ବଲାଙ୍ଗୀର,୨୩/୦୪(ମୁକେଶ ବହିଦାର): ‘ଜଙ୍ଗଲରୁ କାଠ ପାଉଛୁ, ମାଟି ଚୂଆଁରୁ ପାଣି ପିଉଛୁ । ଦିନବେଳା ସୂର୍ଯ୍ୟ ଆଲୁଅ, ରାତିରେ ନିଆଁହୁଲା । ବିକଳାଙ୍ଗ,ବିଧବା ଭତ୍ତାକୁ ଭରସା ନାହିଁ । ମନରେଗା କାର୍ଡ ଅଛି, ହେଲେ କାମ ମିଳୁନି । ପିଡ଼ିଏସ ଚାଉଳ ଭାଗ୍ୟରେ ଥିଲେ ମିଳେ । ରୋଗ ହେଲେ ଜଙ୍ଗଲୀ ଜଡିବୁଟି ସାହା । ଜନ୍ମରୁ ମରଣ ପ୍ରକୃତି କୋଳରେ । ଯାହା ଖାଉଛୁ, ପ୍ରକୃତିଠାରୁ ଖାଉଛୁ, ତଥାପି ଥରକୁଥର ଭୋଟ ଦେଇ ସରକାର ଗଢୁଛୁ’ ।
ଏ ହେଉଛି ବଲାଙ୍ଗିର-ନୂଆପଡା ସୀମାନ୍ତ ଡ଼ଙ୍ଗାମରା ଗାଁର ଲୋକଙ୍କ ଦରଦୀ କଥା । ଏହି ବନବାସୀମାନେ ସରକାରୀ ଯୋଜନାରୁ ବଞ୍ଚିତ ବୋଲି ଆଦୌ ପଶ୍ଚାତାପ କରୁନାହାନ୍ତି । ଓଲଟା ସରକାର ଆମ କଥା ବୁଝୁ ଅବା ନବୁଝୁ ଆମେ ଗଣତାନ୍ତ୍ରିକ ଅଧିକାର ପ୍ରତି ଆଦୌ ଅବହେଳା କରିବୁ ନାହିଁ । ପ୍ରତିବର୍ଷ ଭଳି ଏଥର ବି ଭୋଟଦେବୁ ବୋଲି କହୁଛନ୍ତି । ସେମାନଙ୍କ କଥାରୁ ସିଧାସଳଖ ପ୍ରତିବାଦର ସ୍ୱର ଆସୁ ନଥିଲେ ବି ବ୍ୟବସ୍ଥା ଓ ସରକାରୀ ଯୋଜନା ପ୍ରତି ସେମାନଙ୍କର କୌଣସି ମୋହ ନଥିବା ସିଧାସିଧା ଶୁଣାଇଦେଉଛନ୍ତି ।
ବଲାଙ୍ଗିରରୁ ୮୦କିମି ଦୂର କଣ୍ଟାବାଞ୍ଜି ଏବଂ ସେଠାରୁ ପୁଣି ୧୪ କିମି ଗଲା ପରେ ତୁରକେଲା ବ୍ଲକ ଆସେ । ସେଠାରୁ ପୁଣି ବଡଡୁକୁଲା ଦେଇ ପ୍ରାୟ ଦୁଇକିମି ଚାଷ ଜମିରେ ଯିବା ପରେ ଆରମ୍ଭ ହୁଏ ଧାନଘର ପାହାଡ଼ । ପାହାଡରେ ପ୍ରାୟ ୬କିମି ଚଢ଼ିବା ଏବଂ ପ୍ରାୟ ୫କିମି ଓହ୍ଲାଇବା ପରେ ପଡେ ଡଙ୍ଗାମରା ଗାଁ । ଏହି ଗାଁରେ ପ୍ରାୟ ୪୫ପରିବାର ରହୁଛନ୍ତି । ଯହିଁରୁ ପ୍ରାୟ ୨୫ଟି ପରିବାର ବଲାଙ୍ଗିର ଜିଲ୍ଲାର ଏବଂ ୨୦ଟି ପରିବାର ନୂଆପଡା ଜିଲ୍ଲାର ବାସିନ୍ଦା ଅଟନ୍ତି । ମାତ୍ର ଉଭୟ ଜିଲ୍ଲାର ବାସିନ୍ଦା ଗୋଟିଏ ଗାଁରେ ରୁହନ୍ତି । ଧାନଘର ଏବଂ ଗଡୁଡଙ୍ଗର ମଝିରେ ଥିବା ଏହି ଗାଁର ସମସ୍ତ ପରିବାର ଗଣ୍ଡ ଏବଂ ପହରିଆ ସଂପ୍ରଦାୟର ଅଟନ୍ତି । ସେମାନେ ସମସ୍ତେ ପ୍ରାୟ ୬/୭ ଦଶନ୍ଧି ହେବ ସେଠାରେ ରହିଆସୁଛନ୍ତି । କିନ୍ତୁ ସେଠାକୁ ସାଧାରଣ ରାସ୍ତାଟିଏ ମଧ୍ୟ ହୋଇପାରି ନାହିଁ । ଗାଁରେ କାହାର ଦେହ ଅସୁସ୍ଥ ହେଲେ ଖରା,ବର୍ଷାରେ ଖଟରେ ବୋହି ପାହାଡ଼ ଡେଇଁ ଯିବାକୁ ହୁଏ । ସେହିପରି ଗାଁରେ ପ୍ରାୟ ୨୫ ପ୍ରତିଶତ ପରିବାର ପାଖରେ ରାସନ କାର୍ଡ ଅଛି। ହେଲେ ସେଥିରୁ କେହି ବି ସମ୍ପୂର୍ଣ୍ଣ ଚାଉଳ ପାଉନାହାନ୍ତି ା
