ନୂଆଦିଲ୍ଲୀ, ୨୩/୦୪ : ହିମାଳୟ ପର୍ବତ ଶୃଙ୍ଖଳାକୁ ବିଶ୍ୱର ୩ୟ ମେରୁ କୁହାଯାଏ। ଏହାର କାରଣ ବିଶାଳ ସଂଖ୍ୟକ ଗ୍ଲାସିଅର ଓ ବରଫ ସମ୍ଭାର। କିନ୍ତୁ ବିଶ୍ୱ ଉତ୍ତାପନ ଯୋଗୁ ଏହି କ୍ଷେତ୍ର ଅତି ମାତ୍ରାରେ ପ୍ରଭାବିତ ହେଉଛି । ବରଫ ତରଳୁଛି । ଗ୍ଲାସିଅର ସଙ୍କୁଚିତ ହେଉଛି । ଗ୍ଲାସିଅର ସଙ୍କୁଚିତ ହେବାର ଅର୍ଥ ଦ୍ରୁତ ବେଗରେ ବରଫ ତରଳିବା । ଅର୍ଥାତ୍ ଏଥିରୁ ପ୍ରବାହିତ ଜଳ ପାହାଡ଼ରେ ଯେଉଁଠି ଜମା ହେଉଛି, ସେଠାରେ ଗ୍ଲାସିଆଲ ଲେକ୍ ବା ଗ୍ଲାସିଅର ହ୍ରଦ(ବରଫ ହ୍ରଦ) ସୃଷ୍ଟି ହେଉଛି । ଏଥିପାଇଁ ହିମାଳୟରେ ପ୍ରାଚୀନ ବରଫ ହ୍ରଦର ଆକାର ବଢୁଛି ବୋଲି ଇସ୍ରୋର ସଦ୍ୟତମ ଅଧ୍ୟୟନରୁ ଖୁଲାସା ହୋଇଛି।
ଏହି ଗ୍ଲାସିଅର ଓ ବରଫ ଭାରତର ନଦୀମାନଙ୍କର ସ୍ରୋତ। କିନ୍ତୁ ବଢୁଥିବା ବରଫ ହ୍ରଦ ଆମ ପାଇଁ ବିପଦ ଆଶଙ୍କା ବଢ଼ାଉଛି। କେଦାରନାଥ, ଚମୋଲି ଓ ସିକ୍କିମରେ ଯେଉଁ ଭୟାନକ ବନ୍ୟା ସ୍ଥିତି ହୋଇଥିଲା, ଗ୍ଲାସିଅର ହ୍ରଦରୁ ସେଭଳି ଘଟଣାର ଆଶଙ୍କା ରହିଛି । ଏହାଦ୍ୱାରା ନିମ୍ନ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଉପରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ବେଶି । ବରଫ ହ୍ରଦରେ ଯେତେବେଳେ ଭାରୀ ବସ୍ତୁ କିମ୍ବା ପାଣି ମାତ୍ରା ବଢ଼ିଯାଏ, ଗ୍ଲାସିଅର ପ୍ରାଚୀର ଭାଙ୍ଗିଯାଏ। ହିମାଳୟର ଗ୍ଲାସିଅର ହ୍ରଦ ଉପରେ ଇସ୍ରୋ ନିରନ୍ତର ନଜର ରଖିଛି । ସାଟେଲାଇଟ୍ ଜରିଆରେ ନୂଆକରି ସୃଷ୍ଟି ହେଉଥିବା ବରଫ ହ୍ରଦ ଓ ପୁରୁଣା ହ୍ରଦଗୁଡ଼ିକର ଆକାର ବୃଦ୍ଧି ଉପରେ ଏହା ନଜର ରଖିଛି । ଫଳରେ ବିପଦପୂର୍ଣ୍ଣ ଗ୍ଲାସିଅର ହ୍ରଦ ଅଣାୟତ୍ତ ହେବା ପୂର୍ବରୁ ଆଖପାଖ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇ ପାରିବ । ଲୋକଙ୍କୁ ଉଦ୍ଧାର କରିବାର ଉପାୟ ମଧ୍ୟ ବାହାର କରିହେବ ।
