ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଏଥର ବ୍ରଜରାଜନଗରରେ ଭୋଟର କାହାକୁ କରିବେ ଭରସା, ଅଳକାଙ୍କ ସମ୍ମୁଖରେ ଦୁଇ ଭେଟେରାନ

ଝାରସୁଗୁଡ଼ା,୦୬/୦୫: ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିକାଂଶ ସମୟରେ ମତଦାତାଙ୍କ ପସନ୍ଦ ଓ ବ୍ୟବସ୍ଥା ବିରୋଧୀ  ମନୋଭାବକୁ ନେଇ ଚର୍ଚ୍ଚାରେ ରହିଆସିଛି । ବାମପନ୍ଥୀ  ବିଚାର, ସଂଗ୍ରାମ ଓ ସଂଘର୍ଷର ଏହି ମାଟି ବହୁ ବଡ଼  ବଡ଼ ଆନ୍ଦୋଳନକୁ ଜନ୍ମ ଦେଇଛି । ହୀରାକୁଦ ବନ୍ଧ  ବିସ୍ଥାପନ ସମସ୍ୟା ଠାରୁ ଆରମ୍ଭ କରି ଚାଷୀ ଓ  ଶ୍ରମିକ ଆନ୍ଦୋଳନର ଭିତ୍ତି ଉପରେ ଠିଆ ହୋଇଥିବା  ଏହି ନିର୍ବାଚନ ମଣ୍ଡଳୀରେ ଅନେକ ସମୟରେ  ଅପ୍ରତ୍ୟାଶିତ ଫଳାଫଳ ଦେଇଛି । ସମୟ କ୍ରମେ ରାଜନୈତିକ ସମୀକରଣ ଓ ଭୋଟରଙ୍କ ମୁଡ୍‌ରେ ପରିବର୍ତ୍ତନ ଦେଖାଯାଇଛି । କମ୍ୟୁନିଷ୍ଟ ଏବଂ କଂଗ୍ରେସ  ପ୍ରାର୍ଥୀ ଏଠାରୁ ନିର୍ବାଚିତ ହୋଇ ଆସିଥିବା ବେଳେ ୨୦୧୪ ମସିହାରେ ପ୍ରଥମ କରି ବିଜେପି ଏବଂ  ୨୦୧୯ରେ ପ୍ରଥମ କରି ବିଜେଡି ଏହି ଆସନରୁ  ବିଜୟୀ ହୋଇଥିଲେ । ହେଲେ ଏଥର ନିର୍ବାଚନରେ ବ୍ରଜରାଜନଗର ମତଦାତା କାହା ଉପରେ ଭରସା କରୁଛନ୍ତି ତାହାକୁ ନେଇ ବିତର୍କ ଲାଗି ରହିଛି ।

ରାଜ୍ୟର ଏହି ସୀମାନ୍ତ ନିର୍ବାଚନ କ୍ଷେତ୍ର ବ୍ରଜରାଜନଗର ଉପରେ ଏବେ ସମସ୍ତଙ୍କ ଆଖି ।  ବିଜେଡି, ବିଜେପି, କଂଗ୍ରେସ ସାଙ୍ଗକୁ ସିପିଆଇ ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କ ଉପସ୍ଥିତି ଏଥରର ନିର୍ବାଚନ ଲଢ଼େଇକୁ ରୋଚକ କରିବା ସମ୍ଭାବନା  ରହିଛି । ୨୦୧୯ ନିର୍ବାଚନରେ ବିଜେଡି ଏହି  ଆସନ ହାତେଇବା ପରେ ୨୦୨୨ ମସିହାରେ  ଉପ ନିର୍ବାଚନରେ ପୁଣିଥରେ ବିପୁଳ ଭୋଟ ବ୍ୟବଧାନରେ ବିଜେଡିରୁ ଅଳକା ମହାନ୍ତିଙ୍କ  ବିଜୟ ଏଠାରେ ବିଜେଡିର ସାଂଗଠନିକ ସ୍ଥିତିର  ପ୍ରମାଣ ଦେଉଛି । ହେଲେ ଗତ ଉପ ନିର୍ବାଚନରେ  କଂଗ୍ରେସର ବରିଷ୍ଠ ନେତା କିଶୋର ପଟେଲ ଦ୍ୱିତୀୟ  ସ୍ଥାନରେ ରହିବା ଏବଂ ବିଜେପିର ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିବା ପରେ ବିରୋଧୀଙ୍କ  ମଧ୍ୟରୁ କେଉଁ ଦଳ ବିଜେଡିକୁ ଟକ୍କର ଦେଉଛି  ତାହା ଆକଳନ କରିବା ମୁସ୍କିଲ ହୋଇଛି । ଏଥର ବିଜେଡିରୁ ବିଧାୟିକା ଅଳକା ମହାନ୍ତି କଂଗ୍ରେସର କିଶୋର ପଟେଲ ଏବଂ ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ଭଳି ଭେଟେରାନଙ୍କୁ ସାମ୍‌ନା କରୁଛନ୍ତି । କେହି କାହାରିଠୁ କମ ନ ଥିବା ବେଳେ ନିର୍ବାଚନ ମଣ୍ଡଳୀର ମତଦାତା କାହା ଉପରେ ଭରସା କରିବେ ଏବେଠୁ କହିବା ମୁସ୍କିଲ ହୋଇଛି । 

ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ବ୍ରଜରାଜନଗରରେ ସମସ୍ୟା ଅଧିକ । ଏଠାରେ  ଶିଳ୍ପ ଏବଂ ଖଣିର ସମ୍ଭାର ଅନେକ ସମସ୍ୟାକୁ ଜନ୍ମ ଦେଇଛି । ପରିବେଶ ପ୍ରଦୂଷଣ, ବିସ୍ଥାପନ, ଆଞ୍ଚଳିକ  ବୈଷମ୍ୟତା, ପ୍ରାଶାସନିକ ଉଦାସୀନତା, ଅପହଞ୍ଚ  ବିକାଶ ଭଳି ଅସରନ୍ତି ଏବଂ ଅସମାହିତ ସମସ୍ୟାର  ପାହାଡ଼ ଉପରେ ଛିଡ଼ା ହୋଇଥିବା ଏହି ନିର୍ବାଚନ  ମଣ୍ଡଳୀରେ ଅଧିକାଂଶ ସମୟରେ ପ୍ରସଙ୍ଗ ଭିତ୍ତିକ  ନିର୍ବାଚନ ହେଉଥିବାରୁ ରାଜନୈତିକ ଦଳ ଏବଂ  ପ୍ରାର୍ଥୀଙ୍କୁ ଅନେକ ଆହ୍ୱାନର ସମ୍ମୁଖିନ ହେବାକୁ  ପଡ଼ିଥାଏ । ଅଞ୍ଚଳର ଅନଗ୍ରସରତା, ବ୍ଲକ ବିଭାଜନ  ଓ ନୂତନ ସବଡିଭିଜନ ଗଠନ ଭଳି ଦାବି ପୂରଣ ନ  ହେବା, କୃଷି ଉପରେ ନିର୍ଭରଶୀଳତା ଅଧିକ ଥିଲେ  ହେଁ କୃଷି ଓ କୃଷକର ଉନ୍ନତି ପ୍ରତି ଅବହେଳା  ଭଳି ପ୍ରସଙ୍ଗ ସବୁ ବେଳେ ଛାଇ ହୋଇରହିଛି ।  

ନିର୍ବାଚନ ଉପନୀତ ହେବା ପରେ ଏସବୁ ପ୍ରସଙ୍ଗକୁ  ନେଇ ଲୋକଙ୍କୁ ସଚେତନ କରାଇ ନିଜ ସପକ୍ଷରେ  ନେବାର ପ୍ରୟାସରେ ପ୍ରମୁଖ ରାଜନୈତିକ ଦଳର  ନେତାଏ ଲାଗିପଡ଼ନ୍ତି । ଏବେ ବି ଏଭଳି ଅନେକ  ପ୍ରସଙ୍ଗ ନିର୍ବାଚନକୁ ପ୍ରଭାବିତ କରି ରଖିଛି । ଖାସକରି ବ୍ଲକ ପୁନର୍ଗଠନ, ନୂତନ ସବଡିଭିଜନ  ଘୋଷଣା, ଉପାନ୍ତ ଅଞ୍ଚଳର ସାମଗ୍ରୀକ ବିକାଶ,  ସ୍ୱାସ୍ଥ୍ୟସେବା ଓ ଜଳସେଚନ ବ୍ୟବସ୍ଥାରେ ଉନ୍ନତି  ଆଦି ରାଜନୈତିକ ପ୍ରସଙ୍ଗ ହେବା ସମ୍ଭାବନା ରହିଛି । ଏହି ନିର୍ବାଚନର ଫଳାଫଳ ଅନେକଙ୍କ ରାଜନୈତିକ  କ୍ୟାରିଅର୍‌କୁ ପ୍ରଭାବିତ କରିବ। ନିର୍ବାଚନରେ ସଫଳ ନହେଲେ ଭେଟେରାନଙ୍କ କ୍ୟାରିଅରରେ  ପୂର୍ଣ୍ଣଛେଦ ଟାଣି ପଡ଼ିବା ସମ୍ଭାବନା ଅଧିକ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.