ଗ୍ରାମର ଜଣେ ବାସିନ୍ଦା ଭରତ ମାଝିଙ୍କ କହିବାନୁସାରେ ତାଙ୍କ ଘରେ ୬ ପ୍ରାଣୀ । ହେଲେ ତାଙ୍କୁ ମାତ୍ର ୪ଜଣଙ୍କ ଚାଉଳ ୨୦କେଜି ମିଳେ । ସେହିପରି ଗ୍ରାମର ଭାଗବତ ମାଝୀଙ୍କ କହିବା ହେଲା ତାଙ୍କ ପାଖରେ ମଧ୍ୟ ସମାନ ସ୍ଥିତି ଘରେ ୪କୁଟୁମ୍ବ ଥିଲା ବେଳେ ମାତ୍ର ତିନିଜଣଙ୍କୁ ୧୫ କେଜି ଚାଉଳ ମିଳୁଛି । ଯାହା ମିଳୁଛି, ତାହା ମାସକ ଚଳିବା ପାଇଁ ନିଅଣ୍ଟ, ତେଣୁ ଜଙ୍ଗଲୀ କନ୍ଦମୂଳ ଖାଇବାକୁ ବାଧ୍ୟ ହେଉଥିବା ସେମାନେ କହିଛନ୍ତି । ପ୍ରାୟ ପରିବାର ପାଖରେ କାର୍ଡ ଥିଲେହେଁ ଆଧାର କାର୍ଡ ସହିତ ଟିପଚିହ୍ନ ମେଳ ଖାଉନଥିବା କହି ଚାଉଳ, ଭତ୍ତା ଆଦି ସେମାନଙ୍କୁ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଗାଁ ଆଖପାଖରେ ଭାଲୁ ଓ ହାତୀ ବିଚରଣ କରୁଥିବାରୁ ଗାଁର ପିଲାମାନେ ପାହାଡଚଢ଼ି ପଢ଼ିଯିବାକୁ ମଙ୍ଗୁ ନାହାନ୍ତି । ଅନେକ ପରିବାର ଏଭଳି ଅଛନ୍ତି, ଯାହାଘରେ ପିଲାଟିଏ ଜନ୍ମ ହୋଇ ପାଢପଢ଼ା ଯୋଗ୍ୟ ହୋଇଗଲେ ତାକୁ ନୂଆପଡା ଜିଲ୍ଲାର ସମ୍ପର୍କୀୟ ନଚେତ କୋମନା କିମ୍ବା ଦର୍ଲିପଡା ଆଶ୍ରମ ସ୍କୁଲରେ ଛାଡିଦେଉଛନ୍ତି ।
ଆଲୁଅ ନଥିବାରୁ ରାତି ହେଲେ ଚୁଲିରେ ନିଆଁଜାଳି ସମସ୍ତଙ୍କ ରାତି କଟେ । ଜଙ୍ଗଲ ଭିତରେ ସ୍ତ୍ରୀ ଛୁଆପିଲା ଏକା ରହୁଥିବାରୁ ପୁରୁଷମାନେ ଘରଛାଡ଼ି ଯାଉନାହାନ୍ତି । ସମାନେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷିଥାନ୍ତି । ସେହିପରି ଗାଁରେ ପିଇବାକୁ ପାଣି ମିଳୁ ନଥିବାରୁ ବାଲିଚୁଆଁର ପାଣି ପିଇ ଜୀବନ ନିର୍ବାହ କରିଥାନ୍ତି । ଏତେ ସମସ୍ୟା ସତ୍ତେ୍ୱ ସରକାର, ପ୍ରଶାସନ, କିମ୍ବା ସରକାରୀ ବ୍ୟବସ୍ଥା ପ୍ରତି ସେମାନଙ୍କର କୌଣସି ଆପତ୍ତି ନାହିଁ । ସେମାନେ ସଭିଏଁ ଉଚ୍ଚମନା ହୋଇ ଆଧାର ପଞ୍ଜିକରଣ କିମ୍ବା ଭୋଟ ଦେବା ଭଳି ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଅତୁଟ ଆସ୍ଥା ରଖିଛନ୍ତି । ତେବେ ସବୁଠି ବିକାଶର ଧାରା ପହଞ୍ଚୁଥିବା ବେଳେ ଡଙ୍ଗାଘାଟ ଏଥିରୁ କାହିଁକି ବାଦ ବୋଲି ଗାଁର ରମେଶ ମାଝି, ଚନ୍ଦ୍ରେ ମାଝି, କାନ୍ତୀ ମାଝି, ଉର୍ମିଲା ମାଝି, କୁଟୁଲ ମାଝି, ତରୁଣ ମାଝି ପ୍ରମୁଖ ଅଭିଯୋଗ କରିଛନ୍ତି।