ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

ଆଳିରେ ଏଥର ରୋଚକ ଲଢ଼େଇ, ରାଜାଙ୍କୁ ଚେକ୍‌ ଦେବେ ଡାକ୍ତର - ପୁଲିସ

କେନ୍ଦ୍ରାପଡ଼ା,୩୦/୦୪: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାନସଭା କ୍ଷେତ୍ରରେ ଏଥର ବେଶ୍‌ ରୋଚକ ଲଢ଼େଇ ଦେଖିବାକୁ ମିଳିବ । ଭିନ୍ନ ପେସା ଓ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ଏଠାରେ ଉଭା ହୋଇଛନ୍ତି । ଆଳି ରାଜ ପରିବାରର ସଦସ୍ୟ ତଥା ଅଭିଜ୍ଞ ନେତା ପ୍ରତାପ କେଶରୀ ଦେବଙ୍କ ସହ ଡାକ୍ତର ଓ ପୁଲିସ ଚାକିରି ଛାଡ଼ି ଆସିଥିବା ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ । ପ୍ରତାପଙ୍କ ବିପକ୍ଷରେ ଡାକ୍ତର ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଦେବସ୍ମିତା ଶର୍ମା ଓ ପୁଲିସ ଚାକିରି ଛାଡ଼ି ଆସିଥିବା କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଲଢ଼େଇ ହେବ । ଦେବସ୍ମିତା ଓ କୃଷ୍ଣଚନ୍ଦ୍ର ନିର୍ବାଚନ ରଣାଙ୍ଗନରେ ନବାଗତ ହେଲେ ବି ରାଜନୀତି ସହ ପୂର୍ବରୁ ଜଡ଼ିତ ଥିଲେ ।   ପ୍ରତାପ ଅନୁଭବୀ ଓ ଅଭିଜ୍ଞ । ସେ କ୍ରମାଗତ ଭାବେ ୫ଟି ନିର୍ବାଚନରେ ଭାଗ ନେଇ ୪ଟିରେ ଜିତିଥିବା ବେଳେ କେବଳ ଗୋଟିଏରେ ହାରିଛନ୍ତି । ୨୦୦୦, ୨୦୦୪ ଓ ୨୦୦୯ ମସିହାରେ କ୍ରମାଗତ ୩ଟି ନିର୍ବାଚନ ଲଢ଼ି ହାଟ୍ରିକ୍‌ ରଚିଥିଲେ । କିନ୍ତୁ ୨୦୧୪ ମସିହା ନିର୍ବାଚନରେ ପଲଟିଥିଲା ବାଜି । ପ୍ରତାପଙ୍କ ବିଜୟ ପଥରେ ରୋକ ଲଗାଇଥିଲେ କଂଗ୍ରେସର ଦେବେନ୍ଦ୍ର ଶର୍ମା । ପ୍ରତାପଙ୍କୁ ପରାସ୍ତ କରି ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ ମସିହା ନିର୍ବାଚନରେ ବଦଳିଥିଲା ଚିତ୍ର । ପୁନର୍ବାର ପ୍ରତାପ କେଶରୀ ଦେବ ୫୫,୬୦୧ ଖଣ୍ଡ ଭୋଟ ବ୍ୟବଧାନରେ ଦେବେନ୍ଦ୍ରଙ୍କୁ ହରାଇଥିଲେ । ପ୍ରତାପ ଏବେ ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । 

ଚଳିତ ନିର୍ବାଚନରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଡାକ୍ତର ଝିଅ ଦେବସ୍ମିତା ମଇଦାନରେ । ରାଜକନିକା ବ୍ଲକ୍‌ ଅଧୀନ କଣ୍ଡିଆହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ ଥିବା ଦେବସ୍ମିତା ଦୁଇ ମାସ ପୂର୍ବରୁ ନିଜ ପଦବିରୁ ଇସ୍ତଫା ଦେଇ ରାଜନୀତିକୁ ଓହ୍ଲାଇଛନ୍ତି । ବାପା ଦେବେନ୍ଦ୍ର ଦୀର୍ଘଦିନ ଧରି କଂଗ୍ରେସ ଜିଲ୍ଲା ସଭାପତି ଦାୟିିତ୍ୱରେ ମଧ୍ୟ ଥିଲେ । ଦେବସ୍ମିତା ଜଣେ ମେଧାବୀ ଛାତ୍ରୀ । ସେ ଇନ୍ଦୋରସ୍ଥିତ ଇଣ୍ଡେକ୍ସ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ୨୦୨୦ ମସିହାରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ । ପରେ କୋରାପୁଟର କୋଟପାଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷାଧିକ କାଳ ଧରି କାର୍ଯ୍ୟ କରିବା ପରେ ପୁଣି କେନ୍ଦ୍ରାପଡ଼ାକୁ ଫେରିଥିଲେ । କଣ୍ଡିଆହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୧୪ ବିଧାନସଭା ନିର୍ବାଚନରେ ବାପା ଦେବେନ୍ଦ୍ର ଶର୍ମାଙ୍କ ପାଇଁ ମଧ୍ୟ ସେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଦେବସ୍ମିତାଙ୍କ ଜେଜେବାପା ତଥା ଦେବେନ୍ଦ୍ରଙ୍କ ବାପା ଦିବାକର ନାଥ ଶର୍ମା କଂଗ୍ରେସ ଟିକେଟ୍‌ରୁ ବିଧାୟକ ନିର୍ବାଚିତ ହୋଇଥିଲେ ।

ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ୨୦୧୭ ମସିହାରେ ପୁଲିସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସମାଜସେବା କ୍ଷେତ୍ରକୁ ଓହ୍ଲାଇଥିଲେ । ସେ ଭୁବନେଶ୍ୱର କମିସନରରେଟ୍‌ ପୁଲିସରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ୨୦୨୫ ମସିହାରେ ସେ ଚାକିରିରୁ ଅବସର  ନେଇଥାନ୍ତେ । ତେବେ ରାଜନୀତିକୁ ଆଖି ଆଗରେ ରଖି ସେ ପ୍ରାୟ ୮ ବର୍ଷ ଆଗରୁ ଚାକିରିକୁ ବାଏ ବାଏ କରିଥିଲେ । ହାରାମଣି ମେମୋରିଆଲ ଟ୍ରଷ୍ଟ ନାଁରେ ସେବା କାର୍ଯ୍ୟ ଆରମ୍ଭ କରିଥିଲେ । ଏକଦା ସେ ପ୍ରତାପ ଦେବଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ଥିଲେ । ପରେ ସେ ବିଜେପିରେ ଯୋଗଦାନ କରିଥିଲେ ଓ ୨୦୧୯ ମସିହାରେ ଆଳିରୁ ଲଢ଼ିବା ପାଇଁ ଆଶାୟୀ ଥିଲେ । ହେଲେ ତାଙ୍କୁ ସୁଯୋଗ ମିଳିନଥିଲା ଓ ଚଳିତ ନିର୍ବାଚନରେ ଅନେକ ଆଶାୟୀଙ୍କ ମଧ୍ୟରୁ ଦଳ ତାଙ୍କୁ ବାଛିଥିଲା । ପ୍ରତ୍ୟକ୍ଷ ରାଜନୀତିରେ ସେ ସମ୍ପୂର୍ଣ୍ଣ ନୂଆ । ଏବେ ସେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ଦାୟିତ୍ୱରେ ଅଛନ୍ତି ।

  • PrameyaOdia
  • prameya
  • Odisha election 2024
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.