ସୂଚନାଯୋଗ୍ୟ, ଭାରତ ପାଖରେ ହିମାଳୟ ବରଫ ହ୍ରଦ ସମ୍ପର୍କିତ ଗତ ୩-୪ ଦଶନ୍ଧିର ତଥ୍ୟ ରହିଛି । ୧୯୮୪ରୁ ୨୦୨୩ ମସିହା ପର୍ଯ୍ୟନ୍ତର ତଥ୍ୟ ଦେଖିଲେ ଜଣାପଡ଼େ, ହିମାଳୟରେ ୨୪୩୧ଟି ଏଭଳି ହ୍ରଦ ଅଛି ଯାହାର ଆକାର ୧୦ ହେକ୍ଟରରୁ ବଡ଼ । ୧୯୮୪ରୁ ଅଦ୍ୟାବଧି ୬୭୬ଟି ଏଭଳି ହ୍ରଦ ଅଛି, ଯାହାର କ୍ଷେତ୍ରଫଳର ଆକାର ବଢ଼ିଛି । ତନ୍ମଧ୍ୟରେ ୧୩୦ଟି ହ୍ରଦ ଭାରତରେ ରହିଛି । ସିନ୍ଧୁ ନଦୀ ଉପରେ ୬୫, ଗଙ୍ଗା ଉପରେ ୭ ଓ ବ୍ରହ୍ମପୁତ୍ର ଉପରେ ୫୮ଟି ଗ୍ଲାସିଅର ହ୍ରଦ ସୃଷ୍ଟି ହୋଇଛି । ଏହି ୬୭୬ ଗ୍ଲାସିଅର ହ୍ରଦ ମଧ୍ୟରୁ ୬୦୧ଟି ହ୍ରଦର ଆକାର ଦୁଇରୁ ଅଧିକ ଥର ବୃଦ୍ଧି ହୋଇଛି । ଅନ୍ୟପକ୍ଷେ, ୧୦ଟି ହ୍ରଦ ଦେଢ଼ରୁ ଦୁଇ ଗୁଣ ବଢ଼ିଛି । ସେହିପରି ୬୫ ହ୍ରଦର ଆକାର ଦେଢ଼ ଗୁଣ ବଢ଼ିଛି । ଏହି ହ୍ରଦ ମଧ୍ୟରୁ ୩୧୪ଟି ୪ରୁ ୫ ହଜାର ମିଟର (୧୩ରୁ ୧୬ ହଜାର ଫୁଟ) ଉଚ୍ଚତାରେ ଅବସ୍ଥିତ । ୨୯୬ଟି ବରଫ ହ୍ରଦ ୫ ହଜାର ମିଟର ଉଚ୍ଚରେ ଅବସ୍ଥିତ ।
ଏହି ହ୍ରଦଗୁଡ଼ିକୁ ୪ ବିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଉଛି ମୋରେନ୍ ଡ୍ୟାମ୍ଡ ଅର୍ଥାତ୍ ପାଣି ଚତୁପାଶ୍ୱର୍ରେ ଆବର୍ଜନାର ପ୍ରାଚୀର । ଆଇସ୍ ଡ୍ୟାମ୍ଡ ଅର୍ଥାତ୍ ପାଣି ଚତୁପାଶ୍ୱର୍ରେ ବରଫ ପ୍ରାଚୀର, ଇରୋଜନ୍ ଅର୍ଥାତ୍ ମୃତ୍ତିକା କ୍ଷୟ ଯୋଗୁ ସୃଷ୍ଟ ଗର୍ତ୍ତରେ ଜମା ଗ୍ଲାସିଅର ପାଣି ଏବଂ ଅନ୍ୟ ଗ୍ଲାସିଅର ହ୍ରଦ । ୬୭୬ଟି ବରଫ ହ୍ରଦ ମଧ୍ୟରୁ ୩୦୭ଟି ମୋରେନ୍ ଡ୍ୟାମ୍ଡ, ୨୬୫ ଇରୋଜନ୍ ଓ ୮ ଆଇସ୍ ଡ୍ୟାମ୍ଡ ଗ୍ଲାସିଆଲ ଲେକ୍ ରହିଛି । ସିନ୍ଧୁ ନଦୀ ଉପରେ ସୃଷ୍ଟ ଘେପାଙ୍ଗ ଘାଟ ବରଫ ହ୍ରଦର ଉଚ୍ଚତା ୪୦୬୮ ମିଟର । ଏହା ହିମାଚଳ ପ୍ରଦେଶରେ ଅବସ୍ଥିତ । ଏହାର ଆକାରରେ ୧୭୮ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥାତ୍ ଏହି ହ୍ରଦ ପ୍ରଥମେ ୩୬.୪୦ ହେକ୍ଟରରେ ବିସ୍ତୃତ ଥିଲା । ଏବେ ବଢ଼ି ୧୦୧.୩୦ ହେକ୍ଟର ହୋଇଛି । ପ୍ରତି ବର୍ଷ ଏହା ୧.୯୬ ହେକ୍ଟର ହିସାବରେ ବଢୁଛି ।