କନ୍ଧମାଳ, ୨୩/୦୪ : କନ୍ଧମାଳ ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା। ଗଦ୍ରଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡା ଜଙ୍ଗଲରୁ ୪ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ ଗଞ୍ଜେଇ ଜବତ। ଏହା ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହେବାରେ ସଫଳ ହୋଇଛନ୍ତି।
ସୂଚନାନୁଯାୟୀ, ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କଡାକଡି କରିଛି। ଏହି କ୍ରମରେ ଚୋରା ଚାଲାଣ ପାଇଁ ଗଦ୍ରଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡା ଜଙ୍ଗଲରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଗଚ୍ଛିତ ହୋଇ ରହିଥିବା ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ଇର୍ପିଗୁଡା ଜଙ୍ଗଲରୁ ୪ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ ଗଞ୍ଜେଇ ଜବତ ହୋଇଛି। ଏହା ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହେବାରେ ସଫଳ ହୋଇଛନ୍ତି। ଘଟଣାକୁ ନେଇ ବାଲିଗୁଡ଼ା ଥାନା କେସ୍ ନଂ ୧୦୩/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମାଫିଆଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ୍।