇଛି । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ବଦଳରେ ପୂର୍ବତନ ମୁମ୍ବାଇ ପୁଲିସ କମିଶନର ତଥା ଗତ ଥରର ଭୁବନେଶ୍ୱର ଏମ୍‌ପି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଭରସା କରିଛି । ସମ୍ବିତ ଓ ଅରୂପ ନିଜ ଭୋଟଭିକ୍ଷା ଅଭିଯାନକୁ ତେଜିଛନ୍ତି । ସମ୍ବିତ ‘ମୋଦି ୠ୍ୟାରେଣ୍ଟି’ ଉପରେ ଭରସା ରଖିଛନ୍ତି । ଅରୂପଙ୍କ ବଡ଼ ବଳ ହେଉଛି ‘ନବୀନ ମ୍ୟାଜିକ୍‌’ । ପୁରୀ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି କଂଗ୍ରେସର ସୁଚରିତା ମହାନ୍ତି । ୨୦୧୯ରେ ବିଜେଡି ସାଢ଼େ ୧୧ ହଜାର ଭୋଟ ବ୍ୟବଧାନରେ ପୁରୀରେ ଉଡ଼ାଇଥିଲା ଶଙ୍ଖ ବାନା । କଂଗ୍ରେସ ଖାତାକୁ ଯାଇଥିଲା ୪୫ ହଜାର ଭୋଟ । ଏଥର କିଏ ଭୋଟରଙ୍କ ମନ ଜିଣିବ ତାହା ଅସ୍ପଷ୍ଟ ।

ଉପକୂଳ ଓଡ଼ିଶାର କଟକ ଲୋକସଭା ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ବିଜେଡିକୁ ବାଏ ବାଏ କହି ବିଜେପିରୁ ପୁଣି ମଇଦାନକୁ ଲମ୍ଫ ମାରିଛନ୍ତି ଅଭିଜ୍ଞ ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କୁ ବିଜେଡିରୁ ମୁକାବିଲା କରୁଛନ୍ତି କର୍ପୋରେଟ ଜଗତର ଚିହ୍ନା ଚେହେରା ସଂତୃପ୍ତ ମିଶ୍ର । ବିଜେଡି କୌଣସି ପରିସ୍ଥିତିରେ ଏ ସିଟ୍‌ ହାତଛଡ଼ା କରିବାକୁ ଚାହୁଁନି । ବିଜେପି ପାଇଁ ଭର୍ତ୍ତୃହରିଙ୍କ ବିଜୟ ମଧ୍ୟ ସମ୍ମାନର ପ୍ରଶ୍ନ । ଦୁହେଁ ଦୁହିଁଙ୍କଠାରୁ କଡ଼ାଗଣ୍ଡା ପ୍ରତିଶୋଧ ନେବାକୁ ନେଇଛନ୍ତି ବଜ୍ର ଶପଥ । କଂଗ୍ରେସରୁ ସୁରେଶ ମହାପାତ୍ର ଏମ୍‌ପି ପ୍ରାର୍ଥୀ ଭାବେ ଏଣ୍ଟ୍ରି ମାରିଛନ୍ତି । କଟକ ମହାଯୁଦ୍ଧରେ କିଏ ଚାମ୍ପିଅନ୍‌, କିଏ ରନର୍ସ ଅପ ଆଉ କିଏ ନଂ ଥ୍ରୀ ତାକୁ ନେଇ ଆରମ୍ଭ ହୋଇଛି ହିସାବ ନିକାସ ।

ରାଜନୈତିକ ପାଣିପାଗ ଦୃଷ୍ଟିକୋଣରୁ ସାରା ରାଜ୍ୟର ଫୋକସରେ ବ୍ରହ୍ମପୁର ରାଜନୀତି । ବିଜେଡିରୁ ବିଦା ହୋଇ ଏ ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେପିର ପୁରୁଣା ସିପାହୀ ଭୃଗୁ ବକ୍ସିପାତ୍ର ଶଙ୍ଖ ଫୁଙ୍କି ଏ ସିଟରୁ ହୋଇଛନ୍ତି ଏମ୍‌ପି ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଏ ତାରକା ଆସନରେ ପୂରାକୁ ପୂରା କାଣ୍ଟେ କି ଟକ୍କର । ଦୁଇ ଦଳ ଏଠାରେ ନଛୋଡ଼ବନ୍ଦା । ମୁଖ୍ୟମନ୍ତ୍ରୀ ବିଜେଡି ପାଇଁ ଭୋଟଭିକ୍ଷା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ପାଇଁ ଭୋଟ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆସନ୍ତା ୬ରେ ବ୍ରହ୍ମପୁରରୁ ଓଡ଼ିଶାରେ ଭୋଟଭିକ୍ଷାର ‘ଶ୍ରୀଗଣେଶ’ କରିବେ । ଦୁଇ ଦଳର ହାଇକମାଣ୍ଡଙ୍କ ପାଇଁ ଏ ଆସନ କେତେ ମହତ୍ତ୍ୱ ରଖୁଛି ତାହା ଭୋଟ ସମାବେଶ ଓ ଦମଦାର ପ୍ରଚାର ଅଭିଯାନ ସ୍ପଷ୍ଟ କରୁଛି । ଭୋଟରଙ୍କ ପସନ୍ଦ କିଏ ‘ଶଙ୍ଖ’ ନା ‘ପଦ୍ମ’ ତା’ର ଉତ୍ତର ଜୁନ୍‌ ୪ ଗଣତିରୁ ହିଁ ସ୍ପଷ୍ଟ ହେବ ।

ଆଦିବାସୀଙ୍କ ପାଇଁ ସଂରକ୍ଷିତ ମୟୂରଭଞ୍ଜ ଆସନ କାହାର ହେବ? ବିଜେଡିର ସୁଦାମ ମାର୍ଣ୍ଡି ନା ବିଜେପିର ନବ ଚରଣ ମାଝୀ? କାହାକୁ ଭରସିବେ ଭୋଟର? ଏହା ଏବେ ମୟୂରଭଞ୍ଜ ଜିଲ୍ଲା ପାଇଁ ମିଲିୟନ ଡଲାରର ପ୍ରଶ୍ନ । ବିଜେପି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବଦଳାଇ ନବଙ୍କୁ ଏମ୍‌ପି ଟିକଟ ଦେଇଛି । ମନ୍ତ୍ରୀ ସୁଦାମଙ୍କ ଅଭିଜ୍ଞତା ଓ ସାଂଗଠନିକ ଦକ୍ଷତାକୁ ବିଶ୍ୱାସକୁ ନେଇଛନ୍ତି ବିଜେଡି ସୁପ୍ରିମୋ । ଶେଷ ଦଫାରେ ଏ ସିଟ୍‌ ପାଇଁ ଭୋଟ ଗ୍ରହଣ କରାଯିବ । ଏବେଠୁ କିନ୍ତୁ ଦୁଇ ଦଳ ‘ମିଶନ ମୟୂରଭଞ୍ଜ’ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ମଇଦାନ ଖେଦିଲେଣି

ବାଲେଶ୍ୱରରେ ନନା ବନାମ ନାନୀଙ୍କ ଲଢ଼େଇରେ ମଇଦାନ ପଡ଼ୁଛି ଆଉ ଉଠୁଛି । ବିଜେପିରୁ ପୁଣି ପ୍ରାର୍ଥୀ ଭାବେ ପ୍ରତାପ ଷଡ଼ଙ୍ଗୀ ଭୋଟ ବୈତରଣୀ ପାର୍‌ ହେବାକୁ ନିଜ ଅଭିଜ୍ଞତାର ପୂର୍ଣ୍ଣ ବିନିଯୋଗ କରୁଛନ୍ତି । ବିଜେପିରୁ ଶଙ୍ଖ କ୍ୟାମ୍ପକୁ ଡେଇଁ ଏମ୍‌ପି ଭାବେ ପ୍ରଥମ ଥର ଭାଗ୍ୟ କରୁଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । କଂଗ୍ରେସ ଟିକଟରେ ଏ ଆସନରୁ ପୁଣି ଭୋଟ ଲଢୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତଙ୍କ ପ୍ରାର୍ଥୀତ୍ୱ ପ୍ରତାପ ଓ ଲେଖାଶ୍ରୀଙ୍କ ପାଇଁ ବଡ଼ ଚାଲେଞ୍ଜ ଛିଡ଼ା କରାଇଛି । ବିଜେପି ଓ ବିଜେଡି ବାଜିମାତ୍‌ କରିବାକୁ ଆକାଶ ପାତାଳ ଏକ କରିଛନ୍ତି । ଶ୍ରୀକାନ୍ତ କିନ୍ତୁ ନିଜ ବିଜୟପଥକୁ ନିଶ୍ଚିତ କରିବାକୁ ଆଦରିଛନ୍ତି ଭିନ୍ନ ରଣକୌଶଳ । ଅଭିଜ୍ଞ ବନାମ ନବୀନଙ୍କ ଏ ତ୍ରିମୁଖୀ ଲଢ଼େଇ କିନ୍ତୁ ବେଶ ରୋଚକ ହେବ ବୋଲି ରାଜନୈତିକ ମହଲର ଆକଳନ ।

ଆଦିବାସୀ ନେତା ବନାମ ହକି ଷ୍ଟାର । ସୁନ୍ଦରଗଡ଼ ଲୋକସଭା ସିଟ୍‌ କବଜା କରିବାକୁ ବିଜେପି ସାଂସଦ ତଥା ହେଭିୱେଟ୍‌ ଜୁଏଲ ଓରାମଙ୍କ ଦକ୍ଷତା ଉପରେ ପୂର୍ଣ୍ଣ ଭରସା କରିଛି । ବିଜେଡି ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀଙ୍କୁ ମଇଦାନକୁ ଛାଡ଼ିଛି । ଗତଥର ଜୁଏଲ ଏ ସିଟରେ ୨ ଲକ୍ଷ ୨୩ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରି ସଂସଦକୁ ଯାଇଥିଲେ । ଚଳିତ ଥର କଂଗ୍ରେସ ଏଠାରେ ଜନାର୍ଦ୍ଦନ ଦେହୁରୀଙ୍କୁ ଯୋଦ୍ଧା ଭାବେ ଚୟନ କରିଛି । ଗତ ଥର କଂଗ୍ରେସ ୨ ଲକ୍ଷ ୬୮ ହଜାର ଭୋଟ ହାତେଇଥିଲା । ଭୋଟ ଚବିଶରେ ସୁନ୍ଦରଗଡ଼ର ଶିରିପା କିଏ ପିନ୍ଧିବ ତାହା ଉପରେ ସାରା ରାଜ୍ୟର ଆଖି ।

     

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.